Home ଜିଲ୍ଲା ପରିକ୍ରମା ଗାଁରେ ପଶିଲା ଦନ୍ତା: ଜଗିଛି ବନବିଭାଗ ଭୟରେ ଅଞ୍ଚଳବାସୀ

ଗାଁରେ ପଶିଲା ଦନ୍ତା: ଜଗିଛି ବନବିଭାଗ ଭୟରେ ଅଞ୍ଚଳବାସୀ

71

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବର୍ଷାଋତୁ ଆରମ୍ଭରୁ ଜନବସତିକୁ ପଶିଆସିଛି ପୂର୍ବ ଦନ୍ତା ହାତୀ । ଏହି ଦନ୍ତାହାତୀଟି ଆଜକୁ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ଗ୍ରୀଷ୍ମ ଋତୁରେ ରବିଧାନ, ଆମ୍ବ, ପଣସ, ସପୁରୀ ଓ ପନିପରିବା ଖାଇବା ପାଇଁ ଗାଁମୁହାଁ ହେଉଛି । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳର ଗ୍ରାମବାସୀ । ପ୍ରତିବର୍ଷ ଏହି ଦନ୍ତାହାତୀର ଉପଦ୍ରବ୍ୟ ଲୋକଙ୍କ ଆଖିରୁ ନିଦ ହଜାଇ ଦେଉଛି । ଏହି ଦନ୍ତା ହାତୀ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ସୋସୋ, କାନପୁର, ପାଟକନା, ଓ ରାଉତରାପୁର ଗ୍ରାମରେ ଆତଙ୍କରାଜ ଚଳାଇଛି । ସୋସୋ ତୋଟାରୁ ହାତୀ ବାହାରି ଆଗରପଡ଼ା ସ୍ଥିତ ରାଉତରାପୁର, ପାଟକନା, ସାଳନ୍ଦୀ ନଦୀର ଅପରପାଶ୍ୱର୍ ଦନେଇପୁର, ମହାନ୍ତିପଡ଼ା, ହଳଦିପହଣୀ ନଦୀପଠା ଅଞ୍ଚଳରେ ବୁଲିବା ସହ ଲୋକଙ୍କର ପନି ପରିବା କ୍ଷେତକୁ ଛାରଖାର କରୁଛି । ଏ ଅଞ୍ଚଳରେ ଥିବା ପାଳ ଜମିରେ ପ୍ରଚୁର ପରିପାଣରେ ଫଳ ଓ ପନିପରିବା ନଷ୍ଟ ହେଉଥିବା ଯୋଗୁଁ ଲୋକଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଉଛି । ଭୟରେ ପାଳକୁ ଲୋକେ ଯାଇ ପାରୁ ନାହାନ୍ତି । ଫଳରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଅଞ୍ଚଳବାସୀ । ଗତକାଲି ବିଳମ୍ବିତ ରାତ୍ରରେ ଏହି ଦନ୍ତାହାତୀଟି ହଦଗଡ଼ରୁ ବାହାରି ଦନେଇପୁର, ମହାନ୍ତିପଡ଼ା, ହଳଦିପହଣୀ ଶାସନ ଦେଇ କାଣ୍ଡବା ପାଖରେ ନଦୀପାରିହୋଇ ଆଗରପଡ଼ା କଲେଜ ପଡ଼ିଆ ରାସ୍ତା ପାଖ ଜଙ୍ଗଲରେ ରହିଛି । ସକାଳୁ ଗ୍ରାମବାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭଦ୍ରକ ବନଖଣ୍ଡ ଅଧିକାରୀ ବିକାଶ କୁମାର ଦାଶଙ୍କ ନିର୍ଦ୍ଦେଶାନୁଯାୟୀ ଭଦ୍ରକ ରେଞ୍ଜର ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଆଗରପଡ଼ା ବନପାଳ ସନ୍ତୋଷ ମାଝୀ, ଭଦ୍ରକ ବନପାଳ ବସନ୍ତ ମାଝୀ, ଅମରେନ୍ଦ୍ର ନାୟକ, ବନରକ୍ଷୀ ସାହାଜାନ ଅଲ୍ଲୀ ଖାନ୍ ପ୍ରମୁଖଙ୍କ ଏକ ସ୍କ୍ୱାର୍ଡ଼ ଟିମ ଘଟଣାସ୍ଥଳରେ ପହଞ୍ଚିି ହାତୀ ଉପରେ ନଜର ରଖିଛନ୍ତି । ତେବେ ଲୋକମାନେ କୌତୁହଳ ବଶତଃ ହାତୀ ନିକଟକୁ ଚାଲି ଯାଇ ଫଟୋ ଉଠାଉ ଥିବାରୁ ସେମାନଙ୍କୁ ହାତୀ ପାଖକୁ ଯିବାକୁ ବାରଣ କରାଯାଉଛି । ଏ ବିଷୟରେ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ଯୋଗଯୋଗ କରିବାରୁ ସେ କହିଲେ ଖବର ପାଇଲା ମାତ୍ରେ ହାତୀ ଉପରେ ନଜର ରଖାଯାଇଛି । ତେବେ ରାତ୍ରୀ ସମୟରେ ହାତୀକୁ ଘଉଡ଼ାଇବାର ବ୍ୟବସ୍ଥା କରାଯାଇଛି । ତେଣୁ ସନ୍ଧ୍ୟା ପରଠାରୁ ଲୋକମାନେ ଘରୁ ନବାହାରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.