Home Top News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍‌’ର ଓଡ଼ିଆ ଭାଷାନ୍ତର ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍‌’ର ଓଡ଼ିଆ ଭାଷାନ୍ତର ..

172

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଯେତେବେଳେ ମୁଁ ମନର କଥା କାର୍ଯ୍ୟକ୍ରମଟି କରେ, ସେତେବେଳେ ମୋତେ ଲାଗେ, ଯେମିତି ମୁଁ ଆପଣମାନଙ୍କ ଗହଣରେ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ଉପସ୍ଥିତ । ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ-ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା । ଆଜି 2021 ମସିହା ଜାନୁଆରୀ ମାସର ଅନ୍ତିମ ଦିନ । ମୋ ଭଳି କ’ଣ ଆପଣମାନେ ବି ଭାବୁଛନ୍ତି ଯେ, ଏଇ ମାତ୍ର କିଛିଦିନ ଆଗରୁ ତ 2021 ଆରମ୍ଭ ହୋଇଥିଲା!! ଏମିତି ଲାଗୁନି ଯେ, ଜାନୁଆରୀ ମାସଟି ସରିଗଲା! ଏହା ହିଁ ତ ସମୟର ଗତି । ଲାଗୁଛି, ଏଇ ଯେମିତି ମାତ୍ର କିଛି ଦିନ ତଳ କଥା – ଯେତେବେଳେ ଆମେମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଥିଲେ । ତାପରେ ଆମେ ପାଳନ କଲେ ଲୋହଡ଼ି, ମକର ସଂକ୍ରାନ୍ତି, ପୋଙ୍ଗଲ ଆଉ ବିହୁ । ଦେଶର ବିଭିନ୍ନ ଭାଗରେ ଉତ୍ସବର ଆନନ୍ଦ ଉଲ୍ଲାସ ଥିଲା । ଜାନୁଆରୀ 23 ତାରିଖ ଦିନ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କଲୁ ଏବଂ ଜାନୁଆରୀ 26 ତାରିଖ ଦିନ ଗଣତନ୍ତ୍ର ଦିବସର ସୁନ୍ଦର ପରେଡକୁ ମଧ୍ୟ ଉପଭୋଗ କଲୁ । ରାଷ୍ଟ୍ରପତି ମହୋଦୟଙ୍କ ଦ୍ୱାରା ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ସହ ବଜେଟ ଅଧିବେଶନ ବି ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଆଉ ଗୋଟିଏ କାର୍ଯ୍ୟ ମଧ୍ୟ ହେଲା, ଯାହାକୁ ଆମେ ସମସ୍ତେ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଉ । ତାହା ହେଉଛି – ପଦ୍ମ ପୁରସ୍କାରର ଘୋଷଣା । ଅସାଧାରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ ଉପଲବ୍ଧି ଓ ମାନବଜାତି ପ୍ରତି ସେମାନଙ୍କ ଅବଦାନ ପାଇଁ ଦେଶ ସମ୍ମାନିତ କଲା । ଚଳିତ ବର୍ଷ ମଧ୍ୟ ପୁରସ୍କାର ଲାଭ କରିଥିବା ଲୋକଙ୍କ ମଧ୍ୟରେ ସେହିମାନେ ରହିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଖୁବ ଭଲ କାମ କରିଛନ୍ତି, ନିଜ କାର୍ଯ୍ୟ ଦ୍ୱାରା କାହାରି ଜୀବନକୁ ବଦଳାଇଛନ୍ତି, ଦେଶକୁ ଆଗକୁ ବଢ଼ାଇଛନ୍ତି । ଅର୍ଥାତ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ‘ଅନସଙ୍ଗ ହିରୋ’ ମାନଙ୍କୁ ପଦ୍ମ ସମ୍ମାନ ଦେବାର ଯେଉଁ ପରମ୍ପରା ଦେଶ କିଛି ବର୍ଷ ପୂର୍ବେ ଆରମ୍ଭ କରିଛି, ତାହାକୁ ଏ ବର୍ଷ ମଧ୍ୟ ବଜାୟ ରଖାଗଲା । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଲୋକମାନଙ୍କ ବିଷୟରେ, ସେମାନଙ୍କ ଅବଦାନ ବିଷୟରେ ନିଶ୍ଚୟ ଜାଣନ୍ତୁ । ପରିବାରରେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ । ଦେଖିବେ, ସମସ୍ତଙ୍କୁ ଏଥିରୁ କେତେ ପ୍ରେରଣା ମିଳୁଛି !

