Home ଜିଲ୍ଲା ପରିକ୍ରମା ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଧାମରାରେ ନିଯୁକ୍ତି ଦାବି, ଏନଏସୟୁଆଇର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଧାମରାରେ ନିଯୁକ୍ତି ଦାବି, ଏନଏସୟୁଆଇର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

41

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବି, ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଜିଲ୍ଲାର ଏକମାତ୍ର ଧାମରା ବନ୍ଦରରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଏନଏସୟୁଆଇ(ଛାତ୍ର କଂଗ୍ରେସ) ପକ୍ଷରୁ ଏକ ସ୍ମାରକପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସେକ୍ ସାହିଲ କାଦ୍ରୀଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ର ଅନୁଯାୟୀ ଭଦ୍ରକ ମହାବିଦ୍ୟାଳୟ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବ ପ୍ରାଚୀନ ମହାବିଦ୍ୟାଳୟ। ରାଜ୍ୟରେ ଅନ୍ୟ ବହୁ ଜିଲ୍ଲରେ ଥିବା କେତେକ ପୁରାତନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳି ସାରିଛି। କିନ୍ତୁ ଜିଲ୍ଲାର ଶାସକ ଦଳର ବିଧାୟକ ଓ ସାଂସଦଙ୍କ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ଭଦ୍ରକ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇ ପାରି ନାହିଁ। ଏହି ମହାବିଦ୍ୟାଳୟରୁ ପାସ କରିଥିବା ହଜାର ହଜାର ଛାତ୍ରଉାତ୍ରୀ ଦେଶ ତଥା ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। କିନ୍ତୁ ସମସ୍ତ ଭିତ୍ତିଭୂମୀ ଥାଇ ମଧ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ନାହାନ୍ତି। ତେଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ।

ସେହିପରି ଭୌଗଳିକ ଦୃଷ୍ଟିକୋଣରୁ ସରକାରୀ ମେଡିକାଲ କଲେଜ ସ୍ଥାପନ ପାଇଁ ଭଦ୍ରକ ହେଉଛି ଉକୃଷ୍ଟ ସ୍ଥାନ। କାରଣ ଭଦ୍ରକ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର କେତେକ ଅଞ୍ଚଳର ପ୍ରାୟ ୨୫ଲକ୍ଷ ଜନସାଧାରଣ ନିର୍ଭରଶୀଳ। କିନ୍ତୁ ଭଦ୍ରକରେ ଥିବା ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ କଂଗ୍ରେସ ଦିର୍ଘଦିନରୁ ଦାବି କରି ଆସିଛି। ଏପରିକିି ଦଳ ପକ୍ଷରୁ ଏହି ଦାବିରେ ଦିଆଯାଇଥିବା ଭଦ୍ରକ ବନ୍ଦ ଡାକରାକୁ ଅଭୂତପୂର୍ବ ସମର୍ଥନ ମିଳିଛି। ଗତ ସାଧାରଣ ନିର୍ବାଚନ ସମୟରେ ଶାସକ ଦଳର ପ୍ରାର୍ଥୀମାନେ ମେଡିକାଲ କଲେଜ ସ୍ଥାପନ ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ସେମାନେ ଏହି ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। ସେମାନେ ନିଜ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବାସ୍ତବ ସମସ୍ୟା ଠାରୁ ଦୁରେଇ ଯାଇଛନ୍ତି। ତେଣୁ ତୁରନ୍ତ ଏକ ମେଡିକାଲ କଲେଜ ସ୍ଥ୍‌ାପନ ପାଇଁ ଏନଏସୟୁଆଇ ଦାବି କରିଛି। ଅନୁରୂପ ଧାମରା ଠାରେ ବନ୍ଦର ପ୍ରତିଷ୍ଠା ସମୟରେ ସରକାର ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ପାଣିର ଗାର ହୋଇ ରହିଯାଇଛି।

ଉକ୍ତ ବନ୍ଦର ପ୍ରକଳ୍ପରେ ଚାକିର କରିଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି ବାହାର ରାଜ୍ୟୃର ଓ ଅଣଓଡ଼ିଆ। କେତେକ ଠିକା ସଂସ୍ଥା ଅଧିନରେ କିଛି ଓଡିଆ ଯୁବକ ଠିକା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ତେଣୁ ସରକାର ଉକ୍ତ ବନ୍ଦରରେ ସ୍ଥାନୀୟ ତଥା ଜିଲ୍ଲାର ଯୁବକଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ଦେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯଦି ଏହା ପୂରଣ ନହୁଏ ତେବେ ଆଗାମୀ ଦିନରେ ରେଳରୋକ କରାଯିବ ଓ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ସେକ ସାହିଲ କାଦ୍ରୀ ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯୋଗଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଉପରୋକ୍ତ ଯଥାଯଥ ଦାବିକୁ ମାନି ନେବାକୁ ଦାବି ରଖିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏନଏସୟୁଆଇର ଜାତୀୟ ସଂପାଦକ ତଥା ଓଡିଶା ପ୍ରଭାରୀ ଅନୁଲେଖା ବୋସା, ଜିଲ୍ଲା ପ୍ରଭାରୀ ଏମଡି ଗୁଲଫାନ, ନିହାର ରଂଜନ ବେହେରା, ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, ବରିଷ୍ଠ ନେତା ଅଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ରଂଜନ ଜେନା, ରାଜନ ଲାହା, ସୌରଭ ପଟ୍ଟନାୟକ, ସାଦ୍ ସିଦ୍ଦିକ, ମନୋରଂଜନ ପାଢ଼ୀ, ଅଭିଳାଷ ଜେନା, ଆଶିଶ କୁମାର ମହନ୍ତ, ବିଜୟ ପତି, ସରୋଜ ବାରିକ, ରଶ୍ମିରଂଜନ ସାହୁ, ନଗେନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.