Home ଜିଲ୍ଲା ପରିକ୍ରମା ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ହେଉନି, ଗଣଧାରଣା ପରେ ଶୁଣୁନି ତହସିଲ ପ୍ରଶାସନ,ଜିଲ୍ଲାପାଳଙ୍କୁ ଅଭିଯୋଗ...

ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ହେଉନି, ଗଣଧାରଣା ପରେ ଶୁଣୁନି ତହସିଲ ପ୍ରଶାସନ,ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ,ଗଣଧାରଣା ଚେତାବନୀ

33

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଣିଜୋ ରାଜସ୍ୱ ନିରିକ୍ଷକ ଅଧିନ ତେଲନଟି ଗ୍ରାମରେ ଥିବା ଚାରଣ ଭୂମି ଖାତା ନମ୍ବର ୨୯୦,୨୮୬ ପ୍ଲଟ ନମ୍ବର ୨୯୭,୨୮୬,୨୯୮କୁ କିଛି ଖଳ ପ୍ରକୃତିର ଲୋକେ ଜବର ଦଖଲ କରି ରଖିଛନ୍ତି । ଫଳରେ ଗ୍ରାମର ବହୁ ଗୃହ ପାଳିତ ପଶୁ ଗୋରୁ,ଗାଈ,ଛେଳି,ମେଣ୍ଡା ଓ ବତକ ଆଦି ଚରିବା ନେଇ ନା ନା ଅସୁବିଧା ଭୋଗ କରି ଆସୁଛନ୍ତି । ଏହାକୁ ଜବର ଦଖଲ ମୁକ୍ତ କରିବା ନେଇ ଗ୍ରାମବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ପରେ ବନ୍ତ ତହସିଲ ଓ ଆଗରପଡା ଥାନା ଅଧିକାରୀଙ୍କୁ ଏକାଧିକ ବାର ଅବଗତ କରାଇ ଅଣିଜୋ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦୁଇ ଥର ଗଣଧାରଣାରେ ବସିଥିଲେ । ସେତେବେଳେ ଜବର ଦଖଲ ଉଚ୍ଛେଦ ନେଇ ପ୍ରତିଶୃତି ଦିଆଯାଇଥିଲା,ହେଲେ କୌଣସି କିଛି ପ୍ରତିଶୃତି ପୂରଣ ନ ହେବାରୁ ଗତ ମାସ ୧୦ତାରିଖରେ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ବନ୍ତ ତହସିଲ ସମ୍ମୁଖରେ ଗଣଧାରଣା ଦେବା ସହ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।

ଓଡିଶା କୃଷକ ସଭାର ସଭାପତି ପ୍ରଭାସ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ତ୍ୱରେ ଏହି ଗଣଧାରଣା ଦିଆଯାଇଥିବା ବେଳେ ଏଥିରେ ନାରୀ ନେତ୍ରୀ ରୋଜାଲିନ ସାମ୍ୟବାଦୀ,ସିପିଆଇ(ଏମ୍‌)ଯୁବନେତା ପ୍ରତାପ ସେଠୀ,ସିଟ୍ଟୁ ନେତା ମହେଶ୍ୱର ନାୟକ,ଅଭିମନ୍ୟୁ ସେଠୀ,ଦାମୋଦର ଜେନା,ବଳରାମ ଜେନା,ଜାନକୀ ସେଠୀ,କନକ ଜେନା,ମାଳତି ଜେନା,ହରପ୍ରିୟା ଜେନା,ନାରାୟଣ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଯଥାଶୀଘ୍ର ଜବର ଦଖଲ ମୁକ୍ତ ନେଇ ପ୍ରତିବାଦ କରିଥିଲେ । ସେତେବେଳେ ବନ୍ତ ତହସିଲ ପକ୍ଷରୁ ଭଦ୍ରକ ଆରକ୍ଷି ଅଧିକ୍ଷକ,ପୂର୍ତ୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଏବଂ ଆଗରପଡା ଥାନାକୁ ଲିଖିତ ଅବଗତ କରାଯାଇ ଚଳିତ ମାସ ୧୪ତାରିଖରେ ଜବର ଦଖଲ ଉଚ୍ଛେଦ କରିବା ନେଇ ପ୍ରତିଶୃତି ଦେବା ପରେ ଏହି ଗଣଧାରଣା ପ୍ରତ୍ୟାହୁତ ହୋଇଥିଲା । ତେବେ ଏହି ଗଣଧାରଣାକୁ ଦେଢମାସ ପୁରିବାକୁ ଯାଉଥିବା ବେଳେ ବିଭାଗ ପକ୍ଷରୁ ମାପ ଚୁପ କରାଯାଉ ନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପକ୍ଷରେ ଗତ ସୋମବାର ବନ୍ତରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ପୂର୍ନବାର ଗ୍ରାମର ବଳଭଦ୍ର ଜେନା,ବାବାଜି ସେଠୀ,ଯୁଧିଷ୍ଟିର ବାରିକ,ଗୋପିନାଥ ନାୟକ,ନିତ୍ୟାନନ୍ଦ ଦାସ,ଜାନକୀ ସେଠୀ,ମାଳତି ଯେନା,କନକଲତା ଯେନାଙ୍କ ନେତୃତ୍ତ୍ୱରେ ଅଭିଯୋଗ କରାଯାଇଛି । ତେବେ ତୁରନ୍ତ ଚାରଣ ଭୂମି ଜବର ଦଖଲ ମୁକ୍ତ ନହେଲେ ଆସନ୍ତା ମାସ ୬ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀ ମାନେ ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.