ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବୈତରଣୀ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିବା ବେଳେ ବନ୍ୟା ପାଣି ତଳିଆ ଅଞ୍ଚଳରେ ମାଡ଼ୁଛି । ବ୍ଲକର ତଳଗୋପବିନ୍ଧା, ବୋଡ଼କ, ବିଲଣା, ବାରୋ, କାଁପଡ଼ା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର ଇତ୍ୟାଦି ପଞ୍ଚାୟତ ବନ୍ୟାରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ କୋହ୍ଲ, ସିନ୍ଦୋଳ, ଫତେପୁର, ରାଜନଗର ଇତ୍ୟାଦି ପଞ୍ଚାୟତ ଆଂଶିକ ପ୍ରଭାବିତ ହୋଇଛି । ଏହିସବୁ ପଞ୍ଚାୟତର ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଭାବେ ଚୁଡ଼ା ଓ ଗୁଡ଼ ପଠା ଯାଇଛି । ସମସ୍ତ ବନ୍ୟା ପ୍ରଭାବିତ ପଞ୍ଚାୟତ ପାଇଁ ୩୯ କୁଇଣ୍ଟାଲ ଚୁଡ଼ା ଓ ୪କୁଇଣ୍ଟାଲ ଗୁଡ଼ ଦିଆଯାଇଛି । ତେବେ ବନ୍ୟାରେ ବ୍ଲକର ୧୮୪୨୯ ଗୋରୁଗାଇ, ୭୨୦୦ ଛେଳି ମେଣ୍ଢା ଓ ୫୩୦୦ କୁକୁଡ଼ା ପ୍ରଭାବିତ ହୋଇଥିବା ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରାକାର ଜେନା ସୂଚନା ଦେଇଛନ୍ତି । ପ୍ରାଣୀମାନଙ୍କର ସୁରକ୍ଷା ପାଇଁ ପ୍ରାଣୀକେନ୍ଦ୍ର ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟ ଟିମ୍ ବନ୍ୟାଞ୍ଚଳ ବୁଲି ଆବଶ୍ୟକୀୟ ଔଷଧ ବିତରଣ କରୁଥିବା ଜଣାପଡ଼ିଛି । ୧୨ଟି ସ୍ୱସ୍ଥ୍ୟ ଟିମ୍ ମଧ୍ୟରୁ ୨ଟି ମୋବାଇଲ ଓ ଗୋଟିଏ ସୁପର ଭାଇଜିଂ ଟିମ୍ ରହିଛି । ଏବେସୁଦ୍ଧା ୧୧ଟି ଆଶ୍ରୟସ୍ଥଳରେ ୬୩୫ ଜଣ ବନ୍ୟା ବିପନ୍ନଙ୍କୁ ଥଇଥାନ କରାଯାଇଛି । ବନ୍ୟାରେ ମୋଟ ୩୧ ଗାଁ, ୧୨୭ ୱାର୍ଡ଼ର ୪୯୩୩୨ଜଣ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଡିଓ ଜ୍ୟୋତିମୟ କର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ଲୋକମାନଙ୍କର ଅସୁବିଧା ନହେବା ପାଇଁ ସତର୍କ ଦୃଷ୍ଟି ରଖିଥିବା ଜଣାଯାଇଛି ।
Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର, ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ, ୧୮୪୨୯ ଗୋରୁଗାଈ...