ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସରସଦା ସେବା ସମବାୟ ସମିତି ମଣ୍ଡିରେ ଗତ ଫେବୃୟାରୀ ମାସ ପନ୍ଦର ତାରିଖରେ ଧାନବିକ୍ରୀ ପାଇଁ ଟୋକନ ପାଇଥିବା କୁବେରଗଡିଆ କୋଳିପଦି ସାହିର ଜନୈକ ଚାଷୀ ଟୋକନ ଅବଧି ଶେଷ ହୋଇଥିବା ଆଶଙ୍କା କରି ବିଷବୋତଲ ସହ ସମିତିରେ ଧାନବିକ୍ରୀ ପାଇଁ ସୋମବାର ଅଡି ଅଡିବସିଥିବା ଜଣାଯାଇଛି । ଟୋକନ ଅବଧି ପୂରଣ ହୋଇସାରିଛି । ଏବର୍ଷ ଆଉ ଧାନ ବିକ୍ରୀ କରିପାରିବ ନାହିଁ । ଅନ୍ୟପକ୍ଷରେ ସମିତିକୁ ଟାର୍ଗେଟ ଆସିନଥିବାରୁ ଧାନକ୍ରୟ ହୋଇପାରୁ ନାହିଁ । ଏଭଳି ପରିସ୍ଥିତିରେ ସଂପୃକ୍ତ ଚାଷୀ ହତୋତ୍ସାହିତ ହୋଇ ହାତରେ ବିଷ ବୋତଲ ଧରି ସମିତି କାର୍ଯ୍ୟାଳୟରେ ପହଞ୍ôଚଥିଲା । ସମିତି ପକ୍ଷରୁ ଥାନା, ଯୋଗାଣ ଅଧିକାରୀ, ସମବାୟ ନିବନ୍ଧକଙ୍କୁ ଜଣାଇ ଦିଆଯାଇଥିଲା । ଟୋକନର ଅବଧି ତିରିଶ ଦିନ । ଫେବୃୟାରୀ ମାସ ୨୮ ଦିନ ହୋଇଥିବାରୁ ମାର୍ଚ୍ଚ ମାସ ୧୭ ତାରିଖ ପର୍ଯ୍ୟନ୍ତ ଟୋକନ ବୈଧ ରହିଛି ଓ ଟାର୍ଗେଟ ଆସିଲେ ଧାନକ୍ରୟ କରାଯିବ ବୋଲି ଆଶ୍ୱାସନା ଦିଆଯିବା ପରେ ଚାଷୀ ସମିତିରୁ ଫେରିଯାଇଥିଲା । ପ୍ରତିଶ୍ରୁତି ଦେଇ ଟାର୍ଗେଟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯିବା ପ୍ରତିବାଦରେ ଚାଷୀମାନେ ପୁଣି ଆଗାମୀ ୧୯ ତାରିଖରେ ଧାନବସ୍ତା ସହ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଆଠ ତାରିଖରେ ଧାନବସ୍ତା ସହ ରାଜପଥ ଅବରୋଧ କରିଥିବା ଚାଷୀଙ୍କୁ ପ୍ରଶାସନ ପ୍ରତାରିତ କରିଛି । ଚାଷୀଙ୍କ ଉପରେ ମାମଲା ଋଜୁ କରାଯାଇଛି । ଏହାର ପ୍ରତିବାଦରେ ପୁନର୍ବାର ରାଜପଥ ଅବରୋଧ କରାଯିବ ବୋଳି ସୋମବାର ପ୍ରଶାସନକୁ ଚାଷୀମାନଙ୍କ ପକ୍ଷରୁ ଜଣାଇଦିଆଯାଇଛି ।








