ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଗକୁ ଓଡ଼ିଶା ବିଧାନସଭା ନିର୍ବାଚନ,ତେଣୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳର ବାତା ବରଣ ସରଗରମ ହେଲାଣି । ବିଭିନ୍ନ ଦଳ ସଂଗଠନ ବୃଦ୍ଧି କରୁଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନେ ଲୋକ ସମ୍ପର୍କ ବଢାଇବା ସହ ଲବିକୁ ଜୋରଦାର୍ କଲେଣି । ଏହି ପରିପେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନଙ୍କ ନାଆଁ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି । ଭଦ୍ରକ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଲଗାତର ଭାବେ ହାଟ୍ରିକ୍ ବିଜୟଲାଭ କରି ଆସୁଛନ୍ତି । ପୂର୍ବରୁ ପିସିସି ସଭାପତି ତଥା କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀତା କରିଛନ୍ତି । ଏଥିପାଇଁ ଏହି ନିର୍ବାଚନ ମଣ୍ଡଳୀର ଗୁରୁତ୍ୱ ରହିଛି । ଆଗାମୀ ବିଧାନସଭା ନିର୍ବାଚନରେ ବିଶିଷ୍ଟ ନାଟ୍ୟକାର,ଅବସରପ୍ରାପ୍ତ ଅଧ୍ୟାପକ ଡ.ସୁଧାଂଶୁ ଶେଖର ନାୟକଙ୍କ ନାଆଁକୁ ନେଇ ପାନ ଚା ଦୋକାନରେ ଜୋରଦାର ଚର୍ଚ୍ଚା ଚାଲିଥିବାର ଶୁଣିବାକୁ ମିଳୁଛି । ସୁଧାଂଶୁଙ୍କୁ ବିଜେଡି ନେତା ମାନେ ଦଳୀୟ ବ୍ୟାପାରରୁ ଦୂରେଇ ରଖିବା ପରେ ଆଗାମୀ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ରାଜନିତୀରେ ପାଦ ଥାପିବା ପାଇଁ ସେ ଅଣ୍ଟା ଭିଡ଼ିଲେଣି । ତେବେ ସେ କେଉଁ ଦଳରେ ଯୋଗ ଦେବେ କିମ୍ବା ବାହାରୁ ରହି ନିର୍ଣ୍ଣାୟକ ଭୂମୀକା ଗ୍ରହଣ କରିବେ ତାହା ଅସ୍ପଷ୍ଟ ଥିଲେ ସୁଦ୍ଧା ବିଜେପି ପରି ଏକ ଜତୀୟ ଦଳରେ ଯୋଗ ଦେଇ ପ୍ରାର୍ଥୀ ହୋଇପାରନ୍ତି ବୋଲି ସୁଧାଂଶୁଙ୍କ ସମର୍ଥକ ମାନେ ଏବେ ଠାରୁ କୁାହା କୁହି ହେଲେଣି ।
ବିଜେପିର ଭୋଟହାର ଏଠାରେ କ୍ରମାଗତ ଭାବେ ବୃଦ୍ଧି ପାଉ ଥିବା ବେଳେ ଦଳ ବିଜୟୀ ଲାଭ ହେବା ଭଳି ନୂଆଁ ମୁହଁ ସନ୍ଧାନରେ ଅଛି । ସେଥିପାଇଁ ଦୃଢ ସଂଗଠକ ସୁଧାଂଶୁଙ୍କୁ ଦଳରେ ସାମିଲ କରାଯାଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମ୍ଭାବନାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସୁଧାଂଶୁଙ୍କ ଭେଟଘାଟକୁ ନେଇ ଅଧିକ ଖୋରାକ୍ ଯୋଗାଇଛି । ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ । ସେ ମଧ୍ୟ ପୁନର୍ବାର ଏଠାରୁ ପ୍ରାର୍ଥୀ ହେବା ଜଣାପଡିଛି । ହେଲେ ଇତି ମଧ୍ୟରେ ବିଭିନ୍ନ ପଞ୍ଚାୟତରୁ ବହୁ ଟାଣୁଆ ନେତା ନିରଞ୍ଜନ ମଲ୍ଲିକ,ବିଜୟ ଜେନା,ଲାଲା ସ୍ୱାଇଁ,ଭବେନ୍ଦ୍ର ସାହୁ ପରି ଆଗଧାଡ଼ିର ପଞ୍ଚାୟତ ସ୍ଥରୀୟ ନେତୃତ୍ତ୍ୱ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ପୂର୍ବପରି ଏହି ଦଳର ସଂଗଠନ ଆଉ ଏତେଟା ସୁଦୃଢ ଥିବା ପରି ମନେ ହେଉ ନାହିଁ । ଭଣ୍ଡରିପୋଖରୀ ବିଧାୟକଙ୍କ ସୁପୁତ୍ର ତଥା ବିଜେଡି ରାଜ୍ୟ ସମ୍ପାଦକ ଇଂ ପ୍ରୟାସକ୍ରାନ୍ତି ସାମଲ ଦଳୀୟ ପ୍ରାର୍ଥୀ ହେବା ନେଇ ଅଧିକ ସମ୍ଭାବନା ରହିଛି । ସେ ଏବେ ବିଧାୟକଙ୍କ ସ୍ଥାନରେ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରି କର୍ମୀ ମାନଙ୍କ ସହ ମିଶୁଛନ୍ତି । ତେବେ ଏଠାରେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ସୁଧାଂଶୁ କଣ୍ଟା ସାଜି ପାରନ୍ତି ବୋଲି ରାଜନୈତିକ ସମିକ୍ଷକ ମତାମତ ଦେଉଛନ୍ତି । ପୂର୍ବରୁ ସୁଧାଂଶୁ ଦୀର୍ଘ ବର୍ଷ ଧରି ବ୍ଲକ ବିଜେଡିର ସର୍ବେ ସର୍ବା ଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ସେ ସମିତିସଭ୍ୟ ପ୍ରାର୍ଥୀ ହୋଇ ବ୍ଲକ ଅଧ୍ୟକ୍ଷ ହେବେ ବୋଲି ଆଶା କରାଯାଉଥିଲା,ମାତ୍ର ତାଙ୍କୁ ଚକ୍ରାନ୍ତ କରି ହରାଇ ଦିଆଯାଇଥିବା ତାଙ୍କ ସମର୍ଥକ ମାନେ କହୁଛନ୍ତି । କିଛି ମାସ ପୂର୍ବେ ବିଜେଡି ର ଅନ୍ୟ ଏକ କାର୍ଯ୍ୟକ୍ରମ ଶଙ୍ଖ ମୋ ଗର୍ବ ସୁଧାଂଶୁ ଆୟୋଜନ କରି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକ୍ରାନ୍ତିଙ୍କ ବିରୋଧରେ ବିଷୋଦ୍ଗାର କରିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ସୁଧାଂଶୁ ଅଧ୍ୟାପକ ଥାଇ ଗୋଟି ଚାଳନା କରି ତାଙ୍କ ପତ୍ନୀ ରେବତୀ ନାୟକଙ୍କୁ ୨ଥର ୨୦୦୨ ଓ ୨୦୧୨ରେ ବ୍ଲକ ଅଧ୍ୟକ୍ଷ,ପରେ ସମିତି ସଭ୍ୟ ଏବଂ୨୦୧୭ରେ ଜିଲ୍ଲା ପରିଷଦ ସଭ୍ୟ କରିପାରିଥିଲେ । ବିଜେଡି ତାଙ୍କୁ ନିଲମ୍ବିତ କରିବା ପରେ ମଧ୍ୟ ତାଙ୍କର ସଂଖ୍ୟଧିକ ସମର୍ଥକ ଓ କର୍ମୀ ତାଙ୍କ ସହ ଯୋଗ ସୁତ୍ରରେ ରଖିଥିବାର ଜଣାପଡିଛି । ରାଜନିତୀ କ୍ଷେତ୍ରରେ ତାଙ୍କର ଦବ୍ଦବା ଅକ୍ଷୁର୍ଣ୍ଣ ରହିଥିବା ବେଳେ ଆଗାମୀ ନିର୍ବାଚନରେ ସୁଧାଂଶୁଙ୍କ ଭୂମୀକାକୁ ସମସ୍ତେ ଅପେକ୍ଷା କରିଛନ୍ତି ।