ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ପରିଷଦର ୧ନମ୍ବର ୱାର୍ଡ଼ର ଭଣ୍ଡାରିପଦୀ ଗ୍ରାମର ଦୀର୍ଘଦିନ ହେବ ଗ୍ରାମରାସ୍ତାକୁ ଉକ୍ତ ଅଂଚଳ କେତେକ ବ୍ୟକ୍ତି ଜବରଦଖଲ କରିବା ସହିତ ସେଠାରେ ସ୍ଥାୟୀ ଘର ମଧ୍ୟ କରିଥିଲେ ଫଳରେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ । ଏନେଇ ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ ସ୍ଥାନୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡ଼ବ୍ଲ୍ୟପିସି ନଂ ୨୭୫୫୨/୨୦୨୦ରେ ଧାମନଗର ତହସିଲଦାରଙ୍କୁ ଉକ୍ତ ଗ୍ରାମ ରାସ୍ତାକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ତହସିଲଦାର କ୍ଷୀରୋଦ ପଣ୍ଡା ଉକ୍ତ ଗ୍ରାମରାସ୍ତା ଉଚ୍ଛେଦ କରାଇଥିଲେ । ଏହି ଉଚ୍ଛେଦ ସମୟରେ ଏସ୍ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ, ଏସ୍ଆଇ ମୋତିଲାଲ ମାରାଣ୍ଡି ଓ ମୋନାଲିସା ପ୍ରଧାନ, ଧୂଷୁରୀ ଥାନା ଏଏସ୍ଆଇ ସେବତୀ କର ସମେତ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସୂଚନା ଥାଉକି ଭଣ୍ଡାରିପଦୀ ଗ୍ରାମର ୧୧୯୩ ପ୍ଲଟର ଏ୦.୦୮ଡ଼ି, ଗ୍ରାମ ରାସ୍ତାର ଗ୍ରାମର କୃଷ୍ଣଚନ୍ଦ୍ର ଲେଙ୍କା, ଅଭିରାମ ଜେନା, ନାରାୟଣ ଲେଙ୍କା, ଖଗେଶ୍ୱର ଲେଙ୍କା, ରାଜକିଶୋର ଲେଙ୍କା, ବେଣୁଧର ଜେନା ପ୍ରମୁଖ ଜବରଦଖଲ କରିଥିବାର ଆଜି ତହସିଲଦାର ଉକ୍ତ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିଥିଲେ । ମାତ୍ର ଉପରୋକ୍ତ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ଜାଗାରେ ଭଙ୍ଗାନଯାଇ ବ୍ୟକ୍ତିଗତ ଜାଗାକୁ ଭଙ୍ଗାଯାଉଛି ବୋଲି ଗ୍ରାମର କେତେକ ମହିଳା ଓ ପୁରୁଷ ମାନେ ପ୍ରତିବାଦ କରିଥିଲେ । ଗ୍ରାମର କେତେକ ବ୍ୟକ୍ତି ଗ୍ରାମ ରାସ୍ତାକୁ ଜବରଦଖଲ କରୁଥିବାରୁ ଆମ୍ଭେ କେବଳ ଜବରଦଖଲ ରାସ୍ତାକୁ ଉଚ୍ଛେଦ କରିଛୁ ତେବେ ଜେସିବି ଗଲାବେଳେ ବ୍ୟକ୍ତିଗତ ଭାବେ କାହାର କ୍ଷତି ଘଟିଥାଇପାରେ ବୋଲି ତହସିଲଦାର ପ୍ରକାଶ କରିଥିଲେ । ତେବେ ଉକ୍ତ ରାସ୍ତା କେସ ଅନୁଯାଇ ତହସିଲଦାର ପକ୍ଷପାତିତା କରି ଜାଗା ଚିହ୍ନଟ ନକରି ଉଚ୍ଛେଦ କରୁଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।