Home ଓଡ଼ିଶା ଯୋଡା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ଦେବସ୍ନାନ

ଯୋଡା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ଦେବସ୍ନାନ

179

ଯୋଡା,୨୪/୬ (ଓଡିଆ ପୁ୍ଅ / ସେକ୍ ଜାବିର ମହମ୍ମଦ) ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତଙ୍କ ଗହଳିରେ ଯଥାରିତି ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରଭୁଙ୍କର ଦୁର୍ଲଭ ଗଜାନନ ବେଶ ଦର୍ଶନରୁ ଅଗଣିତ ଭକ୍ତ ବଞ୍ଚିତ ହୋଇଛନ୍ତି । ଯୋଡା ବନବାସୀ କ୍ଷେତ୍ରରେ ଚଳିତ ବର୍ଷ ବିନା ଭକ୍ତରେ ସମାପନ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା । ପୁରୀ ମନ୍ଦିର ଢାଞ୍ଚାରେ ସମାନ ରୀତିନୀତି ଅନୁଯାୟୀ ଯୋଡା ବନବାସୀ କ୍ଷେତ୍ରରେ ଗୁରୁବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ପାଳିତ ହୋଇଛି । ପ୍ରାତଃ ସମୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମାହାରାଜଙ୍କୁ ଧାଡି ପହଣ୍ଡିରେ ମାର୍ଜନା ପୂର୍ବକ ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରାଯାଇଥିଲା । ବୈଦିକ ରୀତି ଓ ନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ବିଗ୍ରହଙ୍କ ଷୋଡଶ ଉପଚାରରେ ପୂଜା ଅର୍ଚ୍ଚନା କରାଯାଇଥିଲା । ସକାଳ ସାଢେ ୯ଟା ସମୟରେ ସ୍ନାନବେଦୀରେ ମଙ୍ଗଳାର୍ପଣ କାର୍ଯ୍ୟ ଶେଷ ହେବା ପରେ ସୁଗନ୍ଧିତ ଚନ୍ଦନ ଓ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧା ମୁର୍ତ୍ତିଙ୍କର ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ମୁତାବକ ଶ୍ରୀଜଗନ୍ନାଥଙ୍କୁ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କୁ ୩୩ କୁମ୍ଭ, ଶ୍ରୀ ସୁଭଦ୍ରା ମାଙ୍କୁ ୨୨ କୁମ୍ଭ ଓ ଚକ୍ରରାଜ ସୁଦର୍ଶନ ମାହାରାଜଙ୍କୁ ୧୮ କୁମ୍ଭ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା । ମହାସ୍ନାନ ପରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଗଜାନନ ବେଶ କରାଯାଇ ମଧ୍ୟାହ୍ନ ଗୋଟାଏରେ ଅନ୍ନନୀତି ସମ୍ପନ୍ନ ହୋଇଥିଲା । ରାତି ପ୍ରାୟ ୯ଟା ବେଳକୁ ତିନି ଠାକୁର ସ୍ନାନ ମଣ୍ଡପରୁ ଅଣସର ଗୃହକୁ ପହଣ୍ଡିରେ ନିଆଯାଇଥିଲା । ମହାସ୍ନାନ ପରେ ଶ୍ରୀଜୀଉ ୧୫ ଦିନ ନିମନ୍ତେ ଅଣସର ଗୃହକୁ ବିଜେ କରିବାର ନୀତି ସହ ଚତୁର୍ଦ୍ଧା ବିଗ୍ରହଙ୍କ ଗୁପ୍ତସେବା ପରମ୍ପରା ରହିଛି । ବିନା ଭକ୍ତଙ୍କ ଗହଳିଚହଳିରେ ସୀମିତ ପୂଜାରୀଙ୍କୁ ନେଇ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ କରାଯାଇଛି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବ୍ୟତିତ ଅନ୍ୟ ମନ୍ଦିର ମାନଙ୍କରେ ରଥ ଯାତ୍ରା ବନ୍ଦ ସାଙ୍ଗକୁ ଜନଗହଳି ନକରିବା ପାଇଁ ପ୍ରଶାସନୀକ ନିର୍ଦ୍ଦେଶ ଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଗଜାନନ ବେଶକୁ ଦର୍ଶନରୁ ବଞ୍ଚିତ ହୋଇଥିଲେ । ନିରାଡମ୍ବରପୂର୍ଣ୍ଣ ଭାବେ ଯୋଡା ବନବାସୀ କ୍ଷେତ୍ରରେ ସ୍ନାନ ଯାତ୍ରା ସମାପନ ହୋଇଅଛି । ଏହି ସ୍ନାନ ଯାତ୍ରା ପରଠାରୁ ଶ୍ରୀଜୀଉମାନଙ୍କର ରଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଯୋଡା ବନବାସୀ କ୍ଷେତ୍ରର ମୁଖ୍ୟ ସେବାୟତ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରକାନ୍ତ ଶୁକ୍ଳା, ଅଭୟ ଶୁକ୍ଳା ଓ ସୂର୍ଯ୍ୟମଣୀ ପଣ୍ଡା ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ କରିଥିଲେ । ଯୋଡା ଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ଡଃ ଅନିଲ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛିନ୍ତି ଯେ, ପ୍ରଶାସନର ସମସ୍ତ କରୋନା କଟକଣାକୁ ପାଳନ ପୂର୍ବକ ଶ୍ରୀଜୀଉମାନଙ୍କର ନୀତିକାନ୍ତି ଅନୁଷ୍ଠିତ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.