ହାଟଡ଼ିହି, ୨୨/୫ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପର ଅନୁଧ୍ୟାନ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶମା ବିଲୁଙ୍ଗ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ଥକରି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପରିଦର୍ଶନ କରିବା ସହିତ କିଛି ସମ୍ଭାବ୍ୟ ବନ୍ୟା ପ୍ଳାବିତ ଗ୍ରାମ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଡିଓ ବିନିତା ବିଜୟୀନି, ତହସିଲଦାର କିର୍ତ୍ତନ ବିହାରୀ ଓଝା, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ପ୍ରମୁଖ ଗ୍ରସ୍ତକରିଥିଲେ । ପ୍ରଶାସନିକ ଅଧିକାରୀ ମାନେ ଆଇତିପୁର ପଞ୍ଚାୟତର ଆଇତିପୁର, ରାଘବପୁର, ନୁଆଗାଁ ଆଦି ଗ୍ରାମ ପରିଦର୍ଶନ କରି ସେଠାକାର ସରପଞ୍ଚ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ରତକଣା ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଏହାର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ପରେ ହାବଳେଶ୍ୱର ପଞ୍ଚାୟତ ଗ୍ରସ୍ତକରି ସେଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହିତ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ବିଶେଷକରି ଶାରିରୀକ ଅକ୍ଷମ, ବାର୍ଦ୍ଧକ୍ୟ ଓ ଆସନ୍ନପ୍ରସବା ମାନଙ୍କୁ ୨୫ତାରିଖ ପୁର୍ବରୁ ସୂରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ହାବଳେଶ୍ୱର, ଶିବପ୍ରସାଦ ନୋଡାଲ ସ୍କୁଲ ଜମ୍ଭରା, ସରିଦା ପ୍ରାଥମିକ ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ହାବଳେଶ୍ୱର ପଞ୍ଚାୟତରେ ୪୫୦ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଆକଳନ କରାଯାଉଥିବା ସରପଞ୍ଚ ଅନୁସୁୟା ବେହେରା ସୁଚନା ଦେଇଛନ୍ତି ।