Home ଜିଲ୍ଲା ପରିକ୍ରମା କଲେଜର ସର୍ବାଙ୍ଗୀନ ବିକାଶ ମୋ କଲେଜ ଅଭିଯାନର ଆଭିମୁଖ୍ୟ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମୋ...

କଲେଜର ସର୍ବାଙ୍ଗୀନ ବିକାଶ ମୋ କଲେଜ ଅଭିଯାନର ଆଭିମୁଖ୍ୟ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ଜିଲ୍ଲା ସ୍ତରୀୟ ବୈଠକ

21

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ‘ମୋ କଲେଜ’ ଅଭିଯାନର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋ କଲେଜ, ଓଡ଼ିଶାର ଅଧ୍ୟକ୍ଷ ତଥା ବରୀ ବିଧାୟକ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ଗୌରବ-ଆମ ସମ୍ମାନ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଆଭିମୁଖ୍ୟ ଓ ଏହାର ସଫଳତା ର ପ୍ରମୁଖ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ଭଦ୍ରକ କଲେଜର ଐତିହ୍ୟ ଓ ପରିଚୟକୁ ସବୁଦିନକୁ ବଜାୟ ରଖିବା ପାଇଁ ମୋ କଲେଜ ଅଭିଯାନ ଜରିଆରେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଅଭିମତ ରଖିଥିଲେ। ଓଡ଼ିଶା ସରକାରଙ୍କ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ମୋ କଲେଜ ଅଭିଯାନର ସଫଳତା ଆଲୁମିନି ମାନଙ୍କ ଉପରେ ଅଧିକ ନିର୍ଭର କଲେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ନାୟକ ତାଙ୍କ ଉପସ୍ଥାପନ ଜରିଆରେ ବୁଝାଇଥିଲେ। ଗୋଟିଏ କଲେଜର ପୁରାତନ ବିଦ୍ୟାର୍ଥି ମାନଙ୍କୁ କଲେଜ ସହିତ ଯେତେ ଅଧିକ ସଂଖ୍ୟାରେ ଯୋଡ଼ାଯାଇ ପାରିବ ଏ ଅଭିଯାନ ସେ କଲେଜ ପାଇଁ ସେତେ ସଫଳ ହେବ। ସେମାନଙ୍କ ସହଯୋଗରେ ହିଁ ଏ ଅଭିଯାନ ଆଗେଇବ। ୩ଟି ଦିଗରେ ସେମାନଙ୍କ ଠାରୁ ସହଯୋଗ ମିଳିବା ସମ୍ବନ୍ଧରେ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ ଜଣେ ଚାହିଁଲେ ଅର୍ଥଦାନ, ଶିକ୍ଷାଦାନ କିମ୍ବା ବସ୍ତୁଦାନ କରି କଲେଜର ବିକାଶରେ ସାମିଲ ହୋଇପାରିବ। କଲେଜର ବିକାଶ ପାଇଁ ବ୍ୟକ୍ତି ବା ଅନୁଷ୍ଠାନ ଯାହାଦ୍ୱାରା ହେଉ ଯେତିକି ଅର୍ଥଦାନ ଆକାରରେ ମିଳିବ ସରକାର ତା’ର ଦୁଇ ଗୁଣା ଅର୍ଥ କଲେଜର ବିକାଶ ପାଇଁ ପ୍ରଦାନ କରିବା ବ୍ୟବସ୍ଥା ଏଥିରେ ଅଛି।

ପୁସ୍ତକ କି ଆସବାବ ଆକାରରେ ଜଣେ ମଧ୍ୟ ସହଯୋଗ କରିପାରିବ। ଏପରିକି ଜଣେ ନିଜର ଜ୍ଞାନ, ଅଭିଜ୍ଞତା ଆଧାରରେ ପିଲାକୁ ପାଠ ପଢ଼ାଇବା ଠାରୁ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବା ଡାକ୍ତରୀ ପରୀକ୍ଷା ଭଳି ସେବା ମଧ୍ୟ ଯୋଗାଇ ଦେଇ କଲେଜର ବୌଦ୍ଧିକ ତଥା ସାମଗ୍ରୀକ ଉନ୍ନତିରେ ଭାଗିଦାର ହୋଇପାରିବେ ବୋଲି ସେ ଆହ୍ୱାନ ଦେଇଥିଲେ। ମୋ କଲେଜ ଅଭିଯାନରେ ପ୍ରାପ୍ତ ଅର୍ଥରେ କୋଠାବାଡ଼ି, ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ ଆଦି ନିର୍ମାଣ ଜରିଆରେ କଲେଜର ଭିତ୍ତିଭୂମିର ଉନ୍ନତି ଆଣିବା ସହିତ ବିଭିନ୍ନ ପ୍ରତିଯୋଗିତା ଜରିଆରେ ବିଦ୍ୟାର୍ଥୀ ମାନଙ୍କ ଅନ୍ତଃ ପ୍ରତିଭାର ଚିହ୍ନଟ କରି ସେମାନଙ୍କ କ୍ୟାରିଅର ନିର୍ମାଣ, ସଚେତନତା, ଟେକ୍ନୋଲୋଜି, ଦକ୍ଷତାବୃଦ୍ଧି ଆଦି ଦିଗରେ ପିଲାଙ୍କର ଉନ୍ନତି ଆଣିବା ମଧ୍ୟ ଏହି ଅଭିଯାନର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ଭଦ୍ରକ କଲେଜର ମୋ କଲେଜ ଅଭିଯାନର ସଂଯୋଜକ ଧୀରେନ୍ଦ୍ର ନାଥ ନାୟକ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ଉକ୍ତ ଅଭିଯାନରେ ଭଦ୍ରକ କଲେଜ୍ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହି କଲେଜର ପୂର୍ବତନ ଛାତ୍ର ବରିଷ୍ଠ ସଫ୍ଟୱାୟାର ଇଞ୍ଜିନିୟର ନିର୍ମାଲ୍ୟ ମହାକୁଡ଼ ଜିଲ୍ଲାର କେତୋଟି ମହାବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ବିଭିନ୍ନ ଜ୍ଞାନ କୌଶଳ ଓ ସଚେତନତା ବୃଦ୍ଧି ପାଇଁ ଏହି ଅଭିଯାନ ଜରିଆରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ବର୍ତ୍ତମାନ ୭ ହଜାର ଛାତ୍ର ଛାତ୍ରୀଙ୍କୁ ନେଇ କାର୍ଯ୍ୟରତ ଭଦ୍ରକ ମହାବିଦ୍ୟାଳୟର ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ବନ୍ଧରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ବୈଠକରେ ପ୍ରକାଶ କରିଥିଲେ। ଏହି ଅଭିଯାନର ସଫଳତା ନେଇ ବିଭିନ୍ନ କଲେଜରୁ ଆସିଥିବା ଏହି ଅଭିଯାନର ସଂଯୋଜକ, ଅଧ୍ୟକ୍ଷ ଏବଂ ଏଠାରେ ଉପସ୍ଥିତ ଆଲୁମିନି ମାନେ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ କି ଜିଲ୍ଲାର ପ୍ରାୟ ୨୭ଟି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଂଯୋଜକ ମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.