ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାନଶାସନ ପଞ୍ଚାୟତ ତେନ୍ତୁଳିଆ ଗ୍ରାମରେ ବଧୁହତ୍ୟା ଅଭିଯୋଗ ହୋଇଛି। ଗ୍ରାମର ମହେନ୍ଦ୍ର ମାଝୀଙ୍କ ପତ୍ନୀ ଉଷାରାଣୀଙ୍କୁ ସ୍ୱାମୀ, ଦେଢଶୁର କିଶୋର ମାଝୀ, ଯାଆ ରଙ୍କ ମାଝୀ, ପୁତୁରା ବୁଲା ମାଝୀ ଯୌତୁକ ନିର୍ଯ୍ୟାତନା ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଭାଇ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ସରଲିପୁର ଗ୍ରାମର ନରେନ୍ଦ୍ର ଦଳାଇ ଭଣ୍ଡାରିପୋଖରୀ ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଥାନାରେ ଯୌତୁକ ଜନିତ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି। ଅଭିଯୋଗ ଅନୁଯାୟୀ ୧୨ ବର୍ଷ ପୂର୍ବରୁ ଉଷାରାଣୀଙ୍କୁ ଭଦ୍ରକ ବଙ୍କବାସୁଳାଇ ମନ୍ଦିରରେ ବୈଦିକ ରୀତିରେ ମହେନ୍ଦ୍ର ବିବାହ କରିଥିଲେ। ବିବାହ ସମୟରେ ନଗଦ ୧୫ ହଜାର ଟଙ୍କା, ସୁନାଗହଣା ସହ ଆବଶ୍ୟକୀୟ ଯାନିଯୌତୁକ ଦିଆଯାଇଥିଲା। ମାତ୍ର ବିବାହର ପରବର୍ଷ ମହେନ୍ଦ୍ର ଅଧିକ ଯୌତୁକ ଦାବି କରି ଉଷାରାଣୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା। ଏ ସମ୍ପର୍କରେ ତେନ୍ତୁଳିଆ ଗ୍ରାମରେ ବହୁବାର ସମାଧାନ ହୋଇଥିଲା। ମାତ୍ର ଗତ ଗୁରୁବାର ଅଭିଯୁକ୍ତମାନେ ପ୍ରବଳ ମାଡ ମାରି ଉଷାରାଣୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ଆଣୁଥିବା ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ମହେନ୍ଦ୍ର ମେଡିକାଲରେ ଭଉଣୀ ଶରୀର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିଥିଲେ। ପୁଲିସ ମାମଲା ଋଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ କାହାରିକୁ ଗିରପ କରାଯାଇନଥିବା ଜଣାଯାଇଛି।