ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ହୋଇଛି। ଅନୁପମ ଖେର ସତୀଶ କୌଶିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଯେ, ମୁଁ ଜାଣେ ମୃତ୍ୟୁ ହେଉଛି ଏହି ଜଗତର ଚରମ ସତ୍ୟ। କିନ୍ତୁ ମୁଁ ମୋର ସର୍ବୋତ୍ତମ ବନ୍ଧୁ ବିଷୟରେ ଏହା ଲେଖିବି, ମୁଁ କେବେ ଭାବି ନଥିଲି। ଅନୁପମ ଖେର ଲେଖିଛନ୍ତି ଯେ ୪୫ ବର୍ଷର ବନ୍ଧୁତ୍ୱ ପରେ ହଠାତ୍ ପୂର୍ଣ୍ଣ ବିରାମ!! ତୁମ ବିନା ଜୀବନ କେବେବି ସେପରି କଟିବ ନାହିଁ! ଓମ୍ ଶାନ୍ତି! ସତୀଶ କୌଶିକ ୬୬ ବର୍ଷ ବୟସରେ ବିଦାୟ ନେଇଛନ୍ତି।
ପ୍ରସିଦ୍ଧ ଅଭିନେତା, ହାସ୍ୟ ଅଭିନେତା, ସ୍କ୍ରିପ୍ଟ ରାଇଟର ନିର୍ଦ୍ଦେଶକ ଏବଂ ନିର୍ମାତା ଥିଲେ। ସେ ୧୩ ଏପ୍ରିଲ ୧୯୬୫ ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡରେ ବ୍ରେକ ପାଇବା ପୂର୍ବରୁ ଥିଏଟରରେ କାମ କରିଥିଲେ। ଚଳଚ୍ଚିତ୍ର ଅଭିନେତା ଭାବରେ ସତୀଶ କୌଶିକ ୧୯୮୭ ଚଳଚ୍ଚିତ୍ର ମିଷ୍ଟର ଇଣ୍ଡିଆରେ କାମକରିଥିଲେ। ଏହା ପରେ ସେ ୧୯୯୭ ରେ ଦିୱା ନା ମସ୍ତାନା ରେ ପପୁ ପେଜର୍ ଭୂମିକାରେ ଅଭିନୟ କରିଥିଲେ। ସତୀଶ କୌଶିକ ୧୯୯୦ ରେ ରାମ ଲଖନ ଏବଂ ୧୯୯୭ ରେ ସାଜନ ଚଲେ ସସୁରାଲ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ।
ସତୀଶ କୌଶିକ ଦିଲ୍ଲୀରେ ସ୍କୁଲ ଶିକ୍ଷା କରି କିରୋଡ଼ିମଲ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ରେ ଆଡମିଶନ ନେଇଥିଲେ। ୧୯୮୩ ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ୧୯୮୫ ରେ, ସେ ଶଶି କୌଶିକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କ ଜୀବନରେ ଦୁଃଖର ପାହାଡ଼ ଦେଖାଯାଇଥିଲା। ତାଙ୍କ ପୁଅ ୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।








