Home ଜିଲ୍ଲା ପରିକ୍ରମା ତମାଖୁ, ଡ୍ରଗ୍ସ ପ୍ରତି ଛାତ୍ର ଓ ଯୁବ ଗୋଷ୍ଠୀ ଆକର୍ଷିତ ହେବା ଚିନ୍ତାଜନକ, ତମାଖୁ ନିୟନ୍ତ୍ରଣ...

ତମାଖୁ, ଡ୍ରଗ୍ସ ପ୍ରତି ଛାତ୍ର ଓ ଯୁବ ଗୋଷ୍ଠୀ ଆକର୍ଷିତ ହେବା ଚିନ୍ତାଜନକ, ତମାଖୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

49

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନେଇ ଭଦ୍ରକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଧ୍ୟକ୍ଷତା କରି ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ ଆଇନ୍‌ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟାର ସମୀକ୍ଷା କରିଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ଶାରୀରିକ ଶ୍ରମ କରୁଥିବା ଚାଷୀ, ମୂଲିଆ, ଶ୍ରମିକ, ଗରିବ ଆଦିବାସୀ ଶ୍ରେଣୀ ଲୋକ ଅସଚେତନତା କାରଣରୁ ତମାଖୁ ଜାତୀୟ ବିଭିନ୍ନ ଦ୍ରବ୍ୟ ସେବନ କରୁଥିବାର ସାଧାରଣ ଭାବେ ଦେଖାଯାଇଥାଏ । ତେଣୁ ପ୍ରତି ଗ୍ରାମପଞ୍ଚାୟତ ସ୍ତରରେ ସରପଞ୍ଚ, ଅନ୍ୟ ଜନ ପ୍ରତିନିଧି ଓ ଗ୍ରାମବାସୀ ମାନଙ୍କୁ ନେଇ ତମାଖୁ ସେବନର ଅପକାରୀତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଛାତ୍ର ଓ ଯୁବ ସମାଜ ମଧ୍ୟରେ ଏହି ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ପ୍ରଶାସନ ତଥା ପ୍ରଶାସନର ଅନୁମତି ନେଇ ଆଗ୍ରହୀ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କୋଟ୍‌ପା ଆଇନ୍ ୨୦୦୩ର କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାରେ ଚାଲୁ ରହିଥିବା ଧରପଗଡ଼ କାର୍ଯ୍ୟକ୍ରମ ଅଧିକ ବ୍ୟାପକ ଓ ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ତମାଖୁ ମୁକ୍ତ ବିଦ୍ୟାଳୟ, ତମାଖୁ ମୁକ୍ତ ଗ୍ରାମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟକରୁଥିବା ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ତମାଖୁ ସେବନର କୁପ୍ରଭାବ ଓ ଜିଲ୍ଲାରେ ଚାଲୁ ରହିଥିବା ତମାଖୁ ନିୟନ୍ତ୍ରଣ କାର୍ଯ୍ୟସୂଚୀ, ଧାର୍ଯ୍ୟଲକ୍ଷ୍ୟ, ସଫଳତା ଆଦି ସମ୍ବନ୍ଧରେ ଏକ ଉପସ୍ଥାପନ ରଖିଥିଲେ । ସୂଚନା ଯୋଗ୍ୟଯେ ତମାଖୁ ଯୋଗୁଁ ପୃଥିବୀରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଭାରତରେ ୧୩ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ଯୁବମାନଙ୍କ ଦ୍ୱାରା ତମାଖୁ ସେବନରେ ସାରା ବିଶ୍ୱର ସର୍ଭେ ଅନୁଯାୟୀ ଭାରତରେ ୪୮% ପୁରୁଷ ଓ ୨୨.୩% ମହିଳା ଭାରତରେ ତମାଖୁ ବ୍ୟବହାର କରୁଛନ୍ତି । ୫୫୦୦ ଯୁବ ପ୍ରତିଦିନ ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ସାଧାରଣତଃ ଧୂମହୀନ ତମାଖୁ ଭାବେ ଖଇନି, ଗୁଟୁଖା, ପାନରେ ତମାଖୁ ଏବଂ ଜର୍ଦ୍ଦା ଏବଂ ଧୁମଯୁକ୍ତ ତମାଖୁ ଭାବେ ବିଡ଼ି, ସିଗାରେଟ, ହୁକ୍କା ବ୍ୟବହାର କରାଯାଉଛି । ପ୍ରକାଶ ଯୋଗ୍ୟକି ଧୂମଯୁକ୍ତ ତମାଖୁ ଦ୍ରବ୍ୟରେ ଥିବା ୭୦୦୦ ରାସାୟନିକ ଉପାଦାନ ମଧ୍ୟରୁ ୬୯ଟି, ଧୂମହୀନ ତମାଖୁରେ ଥିବା ୩୦୦୦ ଉପାଦାନରୁ ୨୮ଟି କ୍ୟାନସରର କାରଣ ଅଟେ । ଧୂମପାନ ସମୟରେ ସେଥିରେ ଥିବା ନିକୋଟିନ୍ ମାତ୍ର ୭ ସେକେଣ୍ଡରେ ମସ୍ତିଷ୍କରେ ପହଞ୍ôଚଥାଏ । ଶିକ୍ଷାନୁଷ୍ଠାନର ୧୦୦ ଗଜ ଭିତରେ ତମାଖୁ ପଦାର୍ଥ ବିକ୍ରୟ ନିଷେଦ୍ଧ, ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ ଜୋରିମାନା ଆଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ତମାଖୁ ସେବନର ଅପକାରୀତା ନେଇ ସଚେତନତା ଉଦ୍ଦେଶ୍ୟରେ ତମାଖୁ ନିରୋଧୀ କାର୍ଯ୍ୟକ୍ରମର ସ୍ୱେଚ୍ଛାସେବକ ମହମ୍ମଦ ଇବ୍ରାହିମ୍ ଅଲ୍ଲୀଙ୍କ ଦ୍ୱାରା ଉଚିତ ଏକ ଛୋଟ କବିତା ପୁସ୍ତକ ବୈଠକରେ ବିତରଣ କରାଯାଇଥିଲା । ୨୦୨୨-୨୩ ବର୍ଷରେ କୋଟ୍‌ପା ଚଢ଼ଉରେ ଧାର୍ଯ୍ୟଲକ୍ଷ୍ୟ ଥିବା ୨୪ଟିରୁ ୨୪ଟି ଚଢ଼ଉ କରାଯାଇ ସମୁଦାୟ ୩୧୬ ଦୋକାନୀଙ୍କ ଠାରୁ ୬୦, ୪୫୦ ଟଙ୍କା ଜୋରିମାନା ବାବଦ ଆଦାୟ କରାଯାଇଥିଲା । ସ୍କୁଲ, କଲେଜ, ସ୍କୁଲ ଶିକ୍ଷକ, ସରପଞ୍ଚ ଆଦି ମାନଙ୍କ ଉଦ୍ଦେଶ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଏବଂ ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ସହିତ ଡା. ଭାରତୀ ସାହୁ, ଡା ଜୟନ୍ତ ପଣ୍ଡା, ଡ଼ି.ପି.ଏମ୍‌. ସରିତା ମହାପାତ୍ର ପ୍ରମୁଖଙ୍କ ସହ ସଂପୃକ୍ତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସର୍ବୋଦୟ, ସମାଜର କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.