Home ଜିଲ୍ଲା ପରିକ୍ରମା ଅପରେସନ ଟେବୁଲରେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣର ପ୍ରତିଶ୍ରୁତି ପରେ ଶବ ଉଠାଇଲେ...

ଅପରେସନ ଟେବୁଲରେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣର ପ୍ରତିଶ୍ରୁତି ପରେ ଶବ ଉଠାଇଲେ ପରିବାର ଲୋକେ

10

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଏକ ଘରୋଇ ମେଡିକାଲର ଅପରେସନ ଟେବୁଲରେ ଜଣେ ଟ୍ୟୁମର ରୋଗୀଙ୍କର ଅସ୍ତ୍ରୋପଚାର ଟେବୁଲରେ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାକୁ ନେଇ ମୃତା ମହିଳାଙ୍କ ପରିବାର, ଆତ୍ମୀୟ ସ୍ୱଜନ ଓ ଜନସାଧାରଣଙ୍କୁ ନେଇ ଦୀର୍ଘ ୬ ଘଣ୍ଟା ଧରି ଲାଗିରହିଥିବା ଆଜିର ଉତ୍ତେଜନା ତାଙ୍କୁ କ୍ଷତିପୂରଣ ଦେବାରେ ପ୍ରତିଶ୍ରୁତି ଦିଆଯିବା ପରେ ପ୍ରଶମିତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ କଟସାହି ପଂଚାୟତର ଗୁହାଳିପାଳ ଗ୍ରାମନିବାସୀ ବସନ୍ତ ପାତ୍ରଙ୍କ ପତ୍ନୀ ସଂଜୁଲତାଙ୍କର ଟ୍ୟୁମର ହୋଇଥିଲା । ସେଥିପାଇଁ ସେ ଭଦ୍ରକ ସହରରେ ଥିବା ସାଳନ୍ଦୀ ହସ୍‌ପିଟାଲରେ ଗତକାଲି ଆଡମିଶନ ହୋଇଥିଲେ । ଗତକାଲି ରାତିରେ ତାଙ୍କର ଅପରେସନ ବେଳେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଆଜି ସକାଳେ ଏହି ଘଟଣାକୁ ନେଇ ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ୬ ଘଣ୍ଟା ଧରି ଏହି ଉତ୍ତେଜନା ଲାଗି ରହିଥିବାବେଳେ ଉତ୍ତ୍ୟକ୍ତ ଲୋକମାନେ ହସ୍‌ପିଟାଲ ପରିସରରେ ଚେୟାର, ଟେବୁଲ ଓ ଫୁଲକୁଣ୍ଡ ଭଂଗାରୁଜା କରିଥିଲେ । ଖବର ପାଇ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଯେପର୍ଯ୍ୟନ୍ତ ଉଚିତ୍ କ୍ଷତିପୂରଣ ଦିଆନଯାଇଛି, ସେପର୍ଯ୍ୟନ୍ତ ମହିଳାଙ୍କର ଶବ ମେଡିକାଲରୁ ନେବୁନାହିଁ ବୋଲି ଅଡି ବସିଥିଲେ ମୃତା ପରିବାର ଲୋକେ । ଶେଷରେ ମେଡିକାଲ କର୍ତ୍ତୃପକ୍ଷ, ପୁଲିସ୍ ଓ ମୃତା ମହିଳାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ପରେ ଉଚିତ୍ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ଏ ସଂପର୍କରେ ସହରାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ସିଟି ଡିଏସ୍‌ପି ଶ୍ରୀ ଦ୍ୱିବେଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.