ଭଦ୍ରକ, ୨୭ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଧୀନ ବୁଡ଼ଙ୍ଗ (ରାଣୀପୁର) ଗ୍ରାମର ମୃତ ଚାଷୀ ବୃନ୍ଦାବନ ଭଟ୍ଟରାୟଙ୍କ ପରିବାରକୁ ସମବାୟ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ୫ଲକ୍ଷ ଟଙ୍କାର ବୀମା ରାଶି ବ୍ୟାଙ୍କ ଚେକ ଆକାରରେ ପ୍ରଦାନ କରାଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡି ଶାଖା ପରିସରରେ ମୃତ ଚାଷୀ ବୃନ୍ଦାବନଙ୍କ ପତ୍ନୀ ଶାନ୍ତିଲତାଙ୍କୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବୋର୍ଡ଼ ନିର୍ଦ୍ଦେଶକ ପ୍ରକାଶଜ୍ୟୋତି ମହାକୁଡ଼ ଏହି ବ୍ୟାଙ୍କ ଚେକ ପ୍ରଦାନ କରିଥିଲେ । ସମବାୟ ସମିତିରୁ ଋଣ ନେଉଥିବା ଚାଷୀମାନେ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କଲେ ବୀମା କରିଥିବା ଚାଷୀଙ୍କୁ ବ୍ୟାଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ସହାୟତା ମିଳିଥାଏ ବୋଲି ବୋର୍ଡ ନିର୍ଦ୍ଦେଶକ ଶ୍ରୀ ମହାକୁଡ଼ କହିଥିଲେ । ଏହି ଚେକ୍ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ବ୍ୟାଙ୍କ ତିହିଡି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ, ପାଳିଆବିନ୍ଧା ସମବାୟ ସମିତି ସଭାପତି ମିନତୀଲତା ଦାସ, ସମ୍ପାଦକ ସଞ୍ଜୟ କୁମାର ଦାସ, ଶ୍ୟାମସୁନ୍ଦରପୁର ସମିତି ସମ୍ପାଦକ କାଳନ୍ଦୀ ଚରଣ ଦାସ, ମଙ୍ଗଳପୁର ସମିତି ସମ୍ପାଦକ ଶଙ୍କର୍ଷଣ ଜେନା, ସମିତିର ବୋର୍ଡ ସଦସ୍ୟ ଅଶୋକ ଜେନା, ବିଜୟ ଜେନା, ନିର୍ମାଲ୍ୟ ଜେନାଙ୍କ ସମେତ ପ୍ରତାପ ବିଶ୍ୱାଳ, ପ୍ରତାପ ଜେନା, ମୃତ ଚାଷୀଙ୍କ ପୁତ୍ର ନିଶିକାନ୍ତ ଭଟ୍ଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଚାଷୀ ବୃନ୍ଦାବନ ପାଳିଆବିନ୍ଧା ସମବାୟ ସମିତିରୁ ଋଣ ନେଇ ବୀମାଭୁକ୍ତ ହୋଇଥିଲେ । ସେ ଗତ ୨୧.୧୦.୨୧ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ।