Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ‘ସୁରଭି’ – ମନ ମୋହିଲା ସାମାଜିକ ବାର୍ତ୍ତାଭରା ଦମ୍‌ଦାର ସାଂସ୍କୃତିକ କାର୍ଯ୍ୟକ୍ରମ

ଜିଲ୍ଲାସ୍ତରୀୟ ‘ସୁରଭି’ – ମନ ମୋହିଲା ସାମାଜିକ ବାର୍ତ୍ତାଭରା ଦମ୍‌ଦାର ସାଂସ୍କୃତିକ କାର୍ଯ୍ୟକ୍ରମ

17

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆଜି ସରକାରୀ ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ପର୍ବରେ ଅତିଥିଭାବେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଡ଼ି.ଆଇ.ଇ.ଟିର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ, ଦୁଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଓ ପ୍ରଣୟ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ବନଲତା ସାହୁ ଓ ଡ଼ି.ସି.ପି.ଓ. ବିଜୟ କତେନ ସାହୁ ଯୋଗ ଦେଇଥିଲେ। ଦିନ ତମାମ୍ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ଉଦ୍‌ଯାପନୀ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ୭ଟି ବ୍ଲକ୍‌ରୁ ଆସିଥିବା ୭ଟି ସାଂସ୍କୃତିକ ଦଳର କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଭୂରୀୟସୀ ପ୍ରଶଂସା କରିଥିଲେ। ବାସ୍ତବରେ ନାରୀ ଶିକ୍ଷା, ନାରୀ ଅତ୍ୟାଚାର, ନାରୀ ସଶକ୍ତି କରଣ, ଶିକ୍ଷା ବ୍ୟବସ୍ଥାରେ ୫ଟି ରୂପାନ୍ତରୀକରଣ ର ପ୍ରଭାବ, ସ୍ୱଚ୍ଛତା, ସଶକ୍ତ ଓଡ଼ିଶା ସମୃଦ୍ଧ ଓଡ଼ିଶା, ମୁଁ ଝିଅ ହୋଇଥିବାରୁ ଗର୍ବିତ ଆଦି ଦମ୍‌ଦାର ସାମାଜିକ ବାର୍ତ୍ତା ସମ୍ବଳିତ ପିଲାମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହି ନେଇଥିଲା।

ନିଜେ ଜିଲ୍ଲାପାଳ ପିଲାମାନଙ୍କ କଳାତ୍ମକ ଦକ୍ଷତାରେ ବିମୁଗଧ୍ ହୋଇ ଘୋଷଣା କରିଥିଲେ କି ଅନ୍ୟ ସମୟରେ ଯେବେ ବି ସରକାରୀ ସ୍ତରରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି ୭ଟି ଦଳକୁ ସୁଯୋଗ ଦିଆଯିବ। ରାଜ୍ୟସ୍ତରରୁ ଆମ ଜିଲ୍ଲା ପାଇଁ ପୁରସ୍କାର ଆଣିବେ ବୋଲି ଜିଲ୍ଲାପାଳ ବିଶ୍ୱାସର ସହ ପ୍ରତିଯୋଗୀମାନଙ୍କୁ ଅନୁପ୍ରେରିତ କରିଥିଲେ। ଆହୁରି ମଧ୍ୟ ପ୍ରକାଶ କରିଥିଲେ ଏହି ସାଂସ୍କୃତିକ ଦଳମାନଙ୍କର ପରିବେଷଣ ଏମିତି ଏକ୍ ସେ ବଡ଼କର ଏକ୍ ଥିଲା ବିଚାରକ ମାନଙ୍କୁ ବାଛିବା ପାଇଁ କଷ୍ଟକର ହୋଇଥିବ। ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନାଯୋଗ୍ୟ କି ୯ଟି ଇଭେଣ୍ଟରେ ଜୁନିୟର ଓ ସିନିୟର ବିଭାଗରେ ୧୮ଟି ପ୍ରତିଯୋଗିତା ପାଇଁ ୫୪ଟି ପୁରସ୍କାର ର ବ୍ୟବସ୍ଥା କରାଯାଇଥିଲା। ବକ୍ତୃତା, ସଂଗୀତ, ରଚନା, ଚିତ୍ରାଙ୍କନ, କ୍ରିଏଟିଭ୍ ରାଇଟିଂ, ଏଲୋକେଶନ, ସୁନ୍ଦର ହସ୍ତାକ୍ଷର, ନୃତ୍ୟ, କଳା ଓ ହସ୍ତଶିଳ୍ପ ଆଦି କ୍ଷେତ୍ରରେ ଜିଲ୍ଲାର ୭ଟି ବ୍ଲକରୁ ବଛା ହୋଇ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା ଏବଂ ଏଠାରୁ ସର୍ବଶ୍ରେଷ୍ଠ ସ୍ଥାନ ନେଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ସୁରଭିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.