ହାଟଡ଼ିହି-୫ /୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ଜୱାଦର ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେବି ଚାଷୀଙ୍କ ଆହାର ମୁହଁରେ ପାହାର ଦେଇଛି । ଅମଳ ହେବାକୁ ଥିବା ଧାନସବୁ ନଷ୍ଟ ହେବାକୁ ବସିଛି । କେଉଁଠି ଧାନ ଗଛସବୁ ଭାଙ୍ଗ ପଡି ପାଣିରେ ଭାଷୁଛି ତ ଆଉ କେଉଁଠି କିଆରୀ କିଆରୀ ପାଣିରେ ଧାନସବୁ ବୁଡି ଯାଇଛି । କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳରେ ଦୁଇଦିନ ଧରି ଲଗାଣବର୍ଷା ଲାଗି ରହିବାଦ୍ୱାରା ସମଗ୍ର ହାଟଡିହି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଦ୍ୱାରା ପାଚିଲା ଧାନସବୁ ପାଣିରେ ପଡି ରହିବା ଦ୍ୱାରା ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଚାଷକାମ ବିଳମ୍ବ ଘଟିଥିଲା । ଫଳରେ ଏବେ ସେହି ବିଲମାନଙ୍କରେ ଧାନ ସବୁ ପାଚିବା ଆରମ୍ଭ କରିଥିବାବେଳେ ଆଉ କିଛି ଜମିରେ ଧାନ ପାଚି ସାରିଥିଲା । ଏହି ସମୟରେ ବର୍ଷା ଓ ପବନ ହେବାରୁ ଧାନଜମି ଗୁଡିକରେ ପାଣି ଜମି ରହିବାସହ ଧାନଗଛ ସବୁ ଶୋଇଯିବାରୁ ଧାନକେଣ୍ଡା ଗୁଡିକ ପାଣିରେ ବୁଡି ରହିଛି । ବିଶେଷକରି ପଢ଼ିଆରିପଲ୍ଲୀ, ହଦଗଡ, ସୋସୋ, ବାଲିବରେଇ,ଢ଼େଙ୍କା, ସଢ଼ା, କେ ବାଲିପାଳ ଅଞ୍ଚଳରେ ଯେଉଁ ଚାଷୀମାନେ ଧାନସବୁ କାଟି ଖଳା ବାଡିକୁ ନେଇଥିଲେ ସେସବୁ ଅଞ୍ଚଳରେ ଧାନ ସବୁ ଖଳାରେ ଭିଜି ନଷ୍ଟ ହେବାକୁ ବସିଛି । ସେହିପରି ଶାସଙ୍ଗ, ବଞ୍ଚୋ, ଅକରୁଆ, ପନ୍ଦାଡୋ, ହାଟଡିହି, ଶାଳଣିଆଁ, ଇଞ୍ଚୋଳ, ବଡରମ୍ପାସ, ସମଣା, ଆମ୍ବୋ, ସୁଲଣ, ପଞ୍ଚୁଗୋଛିଆ, ଡଅଁର, ଆଇତିପୁର, ଗେଡମା, ଷଡଙ୍ଗ ଆଦି ପଞ୍ଚାୟତର ତଳିଆ ଜମି ଗୁଡିକରେ ପାଣି ଜମି ରହିଥିବାରୁ ଅନେକ କଟାଧାନ ସବୁ ପାଣିରେ ଭାଷୁଛି । କେତେକ ଚାଷୀ ଧାନସବୁକୁ ପାଲ ଘୋଡାଇ ସାଇତି କରି ରଖିଥିବାବେଳେ ଆଉ କିଛି ଚାଷୀ ହିଡ ଉପରେ ଧାନକୁ ସାଇତି ରଖିଛନ୍ତି । ପୁର୍ବରୁ ଚାଷଜମି ଗୁଡିକ ଓଦାଳିଆ ଥିବାବେଳେ ଏଯେଉଁ ବର୍ଷା ହେଲା ତାହାସବୁ ବିଲରେ ଜମି ରହିଲା । ଆମ୍ବୋ ପଞ୍ଚାୟତ ବେଗୁନିଆପଦି ଗ୍ରାମର ଘନଶ୍ୟାମ ସାହୁ, ନୃଷିହଂ ଚରଣ ସାହୁ, ରାମଚନ୍ଦ୍ର ସାହୁ, ନିରାକାର ଜେନା, ହରେକୃଷ୍ଣ ଜେନା, କାହ୍ନୁ ଚରଣ ସାହୁ, ରବି ଦାସ, ଅନନ୍ତ ରାଉଳ ପ୍ରମୁଖ ଗ୍ରାମବାସୀଙ୍କ ଶହଶହ ଏକର ଚାଷଜମି ପାଣିରେ ବୁଡି ରହିଛି । ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଧାନ ଅମଳହୋଇ ଘରକୁ ଆସିବା ସମ୍ଭବପର ନୁହଁ ବୋଲି ଅନେକ ଚାଷୀ କହିଛନ୍ତି ।