ବାଲେଶ୍ୱର, ୧୪ା୨(ଓଡ଼ିଆ ପୁଅ/ଅଭୟ ଦାସ): ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ସନ୍ତ୍ରାସବାଦୀ ଆକ୍ରମଣକୁ ଦୁଇ ବର୍ଷ ପୂରିଥିବା ବେଳେ ଶହୀଦ୍ ୪୦ ଜଣ ସିଆରପିଏଫ ଯବାନ୍ଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ରବିବାର ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀରାମ ସେନାର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବାଲେଶ୍ୱର ସହରର ବହୁ ଯୁବ-ଛାତ୍ର ଯୋଗଦେଇ କ୍ୟାଣ୍ଡେଲ ଜାଳିବା ସହ ଶହୀଦ ଯବାନ୍ଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଯୁବନେତା ମାନସ କୁମାର ଦତ ଏଥିରେ ଯୋଗଦେଇ ଶହୀଦ ଯବାନଙ୍କ ବଳିଦାନକୁ ସ୍ମରଣ କରିବା ସହ ସମଗ୍ର ଦେଶ ବୀର ଯବାନମାନଙ୍କ ସାଥିରେ ଛିଡା ହୋଇଚନ୍ତି ବୋଲି କହିଥିଲେ। ବୀର ଶହୀଦମାନଙ୍କ ଅମର ବଳିଦାନକୁ ମନେ ପକାଇ ଦେଶ ରକ୍ଷାରେ ବ୍ରତୀ ହୋଇପାରିଲେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଶ୍ରୀରାମ ସେନାର କର୍ମକର୍ତାମାନେ କହିଥିଲେ। ସହରର ବିଭିନ୍ନ ବର୍ଗର ଲୋକେ ଏଥିରେ ଯୋଗଦେଇ ପାକିସ୍ତାନର ବର୍ବୋରଚିତ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସେହିପରି ବାଲେଶ୍ୱରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ଥାନୀୟ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏବିଭିପିର ସଦସ୍ୟଙ୍କ ସହ ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦର ସଦସ୍ୟମାନେ ମହତବତୀ ଜାଳି ଅମର ଯବାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ରହୋିତ କୁମାର ପାଢୀ, ମହେନ୍ଦ୍ର ପ୍ରତାପ ଜେନା, ଶ୍ରୀକାନ୍ତ ନାୟକ, ନେତାଜୀ ତାପସ କୁମାର ସାହୁ, ସତ୍ୟପ୍ରକାଶ ମାଝୀ, ବିଶ୍ୱଜିତ ଡିଙ୍ଗାଳ, ଜ୍ଞାନରଞ୍ଜନ ବେହେରା ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏଥରେ ଯୋଗ ଦେଇ ବୀର ଶହୀଦଙ୍କ ଅମର ବଳିବାନର ସୃତିଚାରଣ ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।