ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ କୁହାଯାଉଥିବା ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ, ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଏବଂ ହୀରାମଣି ଦେବୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ। ବଂଶ ପରମ୍ପରା ଏବଂ କୌଳିକ ପ୍ରଥା କ୍ରମେ ଶୈଶବ ଜୀବନ ଅତିବାହିତ କରିବା ପରେ ଜୟୀ ରାଜଗୁରୁ ସଂସ୍କୃତ ବିଦ୍ୟା ଅର୍ଜନ କରିଥିଲେ। ସେ ଜଣେ ମେଧାବୀ ଛାତ୍ରଥିଲେ। ବଂଶ ପରମ୍ପରା ଅନୁଯାୟୀ ରାଜ ପୁରୋହିତ ଥିବା ଜୟୀ ରାଜଗୁରୁ ଜ୍ଞାନୀ, ମାନୀ, ନାନା ଶାସ୍ତ୍ର ବିଶାରଦ, ଭାଷାବିତ, ରାଜନୈତିକ ପରାମର୍ଶଦାତା, ନିପୁଣ ଗୁଣଗ୍ରାହୀ ରୂପେ ପ୍ରସିଦ୍ଧ ହୋଇଥିଲେ। ତାଙ୍କର ଏପରି ଦକ୍ଷତା ଦେଖି ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବା ପାଇଁ ଚେଷ୍ଟିତ ଥିଲେ। ପିତା ଚାନ୍ଦ ରାଜ ଗୁରୁଙ୍କ ଅନ୍ତେ ସେ ଖୋରଧା ରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ରାଜ ସଭାରେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ରାଜଗୁରୁ ତଥା ମନ୍ତ୍ରୀ ଭାବରେ ପ୍ରତିଷ୍ଠିତ ହୋଇଥିଲେ। ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ। ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ (ଦ୍ୱିତୀୟ)ଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତରେ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ। ଖୋରଧା ରାଜାଙ୍କୁ ଉତ୍କଳର ଶାସକ ଭାବେ ପୂର୍ଣ୍ଣ ପ୍ରତିଷ୍ଠିତ କରିବା ପାଇଁ ସେ ଉଦ୍ୟମ ଚଳାଇଥିଲେ। କିନ୍ତୁ, ମରହଟ୍ଟା ମାନଙ୍କର ଅତ୍ୟାଚାରରେ ବ୍ୟାକୁଳ ଜନତାଙ୍କ ମନୋବଳ ଭାଙ୍ଗି ପଡ଼ିଥିବାର ଦେଖି ସେ ଦୟା ନଦୀରେ ଝାସ ଦେଇ ପ୍ରାଣତ୍ୟାଗ କରିବାକୁ ଉଦ୍ୟତ ହେବାରୁ ବରୁଣାଇ ଠାକୁରାଣୀ ତାଙ୍କୁ ରକ୍ଷା କରିଥିଲେ ବୋଲି ଲୋକ ମୁଖରେ ପ୍ରଚଳିତ ଅଛି।
ସ୍ୱାଧୀନତା ସଂଗ୍ରାମରେ ଭୂମିକା –
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋରଧା ରାଜାଙ୍କଠାରୁ କର ମାଗିଲେ ଏବଂ ସେମାନଙ୍କ ବଶତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ। ଏହା ଜୟୀ ରାଜଗୁରୁଙ୍କ ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା। “ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ” ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନା ବାହିନୀରେ ମିଶାଇଲେ। ଓଡ଼ିଶାକୁ ବାହ୍ୟଶତୃ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ରହି ସେ ଖୋରଧା ଅଞ୍ଚଳରେ ପାଇକ ଜାଗରଣ ପାଇଁ ଚେଷ୍ଟା କରିଥିଲେ। ଗାଁ’କୁ ଗାଁ’ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ା ମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜ ମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।
ବଳିଦାନ –
୧୮୦୪ ମସିହାରେ ମହାନଦୀ କୂଳରେ ସେ ପ୍ରଥମ ଥର ଇଂରେଜ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ଇଂରେଜ ମାନଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା। ଏହାର ପ୍ରତିରୋଧ କରିବା ପାଇଁ ସେମାନେ ମାନ୍ଦ୍ରାଜରୁ ଅଧିକ ସୈନ୍ୟ ମଗାଇଲେ। ୧୮୦୪ ଡିସେମ୍ବରକୁ ବରୁଣାଇ ପାହାଡ଼ ନିକଟସ୍ଥ ବରୁଣାଇ ଗଡ଼ରେ ଇଂରେଜ ବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ବାହିନୀ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋରଧା ପାଇକ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜ ମାନଙ୍କୁ ହତବମ୍ବ କରି ଦେଇଥିଲା। କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ସେମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ ଏବଂ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ। ୧୮୦୬ ମସିହାରେ ଜୟୀ ରାଜଗୁରୁଙ୍କୁ ବିଚାର ପାଇଁ ମେଦିନୀପୁରକୁ ସ୍ଥାନାନ୍ତରିତ କରି ଦିଆଗଲା। ସେଠାରେ ବିଚାର ପରେ ଡିସେମ୍ବର ୬ ତାରିଖ ଦିନ ଜୟୀ ରାଜଗୁରୁଙ୍କୁ ଅତି ଅମାନୁଷିକ ଭାବେ ଦୁଇ ଗଛରେ ଦୁଇ ଗୋଡ଼ ବାନ୍ଧି ଫାଡ଼ି ଦିଆଯାଇଥିଲା। ଜୀବନ ପଛେ ଦେଇଥିଲେ, କିନ୍ତୁ ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜ ମାନଙ୍କ ସାମ୍ନାରେ ନଇଁ ନ’ଥିଲେ। ସେଥିପାଇଁ ଲୋକକଥା ପ୍ରଚଳିତ ଅଛି, “ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା।” ଆଜି ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମତିଥୀ ଅବସରରେ ତାଙ୍କୁ କୋଟି ପ୍ରଣାମ।
–@DevDrath