Home ଜିଲ୍ଲା ପରିକ୍ରମା ଜିଲ୍ଳା ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ରାୟ, ୩ ଶିକ୍ଷାନୁଷ୍ଠାନ ଉପରେ ୨ ଲକ୍ଷ ଟଙ୍କା...

ଜିଲ୍ଳା ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ରାୟ, ୩ ଶିକ୍ଷାନୁଷ୍ଠାନ ଉପରେ ୨ ଲକ୍ଷ ଟଙ୍କା ଅର୍ଥ ଦଣ୍ଡାଦେଶ ଓ ପ୍ରମାଣପତ୍ର ପ୍ରଦାନ ଲାଗି ଆଦେଶ, ବିଇଡି ପ୍ରମାଣ ପତ୍ର ନଥିବାରୁ ୨ଟି ସରକାରୀ ନିଯୁକ୍ତିରୁ ବଂଚିତ ହେଲେ କବିତା

17

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ବେପରୁଆ କାର୍ଯ୍ୟଧାରା ଯୋଗୁଁ ଜଣେ ମେଧାବୀ ଛାତ୍ରୀ ସରକାରୀ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ନିଯୁକ୍ତିରୁ ବଂଚିତା ଛାତ୍ରୀ ଭଦ୍ରକ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଆଶ୍ରୟ ନେଇଥିଲେ । ଏହି ମାମଲାରେ ଆୟୋଗ ୩ଟି ଶିକ୍ଷାନୁଷ୍ଠାନକୁ ୨ଲକ୍ଷ ୩ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପ୍ରଦାନ କରିବା ସହ ଛାତ୍ରୀଙ୍କୁ ତାଙ୍କ ବିଇଡି ପ୍ରମାଣପତ୍ର ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ପ୍ରକାଶ ଯେ: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅନ୍ତର୍ଗତ ଭବାନୀବିନ୍ଧା ଗାଁର କୈଳାସ ଚନ୍ଦ୍ର ଗିରିଙ୍କ ଝିଅ କବିତାରାଣୀ ଗିରି ଗତ ୨୦୧୮-୧୯-୨୦ଶିକ୍ଷାବର୍ଷରେ ବିଇଡି ଡିଗ୍ରୀ ହାସଲ ଲାଗି ଭଦ୍ରକ ସହରାଚଂଳ ଜଗନ୍ନାଥପୁର ସ୍ଥିତ ସ୍ୱର୍ଣ୍ଣଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭ୍ ଏଣ୍ଡ ବିଏଡ୍ ରେ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହି କୋର୍ସ ପାଇଁ ଇନଷ୍ଟିଚ୍ୟୁଟ୍ ର ମାଲିକ ଦୁର୍ଯ୍ୟୋଧନ ନାୟକ ନାମଲେଖା ପୂର୍ବରୁ ୬୫ହଜାର ଟଙ୍କା ଦେବାକୁ କହି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭରସିଟି(ଆନ୍ଧ୍ରପ୍ରଦେଶ)ଅଧିନରେ ପରୀକ୍ଷା ଦେବାକୁ କହିଥିଲେ । ତେବେ ନାମଲେଖା ବେଳେ ୭୮ହଜାର ଟଙ୍କା ଦାବି କରିବା ସହ ଆନ୍ଧ୍ରପ୍ରଦେଶର ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଅଧିନରେ ପରୀକ୍ଷା ଦେବାକୁ କହିଥିଲେ । କବିତା ଏଥିରେ ଅରାଜି ହୋଇଥିଲେ । ତେବେ ଜଗନ୍ନାଥପୁର ସ୍ଥିତ ଅନ୍ୟଏକ ଶିକ୍ଷାନୁଷ୍ଠାନ ଆରିହାଣ୍ଟ୍ ଏକାଡେମୀର ମାଲିକ ସୁରେଶ କୁମାର ସ୍ୱାଇଁଙ୍କ ପରାମର୍ଶକ୍ରମେ ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଅଧିନରେ ସିଦ୍ଧାର୍ଥ କଲେଜ ଅଫ୍ ଏଜୁକେଶସନରେ ବିଇଡି ପରୀକ୍ଷା ଦେବାକୁ ରାଜି ହୋଇ ନାମ ଲେଖାଇଥିଲେ ।

କବିତା ଉକ୍ତ କୋର୍ସ ଅବଧି ସରିବା ପରେ ସମସ୍ତ ପରୀକ୍ଷା ଦେଇ ମଧ୍ୟ ତାଙ୍କ ବିଇଡି ପ୍ରମାଣ ପତ୍ର ପାଇନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା : କବିତା ଦୁଇ ଦୁଇ ଥର ସରକାରୀ ଶିକ୍ଷକତା ଲାଗି ଓଏସ୍‌ଏସ୍‌ଟିଇଟି ଓ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ବି ତାଙ୍କର ଭେରିଫିକେଶସନ ବେଳେ ବିଇଡି ପ୍ରମାଣପତ୍ର ନଥିବାରୁ ଏହି ନିଶ୍ଚିତ ନିଯୁକ୍ତିରୁ ବଂଚିତ ହୋଇଥିଲେ । ବହୁବାର ତାଙ୍କ ବିଇଡି ପ୍ରମାଣପତ୍ର ପାଇଁ କବିତା ନିବେଦନ, ଆବେଦନ କରିଥିଲେ ବି କର୍ତୃପକ୍ଷ ତାଙ୍କ ବିଇଡି ପ୍ରମାଣପତ୍ର ଦେଇନଥିଲେ । ମୁଖ୍ୟକଥା ହେଲା, କବିତା ତାଙ୍କ ପ୍ରାକ୍ଟିକାଲ ବିଇଡି ପରୀକ୍ଷା(ଇଂଲିସ୍ ଓ ସାମାଜିକ ବିଜ୍ଞାନ)ର କପିକୁ ଏହି ୩ଟି ଅନୁଷ୍ଠାନର ଅବହେଳାରୁ ହଜି ଯାଇଥିବାରୁ ବିଇଡି ପ୍ରମାଣ ପତ୍ର ସେ ପାଇପାରିନଥିଲେ । ଏପରିକି କବିତାର ପିତା କୈଳାସ ତାଙ୍କ ଝିଅର ବିବାହ ପାଇଁ ରଖିଥିବା ଟଙ୍କା ଝିଅର ପାଠ ପଢ଼ାରେ ଖର୍ଚ୍ଚ କରିଥିଲେ । ଆଶା ଥିଲା ଝିଅ ବିଇଡ଼ି କଲାପରେ ସରାକରୀ ଚାକିରିଟିଏ ପାଇଗଲେ ବିବାହଟି ସୁରୁଖୁରୁରେ ହୋଇଯିବ । ସେ ମଧ୍ୟ ଝିଅ ପ୍ରତାରଣାର ଶିକାର ହେବା ନେଇ ମର୍ମାହତ । ଶେଷରେ କବିତା ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଏକ ମାମଲା(ନଂ-ସିଡି କେଶ ନଂ-୫୧/୨୦୨୩)ରୁଜୁ କରିଥିଲେ ।

ଆୟୋଗଙ୍କ ପକ୍ଷରୁ ଏହି ମାମଲାରେ ସ୍ୱର୍ଣ୍ଣଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭ୍ ଏଣ୍ଡ ବିଏଡ ର ମାଲିକ ଦୁର୍ଯ୍ୟୋଧନ ନାୟକ(ବାପୁନ), ଅରିହଣ୍ଟଏକାଡେମୀର ମାଲିକ ସୁରେଶ କୁମାର ସ୍ୱାଇଁ, ରେଜିଷ୍ଟାର, ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି ଓ ସିଦ୍ଧାର୍ଥ କଲେଜ ଅଫ୍ ଏଡୁକେଶସନ ୪ଜଣ କର୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଏହି ମାମଲାକୁ କବିତା ନିଜେ ପରିଚାଳନା କରୁଥିବା ବେଳେ ଅନ୍ୟମାନେ ସେମାନଙ୍କ ଓକିଲ ନିଯୁକ୍ତ କରିଥିଲେ । ଏହି ମାମଲାର ବିଚାର କରି ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ର ସଭାପତି ଶିବପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ତାଙ୍କ ରାୟରେ ଆଦେଶରେ ୧ମ ପକ୍ଷ ସ୍ୱର୍ଣ୍ଣଲକ୍ଷୀ ଇନଷ୍ଟିଚ୍ୟୁଟ୍ ମାଲିକ ଦୁର୍ଯ୍ୟୋଧନ ନାୟକ(ବାପୁନ), ୩ୟ ପକ୍ଷ ଅରିହନତ୍ ଏକାଡେମୀ ମାଲିକ ସୁରେଶ କୁମାର ସ୍ୱାଇ ଓ ସିଦ୍ଧାର୍ଥ କଲେଜ ଅଫ୍ ଏଡୁକେଶନଙ୍କୁ ଦୋଷୀ ସାବ୍ୟସ୍ତ କରି ଛାତ୍ରୀ କବିତାଙ୍କୁ ୧ଲକ୍ଷ ୮୩ହଜାର ଟଙ୍କା ଓ ମାନସିକ ନିର୍ଯାତନା ବାବଦକୁ ୨୦ହଜାର ଟଙ୍କାକୁ ମିଶାଇ ମୋଟ ୨ଲକ୍ଷ ୩ହଜାର ୩୦ଦିନ ମଧ୍ୟରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ଏହି ଅର୍ଥ ୩୦ଦିନ ମଧ୍ୟରେ ପୈଠ ନକଲେ ୬ପ୍ରତିଶତ ସୁଧ ହାରରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ଏଥିସହ ବିକ୍ରମ ସୀମ୍ମାପୁରୀ ୟୁନିଭରସିଟି କର୍ତୃପକ୍ଷଙ୍କୁ ଏକ ସ୍ପେଶାଲ ନୋଟିଫିକେସନ ମାଧ୍ୟମରେ କବିତାଙ୍କ ହଜି ଯାଇଥିବା ପ୍ରାକ୍ଟିକାଲ କପି ଲାଗି ପରୀକ୍ଷା କରି ତାଙ୍କୁ ୬୦ଦିନ ମଧ୍ୟରେ ବିଇଡି ପ୍ରମାଣ ପତ୍ର ପ୍ରଦାନ କରିବାକୁ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.