Home ଜିଲ୍ଲା ପରିକ୍ରମା ଜିଲା ସଂସ୍କୃତି କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି, ଅତିରିକ୍ତ ଜିଲାପାଳଙ୍କୁ ଭେଟିଲେ ଜିଲା କଳାକାର...

ଜିଲା ସଂସ୍କୃତି କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି, ଅତିରିକ୍ତ ଜିଲାପାଳଙ୍କୁ ଭେଟିଲେ ଜିଲା କଳାକାର ସଂଘର କର୍ମକର୍ତ୍ତା

27

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଚାଲିଥିବା ଅନିୟମିତତା ଓ ଅବ୍ୟବସ୍ଥା ସଂପର୍କରେ ବାରମ୍ବାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପ୍ରଶାସନିକ ନୀରବତା କଳାକାରମାନଙ୍କୁ ମର୍ମାହତ କରିଛି । ଜିଲା ସଂସ୍କୃତି ଅଧିକାରିଣୀଙ୍କ ଏକଛତ୍ରବାଦ କାରବାରର ପ୍ରତିବାଦ କରି ଜିଲା କଳାକାର ସଂଘର କର୍ମକର୍ତ୍ତାମାନେ ଆଜି ପୁଣି ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି । ସଂସ୍କୃତି କାର୍ଯ୍ୟାଳୟରେ ଚାଲିଥିବା ଅରାଜକତା ଓ ପ୍ରଶାସନିକ ଅବ୍ୟବସ୍ଥା ସଂପର୍କରେ ଜିଲା କଳାକାର ସଂଘର ଉପସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ଦୀର୍ଘଦିନ ଧରି କଳାକାର ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଭତ୍ତା ଅର୍ଥ ନଯିବା ଓ କେତେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨ ଶହ ଟଙ୍କା ଭତ୍ତା ଅର୍ଥ ପରିବର୍ତ୍ତେ ଅଧିକ ୪୮ ଶହ ଟଙ୍କା ପ୍ରଦାନ କରାଯିବା ଘଟଣା ସରକାରୀ ଅର୍ଥ ହେରଫେରର ସନ୍ଦେହ ସୃଷ୍ଟି କରୁଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲା କଳାକାର ସଂଘର ଉପସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ତଥ୍ୟ ଅନୁଯାୟୀ ଜଣାପଡିଛି ଯେ ୧୨ ଜଣ ହିତାଧିକାରୀଙ୍କ ଖାତାକୁ ୧୨ ଶହ ଟଙ୍କା ପରିବର୍ତ୍ତେ ୪୮ ଶହ ଟଙ୍କା ଦିଆଯାଇଛି । ଏହି ବଳକା ଅର୍ଥରାଶି ଗତ ଅକ୍ଟୋବର ୨୦୨୨ ମସିହାରେ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ସଂସ୍କୃତି ଅଧିକାରିଣୀ ଜଣକ ହିତାଧିକାରୀମାନଙ୍କୁ ଫୋନ୍ ଯୋଗେ ଓ ଜଣେ ଅଫିସ୍‌ରେ ବେସରକାରୀ ଭାବେ କାମ କରୁଥିବା ଜଣେ କଳାକାରଙ୍କ ଜରିଆରେ ବଳକା ଅର୍ଥ ଫେରସ୍ତ ପାଇଁ ହିତାଧିକାରୀମାନଙ୍କୁ ଜଣାଇଥିଲେ । ଅର୍ଥ ଫେରସ୍ତ ନଦେଲେ ଭତ୍ତା ବନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ । ସଂସ୍କୃତି ଅଧିକାରିଣୀଙ୍କ କଥା ମାନି ନିରୀହ କଳାକାରମାନେ ଏକ ଲିଖିତ ଦରଖାସ୍ତ ମୂଳେ ଅର୍ଥ ଫେରସ୍ତ କରିଥିଲେ । ତେବେ ସନ୍ଦେହ ସୃଷ୍ଟି ହେବାରୁ ସୂଚନା ଅଧିକାର ଆଇନ୍ ବଳରେ ମନି ରସିଦ୍ ଓ ଫେରସ୍ତ ସଂଗୃହିତ ଅର୍ଥରାଶି କେଉଁ ତହବିଲରେ ଦାଖଲ ହେଲା ତାହାର ତଥ୍ୟ ମଗାଯାଇଥିଲା ।