ଏହି ମାସରେ କ୍ରିକେଟ ପିଚ୍‌ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍‌ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ବର୍ଷ ଆରମ୍ଭରେ କରୋନା ସହ ଆମ ସଂଗ୍ରାମକୁ ପ୍ରାୟ ବର୍ଷେ ପୁରିଲା । କରୋନା ବିରୁଦ୍ଧରେ ଭାରତର ସଂଗ୍ରାମ ଯେମିତି ଗୋଟିଏ ଉଦାହରଣ ସୃଷ୍ଟି କରିଛି, ସେହିଭଳି ଆମର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସାରା ବିଶ୍ୱରେ ଗୋଟିଏ ଉଦାହରଣ ହେବାକୁ ଯାଉଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଆଉ ଗୋଟିଏ ଗର୍ବର କଥା କ’ଣ, ଜାଣନ୍ତି କି? ଆମେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସହ ବିଶ୍ୱରେ ସବୁଠାରୁ କ୍ଷିପ୍ର ଗତିରେ ଆମର ନାଗରିକମାନଙ୍କୁ ଟିକା ପ୍ରଦାନ କରିଚାଲିଛୁ । ଆମେରିକା ଭଳି ସମୃଦ୍ଧ ଦେଶରେ ଟିକାକରଣ କାର୍ଯ୍ୟ ପାଇଁ 18 ଦିନ ଏବଂ ବ୍ରିଟେନକୁ ଏଥିପାଇଁ 36 ଦିନ ସମୟ ଲାଗିଥିବା ବେଳେ ଭାରତ ମାତ୍ର 15 ଦିନରେ ଏହାର 30 ଲକ୍ଷରୁ ଅଧିକ କରୋନା ଯୋଦ୍ଧାମାନଙ୍କ ଟିକାକରଣ କରିସାରିଛି ।

ବନ୍ଧୁଗଣ, ମେଡ-ଇନ୍‌-ଇଣ୍ଡିଆ ଟିକା ଏକ ପକ୍ଷରେ ଭାରତର ଆତ୍ମନିର୍ଭରତାର ପ୍ରତୀକ ହୋଇଥିବାବେଳେ ଅପରପକ୍ଷରେ ଏହା ଭାରତର ଆତ୍ମଗୌରବର ମଧ୍ୟ ପ୍ରତୀକ ପାଲଟିଛି । ନମୋ ଆପ୍‌ରେ ୟୁ.ପି.ରୁ ଭାଇ ହିମାଂଶୁ ଯାଦବ ଲେଖିଛନ୍ତି ଯେ, ମେଡ-ଇନ୍‌-ଇଣ୍ଡିଆ ଟିକା ଯୋଗୁଁ ମନରେ ଗୋଟିଏ ନୂତନ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି । ମଦୁରାଇରୁ କିର୍ତୀ ଲେଖିଛନ୍ତି ଯେ, ତାଙ୍କର ଅନେକ ବିଦେଶୀ ବନ୍ଧୁ ତାଙ୍କୁ ମେସେଜ ପଠାଇ ଭାରତକୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି । କିର୍ତୀଙ୍କ ବନ୍ଧୁମାନେ ତାଙ୍କୁ ଲେଖିଛନ୍ତି ଯେ, କରୋନା ସହ ସଂଗ୍ରାମରେ ଭାରତ ଯେଉଁଭଳି ଭାବରେ ବିଶ୍ୱକୁ ସାହାଯ୍ୟ କରିଛି, ଏହାଦ୍ୱାରା ଭାରତ ପାଇଁ ତାଙ୍କ ମନରେ ସମ୍ମାନ ଆହୁରି ବୃଦ୍ଧି ପାଇଛି । କିର୍ତୀ, ଦେଶର ଏହି ଗୌରବଗାନ ଶୁଣି, ‘ମନ କି ବାତ୍‌’ର ଶ୍ରୋତାମାନଙ୍କୁ ବି ଗର୍ବ ଅନୁଭବ ହେବ । ଆଜିକାଲି ମୋତେ ମଧ୍ୟ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନଙ୍କ ତରଫରୁ ଏଭଳି ବାର୍ତ୍ତାମାନ ମିଳୁଛି । ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, ନିକଟରେ ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ତାଙ୍କର ଟ୍ୱିଟ୍ ବାର୍ତ୍ତା ମାଧ୍ୟମରେ ଯେଉଁଭଳି ଭାରତକୁ ଧନ୍ୟବାଦ ଦେଇଛନ୍ତି, ତାହାଦେଖି ପ୍ରତ୍ୟେକ ଭାରତୀୟଙ୍କୁ କେତେ ଭଲ ଲାଗିଲା । ହଜାର ହଜାର କିଲୋମିଟର ଦୂର ବିଶ୍ୱର କୋଣ-ଅନୁକୋଣରେ ବାସ କରୁଥିବା ଲୋକେ ରାମାୟଣର ସେହି ପ୍ରସଙ୍ଗକୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ଟ୍ୱିଟ୍‌ରେ ଦେଖି ଭଲ ଭାବରେ ଅନୁମାନ କରିପାରୁଥିବେ, ତାଙ୍କ ମନରେ ରାମାୟଣର କେତେ ପ୍ରଭାବ ରହିଛି! ଏହାହିଁ ଆମ ସଂସ୍କୃତିର ବୈଶିଷ୍ଟ୍ୟ ।

ବନ୍ଧୁଗଣ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ । ବିପଦ ସମୟରେ ଭାରତ ବିଶ୍ୱକୁ ଏଥିପାଇଁ ସେବା ଯୋଗାଇପାରୁଛି, କାରଣ ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ, ଆତ୍ମନିର୍ଭର । ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ମଧ୍ୟ ଏହିଭଳି । ଭାରତ ଯେତେ ସକ୍ଷମ ହେବ, ସେତିକି ଅଧିକ ମାନବଜାତିର ସେବା କରିବ, ବିଶ୍ୱ ସେତେ ଅଧିକ ଲାଭବାନ ହେବ ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତି ଥର ଆପଣମାନଙ୍କର ବହୁତଗୁଡ଼ିଏ ଚିଠି ମିଳିଥାଏ । ନମୋ ଆପ୍ ଏବଂ ମାଇଗଭ୍‌ରେ ଆପଣମାନଙ୍କ ମେସେଜ ଓ ଫୋନ କଲ୍ ମାଧ୍ୟମରେ ଆପଣମାନଙ୍କ କଥା ଜାଣିବାର ସୁଯୋଗ ମିଳେ । ଏହି ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ମୋ ଦୃଷ୍ଟି ଆକର୍ଷଣ କଲା । ତାହା ହେଉଛି ଭଉଣୀ ପ୍ରିୟଙ୍କା ପାଣ୍ଡେଙ୍କ ବାର୍ତ୍ତା । 