ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଅ ଓ ଝିଅର ଭବିଷ୍ୟତ ପାଇଁ ରୋଜଗାର କରୁଥିବା ବାପା ଏବେ ରୋଗଗ୍ରସ୍ତ । ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷା ଥାଳ ଧରିଛି ପୁଅ । ଆମେ କହୁଛୁ ଭଦ୍ରକ ଜିଲା ବନ୍ତ ବ୍ଲକ୍ ରାମକୃଷ୍ଣପୁର ଗାଁର ନାରାୟଣ ଜେନାଙ୍କ କଥା । ବୁଢୀ ମା’ ଦୁଇ ପିଲା ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର ଚାଲିଥିଲା । ବଢିଲା ଝିଅର ବାହାଘର ପାଇଁ ବାପା ଓ ମା’ ସୁଦୂର ବେଙ୍ଗାଲୁରକୁ ଯାଇଥିଲେ । କିନ୍ତୁ ଦିନେ ହଠାତ୍ ନାରାୟଣଙ୍କ ପେଟରେ ଯନ୍ତ୍ରଣା ହେଲା । ଡାକ୍ତର କହିଲେ କ୍ୟାନ୍ସର ହୋଇଛି । ସେଇଦିନ ଠାରୁ ଆରମ୍ଭ ହେଲା ଚିକିତ୍ସା । ଅଧିକ ଟଙ୍କା ନଥିବାରୁ ଅଧା ଚିକିତ୍ସାରୁ ଫେରିଲେ ଗାଁକୁ । ଆଉ ଏବେ ଚିକିତ୍ସାରେ ବନ୍ଧା ପଡିଲା ପୁଅର ଭବିଷ୍ୟତ । ଘରର ଆର୍ଥିକ ସମସ୍ୟା ଏବେ ଅନ୍ଧାରରେ ପକାଇଛି ଛୁଆଙ୍କ ଭବିଷ୍ୟତ । ଏମିତି ସ୍ଥିତିରେ ଛୋଟ ପୁଅ ଏବେ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷା ଥାଳ ଧରିଛି । ଘର ଘର ବୁଲି ଚାଉଳ ଆଉ ଅର୍ଥ ଭିକ୍ଷା ମାଗୁଛି । ଆଉ ଦିନ ଯାକର ଭିକ୍ଷା ଆଣି ମା’ ହାତକୁ ଦେଉଛି । ଆଉ ଏମିତି ଅବସ୍ଥା ଦେଖି ମାର ଛାତି ଫାଟିଯାଉଛି । କିନ୍ତୁ ସେ କରିବେ ବା କଣ । କାରଣ ପରିସ୍ଥିତି କିଛି ଏମିତି ସ୍ଥିତି କରିଛି ଯେ ଗୋଟିଏ ପଟେ ସ୍ୱାମୀଙ୍କ ଚିକିତ୍ସା ଆଉ ଅନ୍ୟପଟେ ପୁଅର ଭିକ୍ଷା । ଜିଲା ଚିକିତ୍ସାଧିକାରୀ କହିଛନ୍ତି ଯେ ସରକାରୀ ସୁବିଧା ଉପଲବ୍ଧ ହେଉଛି । ଆହୁରି ଅଧିକ ସହାୟତା ଯୋଗାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ।
Home ଜିଲ୍ଲା ପରିକ୍ରମା ଘରର ଏକମାତ୍ର ରୋଜଗାରିଆ ଏବେ ରୋଗାଗ୍ରସ୍ତ, ବାପାଙ୍କ ଚିକିତ୍ସା ପାଇଁ ପୁଅ ହାତରେ ଭିକ୍ଷା ଥାଳ