Home ଜିଲ୍ଲା ପରିକ୍ରମା ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ

ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ

5

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ୨୦୨୩ ବର୍ଷର ଶେଷ ଦିନରେ ଚିତ୍ତରଞ୍ଜନ ବାରିକ ଓରଫ ଟୁନିଆ (୪୬) ହତ୍ୟା ମାମଲାର ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଚିତ୍ତରଞ୍ଜନଙ୍କ ବଡଭାଇ କାହ୍ନୁଚରଣ ବାରିକକୁ ଶନିବାର ରାତ୍ରରେ ପାଣିକୋଇଲି ଅଞ୍ଜଳରୁ ପୁଲିସ ଗିରଫ କରିଥିଲା । ସେହିପରି ରବିବାର ମାମଲାର ସହ ଅଭିଯୁକ୍ତ କାହ୍ନୁଙ୍କ ପତ୍ନୀ ସତ୍ୟଭାମା ଓ ଝିଅ ଚିନ୍ମୟୀକୁ ଚରମ୍ପା ରେଳଷ୍ଟେସନ ନିକଟରୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ କଟକ ବଡଡାକ୍ତରଖାନାରୁ ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଗ୍ରାମ ଶ୍ମଶାନରେ ଅତ୍ୟନ୍ତ ଶୋକାକୂଳ ପରିବେଶରେ ସତ୍କାର କରାଯାଇଛି । ପୁଲିସର ସକ୍ରିୟ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟରେ ରଖି ବିଜେପି ପକ୍ଷରୁ ଥାନା ଘେରାଉକୁ ବାତିଲ କରାଯାଇଛି । ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦେବା ସହ କାଉଣ୍ଟର ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ପୁଲିସ ଆଶ୍ୱାସନା ଦେଇଥିଲା । ଏହି ଘଟଣାରେ ଉଭୟ ପରିବାର ନାହିଁ ନଥିବା ବିପଦରେ ପଡିଛନ୍ତି ।

ମୃତ ଚିତ୍ତରଞ୍ଜନ ପରିବାର ଏକମାତ୍ର ରୋଜଗାରକ୍ଷମ ଥିବାରୁ ପରିବାର ଅସହାୟ ହୋଇପଡିଛି । ସେହିପରି ବଡଭାଇ ପରିବାର ହତ୍ୟାମାମଲାରେ ଛନ୍ଦି ହୋଇ ବିପଦଗ୍ରସ୍ତ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୩୧ ତାରିଖ ଅପରାହ୍ନ ୨ଟାରେ ବଡଭାଇ କାହ୍ନୁ ବାରିକଙ୍କ ପରିବାର ମିଳିତ ଆକ୍ରମଣର ଶିକାର ହୋଇଥିବା ସାନଭାଇ ଚିତ୍ତରଞ୍ଜନ ବାରିକ ଓରଫ ଟୁନିଆ (୪୬) ଶନିବାର ଚିକିତ୍ସାଧିନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ଏଥିନେଇ ମୃତକଙ୍କ ପୁତ୍ର ପବିତ୍ର ଏତାଲା ଆଧାରରେ ଥାନାରେ ୪ଜଣଙ୍କ ନାମରେ ୨/୨୪ନଂ ମାମଲା ଋଜୁ ହୋଇଥିଲା । ଏହା ଏବେ ହତ୍ୟମାମଲାକୁ ପରିବର୍ତ୍ତନ ହୋଇଛି । ଅଭିଯୋଗ ଅନୁଯାୟୀ ବଡବାପା କାହ୍ନୁ ଦାଣ୍ଡ ଅଳିଆକୁ ଚିତ୍ତଙ୍କ ଘର ଆଡକୁ ପକାଉଥିଲା । ଚିତ୍ତ ଏହାର ପ୍ରତିବାଦ କରିବାରୁ କାହ୍ନୁ, ପତ୍ନୀ ସତ୍ୟଭାମା, ପୁତ୍ର ସିଲୁ, ଝିଅ ଚିନ୍ମୟୀ ମିଳିତ ଭାବେ ମାରଣାସ୍ତ୍ର ସହାୟତାରେ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ଚିତ୍ତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭଦ୍ରକ ଓ ଶେଷରେ କଟକ ବଡଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଶନିବାର ଦିନ ୨ଟା ବେଳେ ଚିତ୍ତରଞ୍ଜନ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ କାହ୍ନୁଙ୍କ ପତ୍ନୀ ସତ୍ୟଭାମାଙ୍କ ଅଭିଯୋଗ ଆଧାରରେ ୧/୨୪ନଂ ମାମଲା ଚିତ୍ତ, ପତ୍ନୀ ପ୍ରମିଳା ଓ ପୁତ୍ର ଗୌରଙ୍କ ନାମରେ ଋଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.