23 ବର୍ଷ ବୟସ୍କ ପ୍ରିୟଙ୍କା ହିନ୍ଦୀ ସାହିତ୍ୟର ଛାତ୍ରୀ ଏବଂ ବିହାରର ସିୱାନ୍‌ର ବାସିନ୍ଦା । ପ୍ରିୟଙ୍କା ନମୋ ଆପ୍‌ରେ ଲେଖିଛନ୍ତି ଯେ, ଦେଶର 15ଟି ଦେଶୀୟ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବାର ମୋ ପରାମର୍ଶରେ ସେ ଖୁବ ପ୍ରେରିତ ହୋଇଥିଲେ । ତେଣୁ, ଜାନୁଆରୀ 1 ତାରିଖ ଦିନ ସେ ଗୋଟିଏ ସ୍ଥାନ ପାଇଁ ବାହାରିଲେ, ଯାହା ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେ ସ୍ଥାନଟି ଥିଲା ତାଙ୍କ ଘରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ପୈତୃକ ନିବାସ ସ୍ଥାନ । ପ୍ରିୟଙ୍କା ଗୋଟିଏ ସୁନ୍ଦର କଥା ଲେଖିଛନ୍ତି ଯେ, ଆମ ଦେଶର ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବାର ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ପ୍ରିୟଙ୍କା ସେଠାରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରଚିତ ଅନେକ ବହି ଦେଖିବାକୁ ପାଇଲେ, ଅନେକ ଐତିହାସିକ ଫଟୋ ଦେଖିବାକୁ ପାଇଲେ । ପ୍ରିୟଙ୍କା ଜୀ, ବାସ୍ତବରେ ଆପଣଙ୍କ ଏହି ଅନୁଭୂତି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ବନ୍ଧୁଗଣ, ଚଳିତ ବର୍ଷ ଭାରତ ଏହାର ସ୍ୱାଧୀନତା ପ୍ରାପ୍ତିର 75 ବର୍ଷ ପୂର୍ତି ଉତ୍ସବ – ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି । ଯେଉଁ ମହାନାୟକମାନଙ୍କ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି ସେମାନଙ୍କ ସହ ଜଡିତ ଅଂଚଳଗୁଡିକ ସମ୍ପର୍କରେ ସୂଚନା ସଂଗ୍ରହ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ।

ବନ୍ଧୁଗଣ, ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ଓ ବିହାର ବିଷୟରେ କଥା ହେଉଛୁ, ସେତେବେଳେ ନମୋ ଆପ୍‌ରେ ଦିଆଯାଇଥିବା ଆଉ ଗୋଟିଏ ମନ୍ତବ୍ୟ ସମ୍ପର୍କରେ ମଧ୍ୟ ମୁଁ ଆଲୋଚନା କରିବାକୁ ଚାହୁଁଛି । ମୁଙ୍ଗେରରେ ରହୁଥିବା ଜୟରାମ ବିପ୍ଳବ ମୋତେ ତାରାପୁର ଶହୀଦ ଦିବସ ବିଷୟରେ ଲେଖିଛନ୍ତି । 1932 ମସିହା, ଫେବୃଆରୀ 15 ତାରିଖ । ଇଂରେଜମାନେ ଦେଶଭକ୍ତମାନଙ୍କର ଗୋଟିଏ ଦଳର ଅନେକ ବୀର ଯୁବକମାନଙ୍କୁ ଖୁବ ନୃଶଂସ ଭାବେ ହତ୍ୟା କରିଦେଲେ । ସେମାନଙ୍କ ଅପରାଧ ଏତିକି ମାତ୍ର ଥିଲା ଯେ, ସେମାନେ ବନ୍ଦେ ମାତରମ୍ ଓ ଭାରତମାତା କି ଜୟ ବୋଲି ସ୍ଲୋଗାନ ଦେଉଥିଲେ । ମୁଁ ସେହି ଶହୀଦମାନଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କ ସାହସକୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି । ମୁଁ ଜୟରାମ ବିପ୍ଳବଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ଏଭଳି ଗୋଟିଏ ଘଟଣା ଦେଶର ଲୋକଙ୍କ ଦୃଷ୍ଟିକୁ ଆଣିଲେ, ଯାହା ଉପରେ ସେତେ ଆଲୋଚନା କରାଯାଇନାହିଁ,

ମୋର ପ୍ରିୟ ଦେଶବାସୀଗଣ, ଭାରତର ପ୍ରତ୍ୟେକ ଅଂଶରେ, ପ୍ରତ୍ୟେକ ସହରରେ, ଗାଁ-ଗହଳିରେ ସ୍ୱାଧୀନତା ପାଇଁ ପୁରା ଦମ୍‌ରେ ସଂଗ୍ରାମ ଚାଲିଥିଲା । ଭାରତ ଭୂମିର ପ୍ରତ୍ୟେକ କୋଣରେ ଏଭଳି ବୀରପୁତ୍ର ଏବଂ ବୀରାଙ୍ଗନାମାନେ ଜନ୍ମଗ୍ରହଣ କରିଥିଲେ, ଯେଉଁମାନେ ଦେଶ ପାଇଁ ନିଜର ପ୍ରାଣବଳି ଦେଲେ । ଏଭଳି ପରିସ୍ଥିତିରେ ଆମ ପାଇଁ ସେମାନେ କରିଥିବା ସଂଘର୍ଷ ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିବା ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସମ୍ପର୍କରେ ଲେଖି ଆମେ ସେମାନଙ୍କ ସ୍ମୃତିକୁ ଆମର ଆଗାମୀ ପିଢ଼ି ପାଇଁ ଜୀବିତ ରଖିପାରିବା । