ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ରାଜସ୍ୱ ବିଭାଗ ଅଧିନରେ ଶହଶହ ଏକର ସରକାରୀ ଜମି ରହିଥିଲେ ସୁଦ୍ଧା ଏହା କୌଣସି ଜନହିତକର କାର୍ଯ୍ୟରେ ଲାଗିପାରୁନି । ଜବର ଦଖଲକାରୀଙ୍କ କବ୍ଜାରେ ଏହା ରହିଛି ଓ ଏହାକୁ ଉଚ୍ଛେଦ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ଉପେକ୍ଷା କରାଯାଉଥିବାର ଅଭିଯୋଗ ହେଉଛି । ଗତ ୨୦୧୭-୧୮ ମସିହାରେ ପୁରୁଷଣ୍ଢ ପଞ୍ଚାୟତରୁ ଅଲଗା ହୋଇ ବି.ଟି.ପୁର ପଞ୍ଚାୟତ ନୂତନ ଭାବେ ଗଠନ ହୋଇଥିଲା । ନୂତନ ସରପଞ୍ଚ ସୁଭଦ୍ରା ସିଂହ ନିର୍ବାଚିତ ହେବା ପରେ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ,ମାତ୍ର ସେପରି ସ୍ଥଳେ ଅନେକ ପଞ୍ଚାୟତ ଅଧିନସ୍ଥ ସରକାରୀ ଜମି ଗୁଡିକ ଜବର ଦଖଲରେ ରହିଛି । ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀଙ୍କ ସମେତ ସରପଞ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ,ମାତ୍ର ଦୀର୍ଘ ମାସ ବିତି ଯାଇଥିଲେ ସୁଦ୍ଧା ଏହା ଫଳପ୍ରଦ ନହେବାରୁ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ ।
ଏଠାରେ ଥିବା ଆଗରପଡ଼ା ମୁଖ୍ୟ ବଜାର ସଲଗ୍ନ ଖାତା ନଂ ୨୭୦ ଓ ପ୍ଲଟ ନଂ ୭୧୩ (୨୫ ଡିସିମିଲ) ସର୍ବ ସାଧାରଣ କିସମ ରାସ୍ତା ରହିଥିବା ବେଳେ ସ୍ଥାନୀୟ କୁପାରୀ ଛକରୁ ବି.ଟି.ପୁର ଗଡ଼ସାହି ଗ୍ରାମ ତାରିଣୀ ମନ୍ଦିର ନିକଟକୁ ସଂଯୋଗ କରୁଛି । ଏହି ରାସ୍ତାର ମୁଖ୍ୟ ଦ୍ୱାରର ଉଭୟ ପଟକୁ ଉଠା ଦୋକାନୀ କେବିନ୍ ପକାଇ ଅବରୋଧ କରି ରଖିଛନ୍ତି । ଫଳରେ ଗ୍ରାମବାସୀ ମାନେ ଚଳାଚଳ କରି ପାରୁନାହାଁନ୍ତି କି ୨ ପାଶ୍ୱର୍ ସ୍ଥାନରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ପଞ୍ଚାୟତ ତରଫରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଶୌଚାଳୟ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ବ୍ୟବହାର ଯୋଗ୍ୟ ହୋଇ ନପାରି ପଡ଼ି ରହିଛି । ଏହି ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ପ୍ରତିଷ୍ଠା ପାଇଁ ମଧ୍ୟ ଆକ୍ସନପ୍ଲାନ ପ୍ରସ୍ତୁତି କାର୍ଯ୍ୟ ସରିଛି ବୋଲି ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ କହିଛନ୍ତି । ପ୍ରକାଶଯେ ଭଦ୍ରକ,ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା ଅବସ୍ଥିତ । ସେପରି ସ୍ଥଳେ ଏଠାରେ ଯାତ୍ରୀ ବିଶ୍ରାମଗାର କିମ୍ବା ଶୌଚାଳୟ ନଥିବାରୁ ଲୋକେ ନାନା ହିନସ୍ତା ହୋଇ ଆସୁଛନ୍ତି ।