ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ରେ ହୋଇଥିବା ପଂଚାୟତ ସ୍ତରୀୟ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ଆଜି ଦିଗହରା ହୋଇ ପଡିଛି ।ଧାମରା ପଂଚାୟତ ଅଧିନସ୍ଥ ଧାମରା ବଜାର ଠାରେ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଧାମରା ବନ୍ଦର କମ୍ପାନୀ (ଆଦାନୀ)ର ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗ(ସିଏସଆର) ତରଫରୁ ହୋଇଥିଲା । ଏହି ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥା ହେବା ପରେ ଏହି ବତି ଖୁଂଟ ଗୁଡିକର ଆଲୋକରେ ଧାମରା ବଜାର ଆଲୋକୀକରଣ ହୋଇଥିଲା । ଏହାର ମରାମତି ଦାୟିତ୍ୱ ଧାମରା ବନ୍ଦର କମ୍ପାନୀ ହାତରେ ଥିବା ବେଳେ ଏହି ବତି ଖୁଂଟ ପାଇଁ ଖର୍ଚ ହେଉଥିବା ବିଦ୍ୟୁତ ବିଲ ଧାମରା ପଂଚାୟତ ଅଫିସ ପକ୍ଷରୁ ବହନ କରାଯାଇଥାଏ । ମାତ୍ର ଦୀର୍ଘ ଦିନ ହେବ ଧାମରା ବଜାର ଠାରେ ଥିବା ଉଜ୍ୱଳ ଆଲୋକୀକରଣ ବିଦ୍ୟୁତ ଖୁଂଟ ଗୁଡିକରେ ଅଧିକାଂଶ ବତି ଖରାପ ହୋଇ ଯାଇଛି । ଫଳରେ ବଜାରର ଅଧିକାଂଶ ସ୍ଥାନ ରେ ଅନ୍ଧାର ରାଜୁତି କରୁଛି । ଏହି ବତୀ ଖୁଂଟ ଗୁଡିକରେ ଅଚଳ ହୋଇଥିବା ବତୀ ଗୁଡିକ ମରାମତି ପାଇଁ ସର୍ବସାଧାରଣରେ ଦାବୀ ହେଉଥିବା ବେଳେ ଏହାକୁ କେହି ଗୁରୁତ୍ୱର ସହ ବିଚାରକୁ ନେଉ ନଥିବା ଜଣାଯାଇଛି । କେତେବେଳେ ପଂଚାୟତ ଅଧିକାରୀ କହୁଛନ୍ତି ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ) ଏହାକୁ ମରାମତି କରିବ ତ ଆଉ କେତେବେଳେ କହୁଛନ୍ତି ଏହାର ମରାମତି ଦାୟିତ୍ୱ ରାଜ୍ୟ ସରକାରଙ୍କର । ଦୀର୍ଘ ଦିନ ହେବ ଏହି ବତି ଖୁଂଟରେ ବତୀ ଗୁଡିକ ଖରାପ ହେବା ପରେ ଧାମରା ବଜାରରୁ ଚୋରୀ ମଧ୍ୟ ବଢି ବଢି ଚାଲିଛି । ତୁରନ୍ତ ଏହି ଖରାପ ଥିବା ବତୀ ଗୁଡିକ ବଦଳାଇ ଅତି ଉନ୍ନତ ମାନର ବତୀ ଲଗାଇବାକୁ ଅଂଚଳବାସୀ ନିଜର ଦାବୀ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଧାମରା ବନ୍ଦର( ଆଦାନୀ) ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଏହା ସମ୍ଭବ ହୋଇ ପାରି ନଥିଲା ।