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆମର ଯୁବବନ୍ଧୁମାନଙ୍କୁ ଆହ୍ୱାନ କରୁଛି, ସେମାନେ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ କଥାମାନ ଲେଖନ୍ତୁ । ନିଜ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସମୟର ବୀରତ୍ୱର କାହାଣୀଗୁଡ଼ିକ ସମ୍ପର୍କରେ ପୁସ୍ତକ ରଚନା କରନ୍ତୁ । ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରୁଥିବା ସମୟରେ ଆପଣଙ୍କ ଲେଖା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଯୁବ ଲେଖକ-ଲେଖିକାଙ୍କ ପାଇଁ ଇଣ୍ଡିଆ ସେଭେଂଟିଫାଇଭ୍ ଉଦ୍ଦେଶ୍ୟରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ସମସ୍ତ ରାଜ୍ୟ ଓ ଭାଷାର ଯୁବ ଲେଖକ-ଲେଖିକାଙ୍କୁ ପ୍ରୋତ୍ସାହନ ମିଳିବ । ଦେଶରେ ବହୁ ସଂଖ୍ୟାରେ ଏଭଳି ବିଷୟଗୁଡ଼ିକ ଉପରେ ଲେଖିବା ପାଇଁ ଲେଖକ-ଲେଖିକା ବାହାରିବେ, ଯେଉଁମାନଙ୍କର ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଗଭୀର ଜ୍ଞାନ ଥିବ । ସେହିଭଳି ଉଦୀୟମାନ ପ୍ରତିଭାଙ୍କୁ ଆମକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ହେବ । ଏହାଦ୍ୱାରା ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରୁଥିବା ବୁଦ୍ଧିଜୀବି ମାନଙ୍କର ଗୋଟିଏ ଶ୍ରେଣୀ ମଧ୍ୟ ସୃଷ୍ଟି ହେବ । ମୁଁ ଆମର ଯୁବସାଥୀମାନଙ୍କୁ ଏହି ଉଦ୍ୟମର ଅଂଶ ହେବା ସହ ନିଜର ସାହିତ୍ୟିକ କଳାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ନିମନ୍ତ୍ରଣ ଜଣାଉଛି । ଏ ସମ୍ପର୍କରେ ଅଧିକ ବିବରଣୀ ଶିକ୍ଷା ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରୁ ପାଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍‌’ରେ ଶ୍ରୋତାମାନଙ୍କୁ କ’ଣ ଅଧିକ ଭଲ ଲାଗେ ତାହା ଆପଣମାନେ ହିଁ ଭଲକରି ଜାଣନ୍ତି । କିନ୍ତୁ ମୋତେ ‘ମନ୍ କି ବାତ୍‌’ରେ ସବୁଠାରୁ ଏ ଥା ଭଲ ଲାଗେ ଯେ, ଏଥିରୁ ବହୁତ କଥା ଜାଣିବାକୁ, ଶିଖିବାକୁ ଓ ପଢ଼ିବାକୁ ମିଳେ । ଏକ ପ୍ରକାର ପରୋକ୍ଷ ଭାବେ ଆପଣ ସମସ୍ତଙ୍କ ସହ ଯୋଡ଼ିହେବାର ସୁଯୋଗ ମିଳେ । କାହାରି ପ୍ରଚେଷ୍ଟା, କାହାର ଉତ୍ସାହ, ଦେଶ ପାଇଁ କିଛି କରିଯିବାର କାହାର ଉଦ୍ୟମ – ଏସବୁ ମୋତେ ବହୁତ ପ୍ରେରଣା ଯୋଗାଏ, ଶକ୍ତିରେ ଭରିଦିଏ ।

ହାଇଦ୍ରାବାଦର ବୋୟିନପଲ୍ଲୀରେ ଗୋଟିଏ ପରିବା ବଜାର ରହିଛି । ଏହା କିଭଳି ନିଜର ଦାୟିତ୍ୱ ତୁଲାଉଛି, ସେକଥା ପଢ଼ି ମୋତେ ବହୁତ ଭଲ ଲାଗିଲା । ଆମେ ସମସ୍ତେ ଦେଖିଛୁ ଯେ, ପରିବା ବଜାରମାନଙ୍କରେ ଅନେକ କାରଣରୁ ବହୁତ ପରିବା ନଷ୍ଟ ହୋଇଥାଏ । ନଷ୍ଟ ହୋଇଯାଇଥିବା ସେହି ପରିବା ଆବର୍ଜନା ସୃଷ୍ଟି କରେ । କିନ୍ତୁ ବୋୟିନପଲ୍ଲୀ ପରିବା ବଜାରର ଲୋକେ ଏହା ସ୍ଥିର କଲେ ଯେ, ପ୍ରତିଦିନ ଏମିତି ନଷ୍ଟ ହେଉଥିବା ପରିବାକୁ ଫୋପଡ଼ା ଯିବ ନାହିଁ । ପରିବା ବଜାର ସହ ଜଡ଼ିତ ଲୋକେ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ସ୍ଥିର କଲେ । ପଚି-ସଢ଼ି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କଥା ହୁଏତ ଆପଣମାନେ ଶୁଣି ନ ଥିବେ । ଏହାହିଁ ତ ନବୋନ୍ମେଷର ଶକ୍ତି । ଆଗରୁ ବୋୟିନପଲ୍ଲୀ ପରିବା ବଜାରରେ ଯାହା ବର୍ଜ୍ୟବସ୍ତୁ ଥିଲା, ଆଜି ସେଥିରୁ ୱେଲ୍‌ଥ କ୍ରିଏଟ୍ ହେଉଛି । ଏହାହିଁ ତ ଆବର୍ଜନାରୁ ଅମୂଲ୍ୟ ସମ୍ପଦ ତିଆରିର ଯାତ୍ରା । ପ୍ରତିଦିନ ସେଠାରୁ 10 ଟନ୍ ବର୍ଜ୍ୟ ପଦାର୍ଥ ବାହାରୁଛି । ଏହାକୁ ଗୋଟିଏ ପ୍ଲାଂଟରେ ସଂଗୃହିତ କରାଯାଉଛି । ସେହି ପ୍ଲାଂଟରେ ଏଥିରୁ ପ୍ରତିଦିନ 500 ୟୁନିଟ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି ଆଉ ପ୍ରାୟ 30 କିଲୋଗ୍ରାମ ବାୟୋ-ଫୁଏଲ୍ ମଧ୍ୟ ଉତ୍ପାଦିତ ହେଉଛି । ସେଥିରେ ବଜାରର କ୍ୟାଣ୍ଟିନରେ ରୋଷେଇ କରାଯାଉଛି । ଏହା ଗୋଟିଏ ପ୍ରଶଂସନୀୟ ଉଦ୍ୟମ ନୁହେଁ କି?

