Home ଜିଲ୍ଲା ପରିକ୍ରମା ବନ୍ୟା ପରେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି, କ୍ଷୟକ୍ଷତି, ଚାଷଜମିର ହିସାବ ସରିନି

ବନ୍ୟା ପରେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି, କ୍ଷୟକ୍ଷତି, ଚାଷଜମିର ହିସାବ ସରିନି

31

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ତାର ଶାଖା କୋଚିଳା ଏବଂ ଗେଙ୍ଗୁଟି ନଦୀର ବନ୍ୟାଜଳ କମିଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଚଳିତବର୍ଷ ଏହି ପ୍ରଳୟଙ୍କରୀ ବନ୍ୟାରେ ଏହି ଜିଲାର ଧାମନଗର ବ୍ଲକ୍‌ର ମୋଟ ୩୧ ଗୋଟି ପଂଚାୟତ ମଧ୍ୟରୁ ୨୫ ଟି ପଞ୍ଚାୟତ ସଂପୂର୍ଣ୍ଣ ଏବଂ ରାଧାବଲ୍ଲଭପୁର ପଂଚାୟତରେ କେବଳ ଷୋଳଗାଁକୁ ମିଶାଇ ୧୦୮ଟି ରାଜସ୍ୱ ଗ୍ରାମ ବନ୍ୟା ପ୍ଲାବିତ ହୋଇଛି । ଏବଂ ଏହି ବନ୍ୟାରେ ୧ ଲକ୍ଷ ୫୦ ହଜାର ୮୫୭ ଜଣ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଅନୁରୂପ ବନ୍ୟାରେ ଭାସିଯାଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ହେଲେ ବନ୍ୟାରେ କେତେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି, ସେ ସଂପର୍କରେ ଧାମନଗର କୃଷି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ ‘ତାଙ୍କର ହିସାବ ଚାଲିଛି, ସରିଲେ ଜଣାଇବେ’ ବୋଲି କହିଛନ୍ତି । ବନ୍ୟା ଛାଡିବାର ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ବଢିବାରେ ଲାଗିଛି ସିନା, କମୁନାହିଁ । ବହୁ ଝାଟି ମାଟି ଘର, ଗୁହାଳ ଘରେ ବନ୍ୟା ପାଣି ପଶି ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି ।

ଭାଙ୍ଗିନଥିବା ଘରେ ମଧ୍ୟ ପାଣି ପଶି ସନ୍ତସନ୍ତିଆ ରହିବା କାରଣରୁ ତାହା ବସବାସ କରିବା ଦୁର୍ବିସହ ହୋଇପଡିଛି । ଏଣୁ ବାଧ୍ୟହୋଇ ଲୋକେ ଘରେ ଖଟ, ପଲଙ୍କ ଓ ଭାଡି ମାରି ବସବାସ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଗୁହାଳ ସମସ୍ୟା ପାଇଁ ବହୁ ଜାଗାରେ ଲୋକେ ଖୋଲା ଆକାଶ ତଳେ ଗାଈଗୋରୁ ବାନ୍ଧୁଛନ୍ତି । ବନ୍ୟାଞ୍ଚଳରେ ଗୋଖାଦ୍ୟ ସମସ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିଛି । ଏହି ବନ୍ୟାରେ ବ୍ଲକ୍‌ରେ କେତେକ ମୁଖ୍ୟ ରାସ୍ତା ଓ ବହୁ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ଗମନାଗମନ କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବାବେଳେ ତୁରନ୍ତ ରାସ୍ତା ସମସ୍ୟା ମରାମତି କରିବା ପାଇଁ ଦାବି ହୋଇଛି । ଚଳିତମାସ ୨ ତାରିଖ ଧାମନଗର ଅଂଚଳରେ ବନ୍ୟା ମାଡିବା ଆରମ୍ଭ ହୋଇଥିଲା । ଲୋକେ ଜଳବନ୍ଦୀ ଭାବେ ରହିଥିବାବେଳେ ୨ ଦିନ ପରେ ରାଜସ୍ୱ ମନ୍ତ୍ରୀ ଧାମନଗର ବନ୍ୟାଞ୍ଚଳ ବୁଲି ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ସେହି ସମୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସାକ୍ଷାତକାରରେ କହିଥିଲେ ମୁଖ୍ୟମନ୍ତ୍ରୀ ଏବଂ ରିଲିଫ୍ କମିଶନରଙ୍କ ସହ ଆଲୋଚନା କରି ବନ୍ୟା ବିପନ୍ନଙ୍କ ପାଇଁ ୭ ଦିନର ରିଲିଫ୍ ବ୍ୟବସ୍ଥା କରିବେ । କିନ୍ତୁ ତାହା ଏପର୍ଯ୍ୟନ୍ତ ବିପନ୍ନଙ୍କ ପାଖରେ ପହଞ୍ôଚନଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.