Home ଜିଲ୍ଲା ପରିକ୍ରମା ଜିଲା ଜଜ୍‌କୋର୍ଟ ପରିସରରେ ଶିଶୁ କଲ୍ୟାଣ ଓ ସୁରକ୍ଷା କେନ୍ଦ୍ର ଗୃହ ଉଦ୍‌ଘାଟିତ

ଜିଲା ଜଜ୍‌କୋର୍ଟ ପରିସରରେ ଶିଶୁ କଲ୍ୟାଣ ଓ ସୁରକ୍ଷା କେନ୍ଦ୍ର ଗୃହ ଉଦ୍‌ଘାଟିତ

24

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ଧନ, ଜୀବନ, ସଂପତ୍ତି, ସଂପର୍କ ଜନିତ ନ୍ୟାୟ ପାଇବା ପାଇଁ କୋର୍ଟ ପରିସରକୁ ଆସୁଥିବା ମା’ ମାନେ ସାଙ୍ଗରେ ଆଣିଥିବା ଛୋଟ ପିଲାମାନଙ୍କ ଆଶ୍ରୟ ସୁରକ୍ଷା ପାଇଁ ଭଦ୍ରକ ଜିଲା ନଳାଙ୍ଗସ୍ଥିତ କୋର୍ଟ ପରିସରରେ ଆଜି ଓଡ଼ିଶା ମାଟିର ପ୍ରଥମ ଶିଶୁକଲ୍ୟାଣ ଓ ସୁରକ୍ଷା କେନ୍ଦ୍ର ଗୃହ ମାନ୍ୟବର ଜିଲାଜଜ୍ ପ୍ରଦ୍ୟୁମ୍ନ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଆଜାଦିର ୭୬ ବର୍ଷ ପରେ ମାନବିକ ସମବେଦନା ଜଣାଇବା ପାଇଁ ମାନବିକ ଅଧିକାର ସୁରକ୍ଷା ତଥା ନ୍ୟାୟାଳୟରେ ସାମ୍ବିଧାନିକ ଅଧିକାରକୁ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ମା’ ଓ ଶିଶୁ କଲ୍ୟାଣ ନିମନ୍ତେ ଆଇନ୍‌ଜୀବୀ ଓ ବିଚାରପତିମାନେ ପ୍ରଥମକରି ଏହିଭଳି ଏକ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଭଦ୍ରକ ଜିଲାର ପୁରୁଣା କୋର୍ଟ ପରିସରରେ ବିଭିନ୍ନ ମକଦ୍ଦମା ଜନିତ ନ୍ୟାୟ ପାଇଁ ଅଦାଲତକୁ ଆସୁଥିବା ମହିଳାମାନେ ସାଙ୍ଗରେ ଆଣୁଥିବା ଛୋଟ ଛୋଟ ପିଲାମାନଙ୍କୁ ଆଶ୍ରୟ ଦେବା ସହ କ୍ଷୀର ପିଆଇବା କ୍ଷେତ୍ରରେ ପିଣ୍ଢା ଅବା ଦୋକାନ ଚାଳିଆକୁ ଆଦରିଥାନ୍ତି । ଏଣୁ ଏହି କୋର୍ଟ ନଳାଙ୍ଗକୁ ସ୍ଥାନାନ୍ତର ହେବା ପରେ ଏହା ନିକଟରେ କୌଣସି ଆଶ୍ରୟସ୍ଥଳୀ ନଥିବାରୁ ମାନବୀୟ ମୂଲ୍ୟବୋଧକୁ ଆଖି ଆଗରେ ରଖି ଭଦ୍ରକ ବାର୍ ଆସୋସିଏସନ୍ ଓ ଜିଲା ଜଜ୍‌ଙ୍କ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଥିଲା ।

ଫଳରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ରାଶିରେ ଏହି ନୂତନ କୋର୍ଟ ପରିସରରେ ଏକ ମହଲାରେ ଥିବା ଏକ ଗୃହରେ ସୋଫା, ଚେୟାର, ଶିଶୁମାନଙ୍କ ପାଇଁ ଖେଳନା, ଟିଭି, କମ୍ପ୍ୟୁଟର, ଖାଦ୍ୟପେୟ, ପିଇବା ପାଣି ଓ ସ୍ତନ୍ୟପାନ ପାଇଁ ଏକ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି । ଏହି ଗୃହ ଉଦ୍‌ଘାଟନ ସମୟରେ ବାର୍ ଆସୋସିଏସନ୍‌ର ସଭାପତି ନିରାକାର ଜେନା, ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ, ଅତିରିକ୍ତ ଜିଲା ଜଜ୍ ଆଶିଷ ତ୍ରିପାଠୀ, ମୁକ୍ତିକାନ୍ତ ଶତପଥୀ, ମିନତୀ ପଣ୍ଡା,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଗୌରି ଶଙ୍କର ରାମ, ସହ ସଂପାଦକ ନିକୁଞ୍ଜ ପୁହାଣ, କୋଷାଧ୍ୟକ୍ଷ କିଶୋର ବଳ, ସିଜେଏମ୍ ମଂଜୁଲତା ପାଣି, ସବ୍‌ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ, ମୁନସଫ ଏସ. ନିଲୋଫର, ଅତିରିକ୍ତ ବିରଷ୍ଠ ଦେୱାନୀ ଜଜ୍ ଶର୍ମିଷ୍ଠା ଦାସ, ବରିଷ୍ଠ ଦେୱାନୀ ଜଜ୍ ସୌମ୍ୟପ୍ରଭା ଆଚାର୍ଯ୍ୟ, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ସସ୍ମିତା ନନ୍ଦିନୀ ତ୍ରିପାଠୀ, ପୋସ୍କୋ ଆଇନ୍‌ର ଜଜ୍ ତଥା ସହକାରୀ ଅତିରିକ୍ତ ଜିଲାଜଜ୍ ମୁକ୍ତିରଂଜନ ଶତପଥୀ, ପ୍ରଣତି ପଟେଲ, ପ୍ରଜ୍ଞା ମହାନ୍ତି, ଜି.ଏସ୍‌. ବାଗ୍‌, କୋର୍ଟ ମ୍ୟାନେଜର, ବାର ଆସୋସିଏସନ୍ ଉପସଭାପତି ମନୋରଂଜନ ଦାଶ, ଆଇନ୍ ପ୍ରାଧିକରଣ ସେବା ଅଧିକାରୀ ନେହା ଅଗ୍ରୱାଲ, ରେଜିଷ୍ଟ୍ରାର ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ, ପରିବାର ଅଦାଲତର ବିଚାରପତି ପ୍ରଜ୍ଞା ପରମିତା ରାଉଳ, ସରକାରୀ ଓକିଲ ଅତିଶ ବେହେରାଙ୍କ ସମେତ ବହୁ ଆଇନ୍‌ଜୀବୀ, କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗୃହରେ ଆସିଥିବା ମହିଳା ମହକିଲମାନଙ୍କର ୩ ଗୋଟି ବାଳକ ବାଳିକା ଅନିତା ପଲେଇ, କବିତା ନାୟକ, ସରିତା ତ୍ରିପାଠୀ ଓ ଅଭୟ ବେହେରା ଉପସ୍ଥିତ ଥିଲେ । ଏହି ଶିଶୁ ମଙ୍ଗଳ କେନ୍ଦ୍ର ଗୃହର ଶିଶୁମାନଙ୍କ ସେବାଯତ୍ନ ନେବା ପାଇଁ ଜଣେ ଆଦର୍ଶ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା କୋର୍ଟକୁ ଆସୁଥିବା ଶିଶୁ ଓ ମହିଳାଙ୍କ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବାର୍ ଆସୋସିଏସନ୍ ସଭାପତି ନିରାକାର ଜେନା ଓ ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.