ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଧାନକିଣାକୁ ନେଇ ଏବେ ବିଷମ ପରିସ୍ଥିତି ଉପୁଜିଛି । କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ , ସମବାୟ ସମିତି, ମିଲର ଓ ବିଭାଗୀୟ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକାରେ ବହୁ ଗରିବ ଚାଷୀ ଧାନ ଦେଇନପାରି ସେମାନଙ୍କ ଦ୍ୱାରା ଶୋଷଣର ଶୀକାର ହେଉଥିବାବେଳେ ଆଜି ସେହିଭଳି ଜଣେ ଚାଷୀ ନିଜର ଧାନ ଦେଇନପାରି ବିଷ ପିଇ ଗୁରୁତର ହେବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବନ୍ଧଗାଁ ପଂଚାୟତ ପାଞ୍ଚପଡା ଗ୍ରାମର ରାଧାକାନ୍ତ ପଣ୍ଡାଙ୍କ ପୁତ୍ର ରାମକୃଷ୍ଣ (୩୨) ନିଜର ୩୬୨ କ୍ୱିଣ୍ଟାଲ ଧାନ ଦେବାନେଇ ଜାନୁଆରୀ ୨୩ ରୁ ଟୋକନ ପାଇଥିଲେ ବି ଧାନକିଣା ଦାୟିତ୍ୱରେ ଥିବା ସ୍ଥାନୀୟ ବାବା ରାମେଶ୍ୱର ମହିଳା ମହାସଂଘର ସଭାପତି ମିନତୀ ବାରିକ ଓ ସଂପାଦକ ଚଂଚଳା ରାଉତ ତାଙ୍କୁ ସେଥିରେ ସହଯୋଗ କରିନଥିଲେ । ଏହି ମହାସଂଘ ବିରୁଦ୍ଧରେ ପୂର୍ବରୁ ଉପଜିଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ।
ତେବେ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଷ ପିଇ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ରାମକୃଷ୍ଣଙ୍କ ପିତା ରାଧାକାନ୍ତଙ୍କ ଅଭିଯୋଗ ମୂଳେ ସେ ଉପରୋକ୍ତ ଧାନ ଦେବା ନେଇ ଜାନୁଆରୀ ୨୩ ରୁ ଟୋକନ ପାଇଥିବାବେଳେ ଉକ୍ତ ମହାସଂଘ କହିବା ମୂଳେ ପିଏନ୍ ରାଇସ୍ ମିଲ୍ରେ ମାତ୍ର ୫୦ କ୍ୱିଣ୍ଟାଲ ଧାନ ଦେଇଥିଲେ । ଅବଶିଷ୍ଟ ଧାନ ଦେବାକୁ ଯାଇ ତାଙ୍କ ପୁତ୍ର ରାମକୃଷ୍ଣ ମହାସଂଘରୁ ବାରମ୍ବାର ଫେରିଥିଲେ । ଆଜି ମଧ୍ୟ ସେ ଉକ୍ତ ଧାନ ଦେବାପାଇଁ ମହାସଂଘ କାର୍ଯ୍ୟାଳୟକୁ ଯାଇ ନିରାଶ ହେବା ପରେ ମହାସଂଘର ସଭାପତି, ସଂପାଦକ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସାଙ୍ଗରେ ନେଇଥିବା ବିଷ ପିଇ ଗୁରୁତର ହୋଇପଡିଥିଲେ । ଖବର ପାଇ ତାଙ୍କ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରୁଥିବାର ଜଣାପଡିଛି । ତେବେ ରାମକୃଷ୍ଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି । ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ଉକ୍ତ ମହାସଂଘ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପିତା ରାଧାକାନ୍ତ ଦାବି କରିଛନ୍ତି ।