ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଯାଜପୁର ଜିଲା ରସୁଲପୁର ନିକଟ ୧୬ନଂ ଜାତୀୟ ରାଜପଥରେ ନବ ନିର୍ମିତ ଏକ ବ୍ରିଜ୍ ପ୍ରାୟ ୧୦ ଫୁଟ୍ ଦବିଯିବା ଘଟଣା ଲୋକଙ୍କୁ ଭୟଭୀତ କରିଥିବାବେଳେ ଆଜି ସେହି ଜାତୀୟ ରାଜପଥର ଭଦ୍ରକ ଆଖଣ୍ଡଳମଣି ଛକ ନିକଟ ରାଜପଥରେ ନିର୍ମିତ ନୂତନ ଓଭରବ୍ରିଜ୍ର କିଛି ଅଂଶ ପ୍ରାୟ ୨୦ ଫୁଟ୍ ଧସି ବିରାଟ ଖାଲ ସୃଷ୍ଟି ହେବା ଘଟଣା ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ଡିବିଏଲ୍ କଂପାନୀର ଘୋଟାଲାକୁ ପଦାରେ ପକାଇଛି । ଏଠାରେ ସୂଚନାଯୋଗ୍ୟ ଏହି ବ୍ରିଜ୍ର ଶିଳାନ୍ୟାସ ଖୋଦ୍ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଗତ ଦୁଇବର୍ଷ ପୂର୍ବେ ହୋଇଥିବାବେଳେ ତାହା ମାତ୍ର ନିର୍ମାଣ ଶେଷ ହେବାର ମାସେ ପରେ ଭୁଷୁଡି ପଡିଛି । ଯାହାକୁ ନେଇ ଜିଲାବାସୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ବିରୋଧୀମାନେ ଏହି ଘୋଟାଲାର ସିବିଆଇ ତଦନ୍ତ ସହ ଏଥିରେ ଜଡିତ କଂପାନୀର କର୍ତ୍ତୃପକ୍ଷଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାବି କରିଛନ୍ତି । ବିଶିଷ୍ଟ କଂଗ୍ରେସ ନେତା ବିଦ୍ୟାଧର ଜେନା ଏହି ଘଟଣାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ ସହ ଭଦ୍ରକର ଶାସକ ଦଳର ଜନ ପ୍ରତିନିଧିମାନେ କିଭଳି ମିଠା କଥା କହି ଲୋକଙ୍କୁ ଭକୁଆ ବନଉଛନ୍ତି, ଏହି କାର୍ଯ୍ୟରୁ ହିଁ ସ୍ପଷ୍ଟ ବାରିହୋଇପଡୁଛି ବୋଲି କହିଛନ୍ତି । ଏବଂ ଏହାର ଏକ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି । ତେବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଖବର ପାଇବା ପରେ ଏକ ଟିମ୍କୁ ପଠାଇ କ୍ଷେତ୍ରୀୟ ତଦନ୍ତ କରାଇବା ସହ ଉକ୍ତ ସ୍ଥାନରେ ପୁଲିସ୍ ପାଟ୍ରୋଲିଂ ଗାଡି ମୁତୟନର ବ୍ୟବସ୍ଥା କରିଥିବାର ଜଣାପଡିଛି ।