ଏହିଭଳି ଆଉ ଗୋଟିଏ ଚମତ୍କାର କରି ଦେଖାଇଛନ୍ତି – ହରିୟାଣା ପଂଚକୁଲାର ବଡ଼ୌତ୍ ଗ୍ରାମପଂଚାୟତ । ଏହି ପଂଚାୟତ ଅଂଚଳରେ ଜଳ ନିଷ୍କାସନ ଏକ ସମସ୍ୟା ଥିଲା । ଏହା ଫଳରେ ଦୂଷିତ ପାଣି ଏଣେ ତେଣେ ମାଡ଼ୁଥିଲା, ରୋଗ ସୃଷ୍ଟି କରୁଥିଲା । କିନ୍ତୁ ବଡ଼ୌତ୍‌ର ଲୋକେ ଏହି ୱେଷ୍ଟ ୱାଟର୍‌ରୁ ୱେଲ୍‌ଥ କ୍ରିଏଟ୍ କରିବାକୁ ସ୍ଥିର କଲେ । ସାରା ଗାଁରୁ ବାହାରୁଥିବା ଦୂଷିତ ପାଣିକୁ ଗ୍ରାମପଂଚାୟତ କାର୍ଯ୍ୟାଳୟ ଗୋଟିଏ ଜାଗାରେ ଏକତ୍ରିତ କରି ଫିଲ୍ଟର କରିବା ଆରମ୍ଭ କଲା । ଫିଲ୍ଟର ହୋଇଥିବା ଏହି ପାଣି, ଏବେ ଗାଁର ଚାଷୀମାନେ ସେମାନଙ୍କ କ୍ଷେତରେ ଜଳସେଚନ ପାଇଁ ବ୍ୟବହାର କରୁଛନ୍ତି । ମାନେ, ପ୍ରଦୂଷଣ, ଆବର୍ଜନା ଏବଂ ରୋଗରୁ ମୁକ୍ତି ସାଙ୍ଗକୁ କ୍ଷେତରେ ଜଳସେଚନ ସମସ୍ୟାର ମଧ୍ୟ ସମାଧାନ ହୋଇପାରିଛି ।

ବନ୍ଧୁଗଣ, ପରିବେଶ ସୁରକ୍ଷା ସହ ରୋଜଗାରର ବାଟ ମଧ୍ୟ କେମିତି ଫିଟିଥାଏ, ଏହାର ଗୋଟିଏ ଉଦାହରଣ ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ମଧ୍ୟ ଦେଖିବାକୁ ମିଳିଲା । ଅରୁଣାଚଳ ପ୍ରଦେଶର ଏହି ପାର୍ବତ୍ୟ ଅଂଚଳରେ ଶହ ଶହ ବର୍ଷ ଧରି ମୋନ୍ ଶୁଗୁ ନାମକ ଗୋଟିଏ କାଗଜ ତିଆରି କରାଯାଇଥାଏ । ଏହି କାଗଜ ଏଠାକାର ଶୁଗୁ ଶେଙ୍ଗ ନାମକ ଗୋଟିଏ ବୃକ୍ଷର ବକ୍କଳରୁ ତିଆରି କରାଯାଏ, ତେଣୁ ଏହି କାଗଜ ତିଆରି କରିବା ପାଇଁ ଗଛ କାଟିବାକୁ ପଡ଼ି ନ ଥାଏ । ତାଛଡ଼ା ଏହାକୁ ତିଆରି କରିବା ପାଇଁ କୌଣସି କେମିକାଲ୍ ମଧ୍ୟ ପ୍ରୟୋଗ କରାଯାଏ ନାହିଁ । ଅର୍ଥାତ, ଏହି କାଗଜ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ । ଦିନ ଥିଲା, ଏହି କାଗଜ ରପ୍ତାନୀ ହେଉଥିଲା । କିନ୍ତୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଯେତେବେଳେ ବହୁ ପରିମାଣରେ କାଗଜ ତିଆରି ହେବାକୁ ଲାଗିଲା, ସେତେବେଳେ ଏହି ସ୍ଥାନୀୟ କଳା ବିଲୁପ୍ତ ହେବାକୁ ବସିଲା । ଏବେ ଜଣେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ଗୋମ୍ବୁ ଏହି କଳାକୁ ପୁନର୍ଜୀବିତ କରିବାର ପ୍ରଚେଷ୍ଟା କରିଛନ୍ତି । ଯାହା ଫଳରେ ଏଠାକାର ଆଦିବାସୀ ଭାଇ-ଭଉଣୀମାନଙ୍କୁ ରୋଜଗାର ମଧ୍ୟ ମିଳିପାରୁଛି ।

ମୁଁ କେରଳର ଆଉ ଗୋଟିଏ ଖବର ଦେଖିଛି, ଯାହା ଆମ ସମସ୍ତଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରୁଛି । କେରଳର କୋଟ୍ଟାୟାମ୍‌ଠାରେ ଜଣେ ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି – ଏନ.ଏସ. ରାଜପ୍ପନ ସାହେବ । ପାରାଲିସିସ୍ ଯୋଗୁଁ ରାଜପ୍ପନ ଚାଲିବାରେ ଅକ୍ଷମ, କିନ୍ତୁ ଏହାଦ୍ୱାରା ସ୍ୱଚ୍ଛତା ପ୍ରତି ତାଙ୍କ ସମର୍ପଣ ଭାବ ତିଳେହେଲେ ଊଣା ହୋଇନାହିଁ । ସେ ବିଗତ ଅନେକ ବର୍ଷ ଧରି ନାଆରେ ୱେମ୍ବନାଡ଼ ହ୍ରଦକୁ ଯାଉଛନ୍ତି ଏବଂ ହ୍ରଦରେ ଫୋପଡ଼ାଯାଇଥିବା ପ୍ଲାଷ୍ଟିକ ବୋତଲଗୁଡ଼ିକୁ ବାହାର କରି ନେଇ ଆସୁଛନ୍ତି । ଚିନ୍ତା କରନ୍ତୁ, ରାଜପ୍ପନଙ୍କର ଚିନ୍ତାଧାରା କେତେ ଉଚ୍ଚକୋଟୀର । ଆମେ ମଧ୍ୟ ରାଜପ୍ପନଙ୍କଠାରୁ ପ୍ରେରଣା ଗ୍ରହଣ କରି ସ୍ୱଚ୍ଛତା ପାଇଁ ଯେଉଁଠି ସମ୍ଭବ ନିଜର ଯୋଗଦାନ ଦେବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆମେରିକାର ସାନଫ୍ରାନ୍ସିସ୍କୋଠାରୁ ବେଙ୍ଗାଲୁରୁ ପାଇଁ ଗୋଟିଏ ନନ୍‌-ଷ୍ଟପ୍ ଫ୍ଲାଇଟ୍‌ର ନେତୃତ୍ୱ ଭାରତର ଚାରିଜଣ ମହିଳା ପାଇଲଟ୍ ନେଇଥିଲେ । ଦଶ ହଜାର କିଲୋମିଟରଠାରୁ ମଧ୍ୟ ଅଧିକ ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରି ଏହି ଫ୍ଲାଇଟ୍ 225ରୁ ଅଧିକ ଯାତ୍ରୀଙ୍କୁ ନେଇ ଭାରତକୁ ଆସିଲା । ଏଥର ଜାନୁଆରୀ 26 ତାରିଖର ପରେଡ୍‌ରେ ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯେକୌଣସି କ୍ଷେତ୍ର ହେଉ, ମହିଳାମାନଙ୍କ ଭାଗିଦାରୀ ନିରନ୍ତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖୁ ଯେ, ଦେଶର ଗାଁମାନଙ୍କରେ ହେଉଥିବା ଏଭଳି ପରିବର୍ତ୍ତନ ବିଶେଷ ଭାବେ ଲୋକଲୋଚନକୁ ଆସିପାରେ ନାହିଁ । ତେଣୁ, ଯେତେବେଳେ ମୁଁ ମଧ୍ୟପ୍ରଦେଶର ଗୋଟିଏ ଖବର ଦେଖିଲି, ମୋତେ ଲାଗିଲା ଯେ ଏ ବିଷୟରେ ‘ମନ୍ କି ବାତ୍‌’ରେ ମୋର ନିଶ୍ଚୟ ଆଲୋଚନା କରିବା ଦରକାର । ଏହି ଖବର ଖୁବ ପ୍ରେରଣାଦାୟୀ । ଜବଲପୁରର ଚିଚ୍‌ଗାଓଁଠାରେ କେତେକ ଆଦିବାସୀ ସ୍ତ୍ରୀ ଲୋକ ଗୋଟିଏ ଧାନକଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କରୋନା ମହାମାରୀ ଯେଉଁଭଳି ଭାବେ ସାରା ଦୁନିଆର ପ୍ରତ୍ୟେକ ଲୋକକୁ ପ୍ରଭାବିତ କଲା, ଏମାନେ ମଧ୍ୟ ସେଥିରେ ପ୍ରଭାବିତ ହେଲେ । ସେମାନଙ୍କ ଧାନକଳରେ କାମ ବନ୍ଦ ହୋଇଗଲା । ଏହାଦ୍ୱାରା ଆୟରେ ମଧ୍ୟ ଅସୁବିଧା ହେଲା । କିନ୍ତୁ ସେମାନେ ହତାଶ ହେଲେ ନାହିଁ । ସେମାନେ ହାର୍ ମାନିଲେ ନାହିଁ । ସେମାନେ ସମସ୍ତେ ମିଶି ନିଜର ଧାନକଳ ଆରମ୍ଭ କରିବାକୁ ସ୍ଥିର କଲେ । ଯେଉଁ କଳରେ ଏମାନେ କାମ କରୁଥିଲେ, ସେ ନିଜର ଯନ୍ତ୍ରପାତି ବିକ୍ରି କରିବାକୁ ଚାହୁଁଥିଲେ । ଏମାନଙ୍କ ମଧ୍ୟରୁ ମୀନା ରାହାଙ୍ଗଡାଲେ ସବୁ ମହିଳାମାନଙ୍କୁ ଏକାଠି କରି ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ସମସ୍ତେ ନିଜର ଜମା ଟଙ୍କା ଏଥିରେ ବିନିଯୋଗ କଲେ । ଯେତିକି ଟଙ୍କା ନିଅଂଟ ହେଲା ସେତିକି ପାଇଁ ଆଜୀବିକା ମିଶନ ଯୋଜନାରେ ବ୍ୟାଙ୍କରୁ ଋଣ କଲେ । ଏବେ ଦେଖନ୍ତୁ, ସେହି ଆଦିବାସୀ ମହିଳାମାନେ ସେ ଧାନକଳକୁ କିଣିଦେଇଛନ୍ତି, ଯେଉଁଠି ଦିନେ ସେମାନେ କାମ କରୁଥିଲେ । ଆଜି ସେମାନେ ନିଜର ଧାନକଳ ଚଳାଉଛନ୍ତି । ଏତିକି ଦିନରେ ଏହି ମିଲ୍ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ କରିସାରିଲାଣି । ଏହି ଲାଭରୁ ମୀନା ଏବଂ ତାଙ୍କ ସାଥୀମାନେ ସବୁଠୁ ଆଗ ବ୍ୟାଙ୍କ ଋଣ ପରିଶୋଧ ଓ ପରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । କରୋନା ଯେଉଁ ପରିସ୍ଥିତି ସୃଷ୍ଟି କଲା, ତାହାର ମୁକାବିଲା କରିବା ପାଇଁ ଦେଶର କୋଣ ଅନୁକୋଣରେ ଏଭଳି ଚମତ୍କାର କାର୍ଯ୍ୟମାନ ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ଯଦି ମୁଁ ଆପଣଙ୍କୁ ବୁନ୍ଦେଲ୍‌ଖଣ୍ଡ କଥା କହିବି ତେବେ ଆପଣଙ୍କ ମନ ଭିତରେ କେଉଁ କେଉଁ ଜିନିଷ ପ୍ରଥମେ ଆସିବ? ଇତିହାସରେ ରୁଚି