Home ଜିଲ୍ଲା ପରିକ୍ରମା ମହିଳା ମହାସଂଘ କାର୍ଯ୍ୟାଳୟ ଗୃହ ତେସିଙ୍ଗାରେ ସ୍ଥାପନ ଦାବିରେ ସମାବେଶ

ମହିଳା ମହାସଂଘ କାର୍ଯ୍ୟାଳୟ ଗୃହ ତେସିଙ୍ଗାରେ ସ୍ଥାପନ ଦାବିରେ ସମାବେଶ

36

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ତ ଅନ୍ତର୍ଗତ ତେସିଙ୍ଗା ଗ୍ରାମପଞ୍ଚାୟତର ମିଶନ ଶକ୍ତି ଅଧୀନରେ ମହିଳା ମହାସଂଘ କାର୍ଯ୍ୟାଳୟ ଗୃହ ତେସିଙ୍ଗା ରାଜସ୍ୱ ଗ୍ରାମରେ ନିର୍ମାଣ କରିବା ପାଇଁ ଦାବି କରାଯାଇଛି । ଏଥିନେଇ ତେସିଙ୍ଗା ପଂଚାୟତ ମହିଳା ମହାସଂଘର ବିଭିନ୍ନ ଗୋଷ୍ଠୀର ଶତାଧିକ ମହିଳା ତେସିଙ୍ଗା ଠାରେ ଏକ ସମାବେଶ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଜୁନ୍ ମାସ ୨୬ ତାରିଖରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମାନ ସମସ୍ୟା ସଂପର୍କରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟାଳୟ ଗୃହ ପଂଚାୟତର କୁଲଣା ଠାରେ ନିର୍ମାଣ ପାଇଁ କେତେକ ଉଦ୍ୟମ କରୁଥିବା ଖବର ପାଇବା ପରେ ମହାସଂଘର ସଂଖ୍ୟାଧିକ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେସିଙ୍ଗା ଗ୍ରାମପଞ୍ଚାୟତ ଅଧୀନରେ ଥିବା ନଅଗୋଟି ରାଜସ୍ୱ ଗ୍ରାମର ଭୌଗୋଳିକ ଦୃଷ୍ଟିକୋଣରୁ ତେସିଙ୍ଗା ଗ୍ରାମ ମଧ୍ୟସ୍ଥଳୀରେ ଅବସ୍ଥିତ ହୋଇଥିବାରୁ ଓ ମିଶନ ଶକ୍ତି ଯୋଜନା ପ୍ରାରମ୍ଭରୁ ଅସ୍ଥାୟୀ ଭାବେ ପଂଚାୟତ ମହିଳା ମହାସଂଘ କାର୍ଯ୍ୟାଳୟ ତେସିଙ୍ଗା ଠାରେ କାର୍ଯ୍ୟ କରିଆସୁଥିବାରୁ ତେସିଙ୍ଗାରେ ହିଁ ସ୍ଥାୟୀ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଦାବିପତ୍ରରେ ଦର୍ଶାଯାଇଥିଲା । ସରକାରୀ ନିୟମାନୁଯାୟୀ ଯେଉଁ ସ୍ଥାନ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସୁବିଧା ପାଇଁ ହୋଇଥିବ, ସେଠାରେ ମହାସଂଘର କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ରହିଛି । ମହିଳାମାନଙ୍କ ଚଲାପଥ ଦୃଷ୍ଟିକୋଣରୁ ଗମନାଗମନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦୃଷ୍ଟିରୁ ତେସିଙ୍ଗା ହିଁ ପ୍ରକୃଷ୍ଟ ସ୍ଥାନ ବୋଲି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଯୁକ୍ତି ଦର୍ଶାଇ କାହା ସ୍ୱାର୍ଥ ଓ ଇଙ୍ଗିତରେ ପ୍ରଶାସନ କାର୍ଯ୍ୟ କରି ସେମାନଙ୍କ ଯଥାର୍ଥ ଦାବିକୁ ଏଡାଇ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ।

କୁଲଣା ଗ୍ରାମଟି ତେସିଙ୍ଗା ଗ୍ରାମପଞ୍ଚାୟତର ଏକ ପାଶ୍ୱର୍ସୀମାରେ ଅବସ୍ଥିତ ଓ ଅନ୍ୟୁନ୍ୟ ରାଜସ୍ୱ ଗ୍ରାମ ଠାରୁ ଏହାର ଦୂରତା ୪ ରୁ ୫ କିଲୋମିଟର ହୋଇଥିବାବେଳେ ତେସିଙ୍ଗା ଗ୍ରାମଟି ଦେଢରୁ ଦୁଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ । କୁଲଣାଠାରେ ମହିଳା ମହାସଂଘ କାର୍ଯ୍ୟାଳୟ ନିର୍ମାଣ କରାଗଲେ ପଂଚାୟତର ୮୦ ଭାଗ ମହିଳା ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେବେ । ମାତ୍ର ତେସିଙ୍ଗା ଠାରେ ଏହା ନିର୍ମାଣ କରାଗଲେ ସମସ୍ତେ ଆବଶ୍ୟକ ବେଳେ ପାଦରେ ଯାତାୟତ କରିପାରିବା ସହ କୌଣସି ଅସୁବିଧା ହେବ ନାହିଁ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ମହାସଂଘର ସଭାନେତ୍ରୀ ପ୍ରମିଳା ଧଳ, ଚମ୍ପାବତୀ ସେଠୀ, ମାମୁନି ସାହୁ, ବଉଳ ସାହୁ, ସୀତାଶ୍ରୀ ବାରିକ, ଅନୁସୟା ସାହୁ, ରଶ୍ମିତା ନାୟକ, ସୁଧାଂଶୁବାଳା ଧଳ, ନିହାରିକା ଖଟୁଆ, ରଶ୍ମିତା ସାହୁ, ଆରତୀ ସାମଲ, ମିନତୀ ସାହୁ, ମାନିନୀ ସାମଲ, ପ୍ରଭାରାଣୀ ସାହୁ, ଦୀପିକା ସାହୁ ପ୍ରମୁଖ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଏହାଛଡା ସ୍ଥାନୀୟ ବିଡିଓ ଓ ବିଭାଗର ଜିଲା ସଂଯୋଜକଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଇ ତେସିଙ୍ଗା ଠାରେ ମହାସଂଘ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ଏହି ଦାବିପତ୍ରର ନକଲ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସଚିବ ଓ ୫ଟି ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେସିଙ୍ଗା ଠାରେ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆନଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.