Home ଜିଲ୍ଲା ପରିକ୍ରମା ଇଷ୍ଟକୋଷ୍ଟ ରେଳ ବିଭାଗର ମନମୁଖି ଟ୍ରେନ ଭଡ଼ା ଆଦାୟ ପ୍ରତିବାଦରେ ଦାବିପତ୍ର ପ୍ରଦାନ

ଇଷ୍ଟକୋଷ୍ଟ ରେଳ ବିଭାଗର ମନମୁଖି ଟ୍ରେନ ଭଡ଼ା ଆଦାୟ ପ୍ରତିବାଦରେ ଦାବିପତ୍ର ପ୍ରଦାନ

23

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ ଭଡ଼ା ନେଇ ଯାତ୍ରୀଙ୍କୁ କରାଯାଉଥିବା ଶୋଷଣକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ଏବଂ ଜିଲ୍ଳାର ବୁଦ୍ଧିଜୀବୀ ମିଳିତ ଭାବେ ତୀବ୍ର ବିରୋଧ କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ ସାଧାରଣ ଗରୀବ ଲୋକ ଅତ୍ୟଧିକ ବସ୍‌ଭଡ଼ା କିମ୍ବା ଏକ୍ସପ୍ରେସ୍ ଟ୍ରେନ ଭଡ଼ା ଦେଇ ଯାତାୟତ କରି ପାରୁ ନଥିବାରୁ ପାସେଞ୍ଜର ଟ୍ରେନରେ ଯାତାୟାତ କରିଥାଏ । ମାତ୍ର ପାସେଞ୍ଜର ଟ୍ରେନ୍‌ରେ ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ଏକ୍ସପ୍ରେସ୍ ଭଡ଼ା ଆଦାୟ କରାଯାଉଛି । ଏହି ରୁଟ୍‌ରେ ଚଳାଚଳ କରୁଥିବା ମେମୁ ଟ୍ରେନ୍‌ରେ ଯଦି ଜଣେ ଯାତ୍ରୀ ବାଲେଶ୍ୱରରୁ କଟକ ଯାଉଛି ତେବେ ତାକୁ ୪୦ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ବେଳେ ଜଣେ ଯାତ୍ରୀ ଭଦ୍ରକରୁ କଟକ ଗଲେ ସେହି ସମାନ ଟ୍ରେନ୍‌ରେ ୬୦ ଟଙ୍କା ଭଡ଼ା ଦେଉଛି । ସେହିପରି ସମାନ ଟ୍ରେନ୍‌ରେ ଜଣେ ଯାତ୍ରୀ ଭଦ୍ରକରୁ ବାଲେଶ୍ୱର ଗଲେ ୪୦ ଟଙ୍କା ଭଡ଼ା ଦେଉଥିବା ବେଳେ ଫେରସ୍ତ ଆସିବା ବେଳେ ବାଲେଶ୍ୱରରୁ ଭଦ୍ରକ ୨୦ ଟଙ୍କା ଟିକେଟ କାଟୁଛି ।

ଭଦ୍ରକରୁ ରାଣିତାଲ ମାତ୍ର ୧୦ କିମି କୁ ଭଦ୍ରକରୁ ଗଲେ ୩୦ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ବେଳେ ରାଣିତାଲରୁ ଭଦ୍ରକ ଆସିଲେ ୧୦ଟଙ୍କା ଦେବାକୁ ହେଉଛି । ପାସଞ୍ଜେର ଟ୍ରେନ ସମସ୍ତ ଷ୍ଟେସନ ସହିତ ପାସେଞ୍ଜର ହଲ୍‌ଟରେ ଅଟକୁ ଥିବା ବେଳେ ଯାତ୍ରୀଙ୍କ ଠାରୁ ଏକ୍ସପ୍ରେସ୍ ଭଡ଼ା ନେବା କେତେ ଯୁକ୍ତିଯୁକ୍ତ ବୋଲି ଆପତ୍ତି କରାଯାଇଛି । ବିଶେଷ କରି ଏହି ଭଡ଼ା ତାରତମ୍ୟ ଇଷ୍ଟକୋଷ୍ଟ ରେଳ ବିଭାଗରେ ଚାଲିଛି । ଦକ୍ଷିଣପୂର୍ବ ରେଳ ଡିଭିଜନ ଅଧିନରେ ମେମୁ ଟ୍ରେନରେ ପାସେଞ୍ଜର ଭଡ଼ା ନିଆଯାଉଥିବା ବେଳେ ଇଷ୍ଟକୋଷ୍ଟ ରେଳ ବିଭାଗରେ ଏକ୍ସପ୍ରେସ୍ ଭଡ଼ା ନିଆଯାଉଛି । ଏଡି ବ୍ୟତିକ୍ରମର ସମାଧାନ ପାଇଁ ଭଦ୍ରକ ଜିଲ୍ଳା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା, ଭଦ୍ରକର ବୁଦ୍ଧିଜୀବୀ ଶିକ୍ଷାବିତ୍ ଗୟାଧର ପଣ୍ଡା, ଆଡ୍‌ଭୋକେଟ ଆଦିତ୍ୟ ନାୟକ, ନାରାୟଣ ଚନ୍ଦ୍ର ପାଢୀ, ରୋଟାରିଆନ୍ ଶିଶିର ମିଶ୍ର, ଭବାନୀ ନାୟକ, ମନୋଜ ସାହୁ ପ୍ରମୁଖ ଏକ ଦାବିପତ୍ର ଇଷ୍ଟକୋଷ୍ଟ ଡିଭିଜନର ମହାପ୍ରବନ୍ଧକ ଭୁବନେଶ୍ୱର, କେନ୍ଦ୍ର ରେଳମନ୍ତ୍ରୀ, ଧାମନଗର ବିଧାୟକ, ଭଦ୍ରକ ସାଂସଦ, ଡିଆର୍‌ଏମ୍ ଖୋର୍ଦ୍ଧା, ଭଦ୍ରକ ଷ୍ଟେସନ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ତୁରନ୍ତ ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ଏହି ବ୍ୟତିକ୍ରମରେ ସୁଧାର ନ ଆଣିଲେ ସର୍ବୋଦୟ ମଣ୍ଡଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତବାନୀ ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.