ଦୁର୍ନୀତି ଏକ ଅମାନୁଷିକ ବିଚାରଧାରା ଯାହା ମଣିଷର ରିପୁ, ଲୋଭରୁ ଉତ୍ପତ୍ତି ହୋଇଥାଏ। କୌଣସି ମତେ ନିଜର ସମ୍ପତ୍ତି, ପ୍ରତିପତ୍ତି ବୃଦ୍ଧିକରି ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ ରହିଥାଏ ଦୁର୍ନୀତିଗ୍ରସ୍ଥ ମଣିଷର। ସେହି ବିଚାରଧାରା ଜନିତ ଲାଭାଂଶରୁ କିଛି କ୍ଷଣ ସୁଖ ମିଳୁଥିଲେ ମଧ୍ୟ ସବୁ ଦିଗରୁ ଜୀବନ ସାରା ଦୁଃଖ ପାଇବା ଜ୍ଞାନ ରହିନଥାଏ ଦୁର୍ନୀତିଗ୍ରସ୍ତ ମଣିଷର। ମାନବିକ ଚେତନାଜ୍ଞାନ ଅଭାବରୁ ମଣିଷର ଦୁର୍ନୀତି ପ୍ରତି ଆସକ୍ତି ବଢିଥାଏ। ଆମ ଦେଶରେ ମାନବିକ ଚେତନାଜ୍ଞାନ ବିକଶିତ କରାଯିବା କୌଣସି ବ୍ୟବସ୍ଥା ନଥିବା ହେତୁ ପ୍ରାୟତଃ ସବୁ ମଣିଷ କୌଣସି ନା କୌଣସି ଦିଗରେ ଦୁର୍ନୀତି କରି ନିଜର ସମ୍ପତ୍ତି ଅଭିବୃଦ୍ଧି କରିବା ପାଇଁ ଆଦୌ ପଛଘୁଞ୍ଚା ଦେଉନଥିବା ଆମେ ସମସ୍ତେ ଜାଣୁ। କେତେକ ମଣିଷ ଅହେତୁକ ଦୁର୍ନୀତି କରି ସମାଜରୁ ଅନାବଶ୍ୟକ ଅର୍ଥ ଆଦାୟ କରିବା ଦ୍ୱାରା ସାଧାରଣ ଲୋକଙ୍କ ଆର୍ଥିକ ପରିଚାଳନା କାର୍ଯ୍ୟ ବ୍ୟାଘାତ ହୋଇଥାଏ। ରାଷ୍ଟ୍ରର ସର୍ବ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନହେଲେ ଦେଶର ବିକାଶ ଅସମ୍ଭବ। ତେଣୁ ଆମ ଦେଶ ଭାରତ ବର୍ଷର ଅଭିବୃଦ୍ଧି ତଥା ବିକାଶ କରାଯିବା ଲକ୍ଷ ରଖାଗଲେ ପ୍ରଥମେ ଦେଶରୁ ଦୁର୍ନୀତିକୁ ଲୋପ କରିବାକୁ ହେବ। ଏହା ପାଇଁ ଅନେକ ଅଭିନବ ଉପାୟ ଅବଲମ୍ବନ କରିବାର ଅଛି, ସେଥି ମଧ୍ୟରୁ କିଛି ଉଦାହରଣ ସ୍ୱରୂପ…..
ଆମ ଦେଶରେ ବିଭିନ୍ନ ପ୍ରକାର ଦୁର୍ନୀତି ନିବାରଣ ବିଭାଗ ସକ୍ରିୟ ରହିଛନ୍ତି। କି’ନ୍ତୁ ଦୁଃଖର ବିଷୟ ଏହାକି ସମ୍ପୃକ୍ତ ବିଭାଗ ଗୁଡିକ କେବଳ ସରକାରୀ ନିୟନ୍ତ୍ରଣ ତଥା ସୀମିତ କ୍ଷମତା ପ୍ରାପ୍ତ ହୋଇ ରହିଥିବା ହେତୁ ସମାଜରୁ ଦୁର୍ନୀତି ନିବାରଣ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକରୁ ଅଧିକ ଦୁର୍ନୀତି ବଢି ଚାଲିଛି। ପ୍ରଥମେ ସମ୍ପୃକ୍ତ ଦୁର୍ନୀତି ନିବାରଣ ବିଭାଗ ଗୁଡିକୁ ସରକାରୀ ନିୟନ୍ତ୍ରଣ ରେଖା ମଧ୍ୟରୁ ଉନ୍ମୁକ୍ତ କରିବାକୁ ହେବ। ଦ୍ଵିତୀୟରେ ସେମାନଙ୍କ କ୍ଷମତାକୁ ସମ୍ପ୍ରସାରିତ କରି ସ୍ୱତଃ ପ୍ରବୃତ୍ତ ଭାବେ ଦୁର୍ନୀତିକୁ ପ୍ରତିରୋଧ କରିପାରିବା କ୍ଷମତା ପ୍ରଦାନ କରାଯିବା ଆବଶ୍ୟକ। ତୃତୀୟାରେ ସମ୍ପୃକ୍ତ ବିଭାଗ ଗୁଡିକ କେବଳ କାହାର ଅଭିଯୋଗ ପାଇଁ ଅପେକ୍ଷା ନକରି ସ୍ୱତଃପ୍ରବୃତ ଭାବେ ଦୁର୍ନୀତିକୁ ପ୍ରତିରୋଧ କରିବା ସଂଗେ ସଂଗେ ସାଧାରଣ ଲୋକ ତଥା ସରକାରୀ କଳର ସମସ୍ତ କର୍ମକର୍ତ୍ତାଙ୍କୁ ମାନବିକ ଚେତନା ଜ୍ଞାନ ବିତରଣ ପୂର୍ବକ ବିଭିନ୍ନ ଅଭିଲେଖ, କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଇତ୍ୟାଦି ଆୟୋଜନ କରି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଚେଷ୍ଟା କରାଗଲେ ପ୍ରାଥମିକ ସ୍ତରରେ କେତେକ ମାତ୍ରାରେ ଦୁର୍ନୀତିକୁ ନିୟନ୍ତ୍ରଣ କରାଯାଇ ପାରିବ ଯାହା ରାଷ୍ଟ୍ର ବିକାଶ ପାଇଁ ଯଥେଷ୍ଟ ସହାୟକ ହୋଇ ପାରିବ।
