Home ଜିଲ୍ଲା ପରିକ୍ରମା ପୀରବାବାଙ୍କ ଉର୍ସର୍ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପୀରବାବାଙ୍କ ଉର୍ସର୍ ଉପଲକ୍ଷେ ପ୍ରସ୍ତୁତି ବୈଠକ

19

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଅବସ୍ଥିତ ପୀରବାବାଙ୍କ ଖାନ୍‌କାରେ ଅନୁଷ୍ଠିତ ହେବାକୁ ଯାଉଥିବା ୪୩ତମ ଉର୍ସ ହଜୁର ମୁଜାହିଦ-ଇ-ମିଲାତ ଉତ୍ସବ ପାଳନ ଉପଲକ୍ଷେ ଆଜି ସଦ୍‌ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ଚରଣ ସିଂ ମୀନା, ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡ଼େପୁଟି କଲେକ୍ଟର ଜୁଡ଼ିସିଆଲ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ନଭେମ୍ବର ମାସ ଆସନ୍ତା ୩୦ ତାରିଖ ଓ ଆସନ୍ତା ଡ଼ିସେମ୍ବର ମାସ ୧ ତାରିଖ ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ପାଳନ ପ୍ରକ୍ରିୟା, ଧାର୍ଯ୍ୟ ସମୟ, ଆବଶ୍ୟକ ପ୍ରଶାସନିକ ସହଯୋଗ ସମ୍ବନ୍ଧରେ କମିଟିର ସମ୍ପାଦକ ମହମ୍ମଦ ଇସ୍ରାଏଲ ହବିବି, ଉପସଭାପତି ମୌଲାନା ମୁସ୍ତାଫାରେଜା ହବିବ୍ ଏବଂ ସହ ସମ୍ପାଦକ ଏସ୍‌.କେ. ଅବଦୁର ରହମାନ ବୈଠକରେ ଉପସ୍ଥାପନ କଲାପରେ ବିଷୟାନୁଯାୟୀ ଜିଲ୍ଲାପାଳ ଏବଂ ଏସ୍‌.ପି. ପୁଙ୍ଗାନୁପୁଙ୍ଖ ଆଲୋଚନା କରିଥିଲେ। ଲକ୍ଷାଧିକ ସଂଖ୍ୟାରେ ଜନସମାଗମ ସାଙ୍ଗକୁ ରାଜ୍ୟ ବାହାରୁ ଆସିବାକୁ ଥିବା ବହୁ ସଂଖାରେ ଶ୍ରଦ୍ଧାଳୁମାନଙ୍କ ସମାବେଶ ପାଇଁ ବିଭିନ୍ନ ଦିଗରେ ଆଲୋଚନା ଅନୁଯାୟୀ ନିଷ୍ପତ୍ତି ନିଆଯାଇଥିଲା।

ରାସ୍ତା ମରାମତି, ରାସ୍ତାରେ ଆଲୋକ, ରାସ୍ତା ପାର୍ଶ୍ୱ ଗଛଡ଼ାଳ କଟାଯିବା, ବହୁ ସଂଖ୍ୟାରେ ସାମୟିକ ଶୌଚାଳୟ ସ୍ଥାପନ, ଭ୍ରାମ୍ୟମାଣ ଶୌଚାଳୟ, ସଫେଇ, ପାଣି ଟ୍ୟାଙ୍କର, ଆମ୍ବୁଲାନସ୍ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ଅବକାରୀ ଧରପଗଡ଼, ଅଗ୍ନିନିରାପତ୍ତା ବ୍ୟବସ୍ଥା, ରେଳଷ୍ଟେସନ୍‌ରେ ଅଧିକ ଟିକେଟ୍ କାଉଣ୍ଟର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ସର୍ବୋପରି ସବୁଠୁ ଗୁରୁତ୍ୱପୂୂର୍ଣ୍ଣ କାର୍ଯ୍ୟ ଟ୍ରାଫିକ୍ ନିୟନ୍ତ୍ରଣ ଶାନ୍ତି ଶୃଙ୍ଖଳା ରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବା ପାଇଁ ବୈଠକରେ ଉପସ୍ଥିତ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଜନ ଗହଳି ନିୟନ୍ତ୍ରଣ ପାଇଁ ଭଲ୍ୟୁଣ୍ଟର ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳ ଓ ସି.ସି.ଟି.ଭି. ଲଗାଇବା ପାଇଁ ଏସ୍‌.ପି. ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ରାସ୍ତାରେ ଉଠା ଦୋକାନ ବସାଇ ନଦେବା, ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନସ୍‌ଫର୍ମର ସ୍ଥାପନ ସହ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଯୋଗାଇଦେବା, ମନଇଚ୍ଛା ବସ୍‌ଭଡ଼ା ବୃଦ୍ଧିକୁ ନିଷେଧ କରାଯିବା ନେଇ ମଧ୍ୟ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୂଚାନଯୋଗ୍ୟକି ଉର୍ସ ଉତ୍ସବ ପାଳନ ଉପଲକ୍ଷେ ୩୦-୧୧-୨୨ ଦିନ ସକାଳ ୬ଟା ରୁ ୭.୩୦ ପର୍ଯ୍ୟନ୍ତ କୋରାନ୍ ପାଠ ୭ଟା ୩୦ରୁ ପୀରବାବାଙ୍କୁ ଶ୍ରଦ୍ଧାଳୁମାନଙ୍କ ଦର୍ଶନ, ସକାଳ ୮ ଟାରୁ ସନ୍ଧା ୫ଟା ପର୍ଯ୍ୟନ୍ତ କବି ସମ୍ମିଳନୀ ୧.୧୨.୨୨ ପ୍ରତ୍ୟୁଷ ୪ଟା ରେ ବାବାଙ୍କ ସ୍ନାନ, ୬ଟା ରୁ ଉତ୍ସବର ବିଶେଷ ଆକର୍ଷଣ ଚଦର ଶେଭାଯାତ୍ରା ଅପରାହ୍ନ ୪ ଟା ରୁ ୫ଟା ୧୫ ସାମୂହିକ ପ୍ରାର୍ଥନା ଏବଂ ପୀରବାବାଙ୍କ ନାତି ସାଜାଦା ନସିନ୍‌ଙ୍କ ଧାର୍ମିକ ବାଣୀ ପ୍ରଦାନ ଏବଂ ରାତ୍ର ୮ଟା ରୁ ଭୋର ୪ଟା ୩୦ ପର୍ଯ୍ୟନ୍ତ ମୌଳାନା ମାନଙ୍କର ଆଧ୍ୟାତ୍ମିକ ବକ୍ତବ୍ୟ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଡ଼ି.ଏସ୍‌.ପି., ଡ଼ି.ଆଇ.ବି କମଳ ଲୋଚନ ଭୂୟାଁ, ଧାମନଗର ବି.ଡ଼ି.ଓ ବନବିହାରୀ ଦିଣ୍ଡା, ତହସିଲଦାର କ୍ଷୀରୋଦ ପଣ୍ଡା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ଧାମନଗର ଏସ୍‌.ଡ଼ି.ପି.ଓ., ଆଇ.ଆଇ.ସି. ଓ ଅନ୍ୟ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.