ତେବେ ପ୍ରଦତ୍ତ ବିଭାଗୀୟ ଦିଆଯାଇଥିବା ତଥ୍ୟରେ ସନ୍ତୋଷ ଜନକ ଉତ୍ତର ମିଳିବା ପରିବର୍ତ୍ତେ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୩ ଅଗଷ୍ଟ ମାସରେ ଫେରସ୍ତ ଅର୍ଥ ଏକ ସାଧା ରସିଦ୍‌ରେ ପ୍ରଦାନ କରିଛନ୍ତି । ତେବେ ଜିଲାରେ ଭତ୍ତା ପାଉଥିବା ୧୭୪୦ ଜଣ ହିତାଧିକାରୀଙ୍କ ଭତ୍ତା ଅର୍ଥରେ ଘୋଟାଲା ହୋଇଥିବାର କଳାକାର ସଂଘ ପକ୍ଷରୁ ଅବଗତ କରାଯାଇଛି । ଅପରପକ୍ଷରେ ଅତିରିକ୍ତ ଜିଲାପାଳ ଏହି ଅଭିଯୋଗ ସଂପର୍କରେ କଳାକାରମାନଙ୍କୁ ଉଚିତ୍ ନ୍ୟାୟ ମିଳିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ପକ୍ଷରୁ ଉପସଭାପତି ଶ୍ରୀ ବେହେରାଙ୍କ ସମେତ ବିଭିନ୍ନ ବ୍ଲକ୍‌ରୁ ଆସିଥିବା କଳାକାରଙ୍କ ମଧ୍ୟରୁ ସନାତନ ପୁରୀ, ବୃନ୍ଦାବନ ସେଠୀ, ବଳରାମ ବାରିକ, ସୁବାଷ ଚନ୍ଦ୍ର ମଲ୍ଲିକ, କାଳନ୍ଦୀ ଜେନା, ଉମାକାନ୍ତ ହୋତା, ନାରାୟଣ ବାରିକ, ମାମିନା ବେହେରା, କାଳୀଚରଣ ସାହୁ, ପ୍ରଶାନ୍ତ ବେହେରା, ସୁଦାମ ସାହୁ, ରମେଶ ମହାନ୍ତି, ଅରବିନ୍ଦ ବାରିକ, ରବନ୍ଦ୍ର ବାରିକ, ସୁବାଷ ବଳ, ଚିନ୍ତାମଣି ନାୟକ, ରବିନ୍ଦ୍ର ପାତ୍ର ପ୍ରମୁଖ ସଂସ୍କୃତ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଆସନ୍ତା ଦିନରେ ସମସ୍ୟାର ସମାଧାନ ନହେଲେ ଜିଲାରେ ଥିବା କଳାକାରମାନେ ଏହାର ପ୍ରତିବାଦ କରି ଧାରଣାରେ ବସିବେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରକାଶଯୋଗ୍ୟ ରାଜ୍ୟ ସରକାର ଲୋକକଳାର ପୁନରୁଦ୍ଧାର, ସଂରକ୍ଷଣ ଓ ଲୋକ କଳାକାରମାନଙ୍କୁ ଜୀବିକା ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲା ନଗର ଓ ବ୍ଲକ୍ ସ୍ତରରେ ବିଭିନ୍ନ ସଂସ୍କୃତି ସଂଘମାନ ଗଠନ କରାଯାଇଛି । ଯେଉଁଠାରେ ଉପସଭାପତିମାନଙ୍କ ପ୍ରମୁଖ ଭୂମିକା ଥାଏ । କିନ୍ତୁ ପରିତାପର ବିଷୟ ସଂସ୍କୃତି ଅଧିକାରିଣୀ ଜଣକ ୭ଟି ବ୍ଲକ୍‌ରେ ଥିବା ଉପସଭାପତିମାନଙ୍କୁ କୌଣସି ସୂଚନା ନଜଣାଇ ବିଭିନ୍ନ କାର୍ଯ୍ୟ ମନମୁଖୀ ଭାବେ କରିଆସୁଛନ୍ତି । ବର୍ତ୍ତମାନ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଦୁଇ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲାକୁ ଚିଠି ଆସିଥିବାବେଳେ ଅଧିକାରିଣୀ ଜଣକ କୌଣସି ଉପସଭାପତିଙ୍କୁ ନଜଣାଇ ଅନ୍ଧାରରେ ରଖିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସବୁ କାର୍ଯ୍ୟକ୍ରମରେ ଜିଲା ଉପସଭାପତିଙ୍କ ଭୂମିକା ରହିଥିବାବେଳେ ଜିଲା ସଂସ୍କୃତି ଅଧିକାରିଣୀ ତାଙ୍କୁ ଉପେକ୍ଷା କରିଚାଲିଛନ୍ତି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.