ଅନ୍ୟ ପକ୍ଷରେ ବ୍ୟବସାୟୀ ମାନଙ୍କୁ ମଧ୍ୟ ଦୁର୍ନୀତିର ସୀମାରେଖା ମଧ୍ୟରେ ପରିଚାଳିତ କରାଯିବା ନିତାନ୍ତ ଆବଶ୍ୟକ। କାରଣ ବିଭିନ୍ନ ସରକାରୀ ହେଉକି ବ୍ୟକ୍ତିଗତ ବ୍ୟବସାୟିକ ସଂସ୍ଥାନ ଗୁଡିକ ମଧ୍ୟ ଦୁର୍ନୀତିର ଚରମ ସୀମାରେ ପହଂଚି ଯାଇଛନ୍ତି ଆମ ଦେଶରେ ଯାହା ଦେଶ ବିକାଶରେ ବ୍ୟାପକ ବାଧା ସୃଷ୍ଟି କରୁଛି। ସେମାନଙ୍କୁ ମଧ୍ୟ ବିଭିନ୍ନ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ନିୟନ୍ତ୍ରିତ କରାଗଲେ ଧିରେ ଧିରେ ସମାଜରୁ ଦୁର୍ନୀତି ହଟିବ ଯାହା ରାଷ୍ଟ୍ର ବିକାଶ ଦିଗରେ ସହାୟକ ହେବ। ସାଧାରଣ ଲୋକଙ୍କ ପାଖରେ ଆବଶ୍ୟକ ଅର୍ଥ ପହଂଚି ପାରିଲେ ସମସ୍ତଙ୍କ ସାମୁହିକ ଉନ୍ନତ୍ତିକୁ ଆଧାର କରି ଏକ ବିକଶିତ ରାଷ୍ଟ୍ର ଗଠନ କରାଯାଇ ପାରିବ ଯାହା କେବଳ ସାମ୍ବିଧାନିକ ନିୟନ୍ତ୍ରଣ ମାଧ୍ୟମରେ ସମ୍ଭବ।
ଦୁର୍ନୀତି ମୁକ୍ତ ବିଚାରାଳୟ ପ୍ରତିଷ୍ଠା କରାଗଲେ ନିରପେକ୍ଷ ବିଚାର ଆସିବ, ଯାହା ଦ୍ୱାରା ଅପରାଧ ହେଉକି ଦୁର୍ନୀତି କରିବା ପାଇଁ ଦୁଷ୍କୃତ ସାହସ କରିପାରିବେ ନାହିଁ। ଆମ ଦେଶର ବିଚାରାଳୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା ନଥିବା ହେତୁ ଦୁର୍ନୀତି, ଅପରାଧ ଆଜି ସର୍ବାଗ୍ରେ। ଅଧିକନ୍ତୁ ବିଚାରାଳୟ ବିଭାଗ ମଧ୍ୟ ସରକାରୀ କଳର କ୍ଷମତାଧିନ ଅବସ୍ଥାରେ ରହିଥବା ହେତୁ ବ୍ୟାପକ ଦୁର୍ନୀତି, ଅପରାଧ ବଢୁଥିବା କୌଣସି ଆଶ୍ଚର୍ଯ୍ୟ ଜନକ ବିଷୟ ନୁହେଁ ସାଧାରଣ ଲୋକଙ୍କ ପାଇଁ। ବିଚାରାଳୟ ଗୁଡିକ ମଧ୍ୟ ସ୍ୱୟଂ କ୍ଷମତା ପ୍ରାପ୍ତ କରାଗଲେ ହୁଏତ କେତେକ ମାତ୍ରାରେ ଦୁର୍ନୀତି କମ ହେବ ଯଦ୍ୱାରା ରାଷ୍ଟ୍ର ବିକାଶ ଦିଗରେ ସହାୟକ ହୋଇ ପାରିବ। ବ୍ରିଟିଶ ସଂଯୋଜିତ ସମ୍ବିଧାନରେ ରାଜତନ୍ତ୍ର ମାଧ୍ୟମରେ ପରିଚାଳିତ ଅଲୌକିକ ଗଣତନ୍ତ୍ରର ବ୍ୟାପକ ଅମାନୁଷିକ ଆଇନ ସବୁ ରହିଛି ଆମ ଦେଶରେ ଯାହା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରି ଏକ ସୁସ୍ଥ ମଣିଷ ସମାଜ ଗଠନ ଦିଗରେ ପରିଚାଳିତ କରାଗଲେ ରାଷ୍ଟ୍ର ପ୍ରକୃତ ବିକାଶ ହୋଇ ପାରିବ ଯାହା ସମ୍ଭବ ଭଳି ଅନୁଭବ ହେଉନାହିଁ ଆଜି ସମୟର ପରିସ୍ଥିତି, ପରିବେଶକୁ ଦେଖିଲେ। ତଥାପି…..।
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.