Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର, ଦପାନାୟକାଣୀ ମନ୍ଦିର ବେଢ଼ାରେ ଲାଗି ଭୋଗ ଓ...

ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର, ଦପାନାୟକାଣୀ ମନ୍ଦିର ବେଢ଼ାରେ ଲାଗି ଭୋଗ ଓ ମାଟି ଘୋଡ଼ା ଅର୍ପଣ ମା’ଙ୍କର ନିଆରା ପରମ୍ପରା

15

ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁରସ୍ଥିତ ପ୍ରସିଦ୍ଧ ମା ଦପାନାୟକାଣୀ ପୀଠ ମକର ସଂକ୍ରାନ୍ତୀ ଉପଲକ୍ଷେ ଉତ୍ସବ ମୁଖର ହୋଇଛି । ମା’ଙ୍କ ମହିିମାରେ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ବେଢ଼ାରେ ଭୋଗ କରିବା ସହିତ ଦୀପ ଲଗାଇଥିଲେ । ଏଥିସହ ମାନସିକ ରଖିଥିବା ମାଟି ଘୋଡ଼ା ମା’ଙ୍କୁ ପ୍ରଦାନ କରିଥିଲେ । ମନ୍ଦିର ବେଢ଼ାରେ ଦୀପ ଓ ମାଟି ଘୋଡ଼ା ମା’ଙ୍କ ମହିମାର ନିଚ୍ଛକ ପ୍ରମାଣ ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରି ମାନସିକ ପୂରଣ କରିଛନ୍ତି । ମା’ଙ୍କ ମହିମା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ରତା ବଜାୟ ରଖିଛି । ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଛି ଯାହାକୁ ନଦେଖିଲେ କେହି କେବେ ବିଶ୍ୱାସ କରିପାରିବ ନାହିଁ । ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ରଖିଥିବା କୁକୁଡ଼ା ଓ ବୋଦା ଭୋଗ ଲଗାନ୍ତି ଯାହାକୁ ଭକ୍ତମାନେ ପରବର୍ତ୍ତୀ ସମୟରେ ଭୋଗ ଭାବେ ଭାବି ନିଲାମ କରି ଭକ୍ତିର ସହିତ ଘରକୁ ନେଇ ଖାଇଥାନ୍ତି । ଏହି ପରମ୍ପରାଟି ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ପରମ୍ପରା ବୋଲି କୁହାଯାଇଛି । ମା’ ଦପାନାୟକାଣୀ ପୀଠରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ । ପୀରହାଟ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି । ମା’ଙ୍କ ପୂଜା କମିଟିର ସଭାପତି ସୁଧାକର ଦାସ, ସଂପାଦକ ଦେବେନ୍ଦ୍ର ଦାସ, ସରପଞ୍ଚ ପବିତ୍ର ମୋହନ ମଳିକ, ଶିକ୍ଷାବିତ ଭୀମସେନ ବାରିକ, ଜୟପ୍ରକାଶ ମଳିକ, ପାର୍ଥସାରଥି ଦାସ, ଉପେନ୍ଦ୍ର ଦାସ, ଭୀମସେନ ମଳିକ, ନିରାକାର ମଳିକ, ଅରବିନ୍ଦ ଦାସ, ଅକ୍ଷୟ ମଳିକ, ମୂରଲିଧର ଦାସ, ଅକ୍ଷୟ ଦାସ ପ୍ରମୁଖ ମା’ଙ୍କ ପୂଜାରେ ସହଯୋଗ କରିଥିଲେ । ମା’ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହି ୫ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.