Home ଜିଲ୍ଲା ପରିକ୍ରମା ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ମହୋତ୍ସବ ୧୧ ରୁ ଆରମ୍ଭ

ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ମହୋତ୍ସବ ୧୧ ରୁ ଆରମ୍ଭ

61

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନାଟ୍ୟ ପରମ୍ପରା ଖାଲି ପ୍ରାଚୀନ ନୁହେଁ, ସମୃଦ୍ଧ ଓ ଉଚ୍ଚାଙ୍ଗ । ଏ ମାଟି ହେଉଛି ବଂଶୀବଲ୍ଲଭ ଗୋସ୍ୱାମୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବସନ୍ତ ମହାପାତ୍ର, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବ କବି କୃଷ୍ଣପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ମାଟି । ଏ ମାଟିର ନାଟ୍ୟ ପରମ୍ପରାର ଗୌରବମୟ ଇତିହାସ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ବିଖ୍ୟାତ । ମାତ୍ର ଏହି ନାଟ୍ୟ ପରମ୍ପରା ଧୀରେ ଧୀରେ ମଳିନ ହୋଇଯାଉଛି । ଯାହାକୁ ଉଜ୍ଜୀବିତ କରିବା ଦିଗରେ ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରୟାସ ଜାରି ରଖିଛି । ଗତବର୍ଷ ଠାରୁ ମହୋତ୍ସବ ମାଧ୍ୟମରେ ଆରମ୍ଭ କରିଥିବାବେଳେ ଚଳିତବର୍ଷ ଏହି ମହୋତ୍ସବ ଆସନ୍ତା ୧୧ ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହେବ । ୧୧ ତାରିଖ ଦିନ ‘ଭସ୍ମାସୁର କଥା’ ନାଟକ ନଟରାଜ ଅନୁଷ୍ଠାନ ଦ୍ୱାରା ପରିବେଷଣ ହେଉଥିବାବେଳେ, ୧୨ ତାରିଖରେ ଭୁବନେଶ୍ୱରର ମନନ ଦ୍ୱାରା ‘ପାଷାଣ୍ଡ ପାଳଭୁତ’, ୧୩ ତାରିଖ ଦିନ ବାଲେଶ୍ୱରର କଳାକାର ସଂସ୍ଥା ଦ୍ୱାରା ‘କଳାମଲ୍ଲୀ’ ଓ ୧୪ ତାରିଖ ଉଦ୍‌ଯାପନୀ ଦିନ ପାରାଦ୍ୱୀପର କାନଭାସ ଦ୍ୱାରା ‘ମିଥ୍ୟାବାଦୀ ଜିନ୍ଦାବାଦ’ ନାଟକ ପରିବେଷଣ ହେବ । ଏବଂ ଏହିଦିନ ଓଡ଼ିଶା ନାଟ୍ୟ ପରମ୍ପରାରେ ଏକ ନୂତନ ପ୍ରୟାସ ସ୍ୱରୂପ ଆନନ୍ଦ ବଜାର ଶବ୍ଦବିଭା ଅନୁଷ୍ଠାନ ଆନନ୍ଦବଜାର ପକ୍ଷରୁ ସ୍ମୃତି ନାଟକ ‘ଅଳପ ବାକି’ ପରିବେଷଣ କରାଯିବ ବୋଲି ଆଜି ଏହି ସଂସ୍ଥାର ସଭାପତି ଡ. ସୁଧାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ ବାର୍ ଆସୋସିଏସନ୍‌ର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ନରେନ୍ଦ୍ର ପରିଡା, ଉପସଭାପତି ଶିବନାରାୟଣ ମହାନ୍ତି, ଅନୁଗ୍ରହ ଦୀକ୍ଷିତ, ଦେବବ୍ରତ ମହାନ୍ତି, ନିର୍ମଳ ପରିଡା, ପ୍ରଦୀପ ବାରିକ, କିରଣ ପଣ୍ଡା, ସୁବାଷ ମହାପାତ୍ର, ଗଜେନ୍ଦ୍ର ପାତ୍ର, ଭବେଶ ସାହୁ, ସୁମତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.