ରଖୁଥିବା ଲୋକେ ଏହି ଅଂଚଳକୁ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ଯୋଡ଼ିବେ । ସେହିପରି କିଛିଲୋକ ସୁନ୍ଦର ଓ ଶାନ୍ତ ‘ଓର୍‌ଛା’ ସମ୍ପର୍କରେ ଭାବିବେ । କିଛି ଲୋକ ଏହି ଅଂଚଳରେ ଅନୁଭୂତ ହେଉଥିବା ଅତ୍ୟଧିକ ଗରମ ବିଷୟ ମନେପକାଇବେ; କିନ୍ତୁ ଆଜିକାଲି ସେଇଠି କିଛି ଅଲଗା ହେଉଛି, ଯାହା ବହୁତ ଉତ୍ସାହବର୍ଦ୍ଧକ; ଏବଂ ଯାହା ସମ୍ପର୍କରେ ଆମେ ନିହାତି ଜାଣିବା ଆବଶ୍ୟକ । କିଛିଦିନ ତଳେ ଝାନ୍‌ସୀରେ ମାସେ ଧରି ଚାଲିବାକୁ ଥିବା ‘Strawberry festival’ ଆରମ୍ଭ ହୋଇଛି । ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ Strawberry ଆଉ ବୁନ୍ଦେଲ୍‌ଖଣ୍ଡ! କିନ୍ତୁ ଏହା ସତ । ଏବେ ବୁନ୍ଦେଲଖଣ୍ଡରେ Strawberry ଚାଷକୁ ନେଇ ଉତ୍ସାହ ବଢ଼ୁଛି ଏବଂ ଏଥିରେ ବଡ଼ ଭୂମିକା ତୁଲାଇଛନ୍ତି ଝାନ୍‌ସୀର ଜଣେ ଝିଅ ଗୁର୍‌ଲୀନ ଚାୱଲା । ଆଇନ ଛାତ୍ରୀ ଗୁରଲୀନ ପ୍ରଥମେ ନିଜ ଘରେ ଓ ପରେ ନିଜ କ୍ଷେତରେ ସଫଳ ଭାବେ Strawberry ଚାଷ କରି ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଝାନ୍‌ସୀରେ ମଧ୍ୟ ଏହା ସମ୍ଭବ ହୋଇପାରିବ । ଝାନ୍‌ସୀର ‘Strawberry festival’ Stay At Home concept ଉପରେ ଗୁରୁତ୍ୱ ଦେଇଥାଏ । ଏହି ମହୋତ୍ସବ ମାଧ୍ୟମରେ ଚାଷୀ ଓ ଯୁବକ ଯୁବତୀମାନଙ୍କୁ ନିଜ ଘର ପଛପଟେ ଥିବା ଖାଲିସ୍ଥାନରେ ବା ଛାତ ଉପର Terrace Gardenରେ ବଗିଚା କରିବା ଏବଂ Strawberry ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି । ନୂଆ ପ୍ରଯୁକ୍ତି ସାହାଯ୍ୟରେ ଏପରି ପ୍ରୟାସ ଦେଶର ଅନ୍ୟ ଅଂଳରେ ମଧ୍ୟ ହେଉଛି । ଯେଉଁ Strawberry କେବେ ପାହାଡ଼ରେ ହେଉଥିଲା, ତାହା ଏବେ କଚ୍ଛର ବାଲିଆ ମାଟିରେ ହେବାକୁ ଆରମ୍ଭ କରିଛି, ଚାଷୀଙ୍କ ଆୟ ବଢ଼ୁଛି ।

ବନ୍ଧୁଗଣ, Strawberry Festival ଭଳି ପ୍ରୟୋଗ ନବୋନ୍ମେଷକୁ ତ ପ୍ରଦର୍ଶିତ କରୁଛି, ତା’ସହ ଏହା ବି ଦର୍ଶାଉଛି ଯେ ଆମ ଦେଶର କୃଷିକ୍ଷେତ୍ର କିପରି ନୂଆ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ଆପଣାଉଛି ।

ବନ୍ଧୁଗଣ, କୃଷିକୁ ଆଧୁନିକ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଏବଂ ସେଥିପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଏହି ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ତଳେ ମୁଁ ଏକ ଭିଡିଓ ଦେଖିଲି । ସେହି ଭିଡିଓଟି ଥିଲା ପଶ୍ଚିମବଙ୍ଗର ୱେଷ୍ଟ୍ ମିଦନାପୁର ସ୍ଥିତ ‘ନୟା ପିଙ୍ଗ୍‌ଲା’ ଗାଁର ଜଣେ ଚିତ୍ରକର ସରମୁଦ୍ଦିନଙ୍କର । ରାମାୟଣ ଉପରେ ସେ ଆଙ୍କିଥିବା paintingଟି ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରୁଥିଲେ । ଏଥିରେ ତାଙ୍କ ଗାଁର ଲୋକେ ମଧ୍ୟ ବହୁତ ଖୁସି । ଏହି ଭିଡିଓକୁ ଦେଖିବା ପରେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଉତ୍ସୁକତା ବଢ଼ିଲା । ଏହି କ୍ରମରେ ମୋତେ ପଶ୍ଚିମବଙ୍ଗ ସହ ସଂପୃକ୍ତ ଏକ ବହୁତ ସୁନ୍ଦର କାମ ବିଷୟରେ ଜାଣିବାକୁ ମିଳିଲା, ଯାହାକୁ ମୁଁ ଆପଣମାନଙ୍କ ସହ ନିଶ୍ଚୟ କହିବାକୁ ଚାହିଁବି । ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଳିକ କାର୍ଯ୍ୟାଳୟ ମାସ ଆରମ୍ଭରେ ହିଁ ପଶ୍ଚିମବଙ୍ଗର ଗାଁଗୁଡ଼ିକରେ ଏକ Incredible India Weekend Getaway ଆରମ୍ଭ କରିଥିଲା । ଏଥିରେ ପଶ୍ଚିମ ମିଦନାପୁର, ବାଂକୁଡା, ବୀରଭୂମ, ପୁରୁଲିୟା, ପୂର୍ବ ବର୍ଦ୍ଧମାନର କଳାକାରମାନେ ପରିଦର୍ଶକଙ୍କ ପାଇଁ Handicraft Workshop ଆୟୋଜିତ କରିଥିଲେ । ମୋତେ ଏହା କୁହାଯାଇଛି ଯେ Incredible India Weekend Getaways ଅବସରରେ ଯେତିକି ହସ୍ତଶିଳ୍ପ ବିକ୍ରି ହୋଇଛି, ତାହା ହସ୍ତଶିଳ୍ପକାରଙ୍କ ପାଇଁ ଖୁବ୍ ପ୍ରୋତ୍ସାହନକାରୀ । ସାରା ଦେଶର ଲୋକେ ମଧ୍ୟ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରୁଛନ୍ତି । ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ରକଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ କେଉଁଥିରେ ଚିତ୍ର କରିଛନ୍ତି – Soft Stones! Soft Stones ଉପରେ । କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ ଏହି Soft Stones ମିଳିଲା । ତାକୁ ସେ ଏକାଠି କଲେ ଓ ସଫା କଲେ । ପରେ ପ୍ରତିଦିନ ଦୁଇଘଂଟା ସେହି ପଥରଗୁଡ଼ିକ ଉପରେ ପଟ୍ଟଚିତ୍ର ଶୈଳୀରେ painting କଲେ । ସେ ଏହି ପଥରଗୁଡ଼ିକୁ paint କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ । ଲକ୍‌ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ଏବେ ତ ସେ ଏହି କଳା ଉପରେ କର୍ମଶାଳା ମଧ୍ୟ ଆୟୋଜିତ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ । ମୁଁ ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଉଛି । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ । ଝାଡ଼ଖଣ୍ଡର ଦୁମ୍‌କାରେ କରାଯାଇଥିବା ଏପରି ଏକ ପ୍ରୟାସ ବିଷୟରେ ମୋତେ କୁହାଯାଇଛି । ଏଠାରେ ସ୍କୁଲ ର ଜଣେ ପ୍ରିନ୍ସିପାଲ୍ ପିଲାଙ୍କୁ ପଢ଼ାଇବା ଓ ଶିଖାଇବା ପାଇଁ ଗାଁର କାନ୍ଥଗୁଡ଼ିକରେ ହିଁ ଇଂରାଜୀ ଓ ହିନ୍ଦୀର ଅକ୍ଷରଗୁଡ଼ିକୁ ଆଙ୍କିଦେଲେ । ତା’ସହ ସେଥିରେ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ଅଙ୍କାଇଲେ, ଯେଉଁଥିରେ ଗାଁର ପିଲାମାନଙ୍କୁ ବହୁତ ସହାୟତା ମିଳିଲା । ମୁଁ ଏପରି ସବୁ ଲୋକଙ୍କର ଅଭିନନ୍ଦନ କରୁଛି, ଯେଉଁମାନେ ଏପରି ପ୍ରୟାସରେ ଲାଗିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଭାରତଠାରୁ ହଜାର ହଜାର କିଲୋମିଟର ଦୂର, କେତେ ମହାସାଗର, ମହାଦ୍ୱୀପ ସେପଟେ ରହିଛି ଗୋଟିଏ ଦେଶ, ଯାହାର ନାଁ ଚିଲି । ଭାରତରୁ ଚିଲିରେ ପହଂଚିବା ପାଇଁ ବହୁତ ସମୟ ଲାଗିଥାଏ, କିନ୍ତୁ ସେଠାରେ ବହୁଦିନ ତଳୁ ହିଁ ଭାରତୀୟ ସଂସ୍କୃତିର ବାସ୍ନା ଚହଟିଛି । ଆଉ ଗୋଟିଏ ସ୍ୱତନ୍ତ୍ର କଥା ହେଉଛି ସେଠାରେ ଯୋଗ ବହୁତ ଲୋକପ୍ରିୟ । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଚିଲିର ରାଜଧାନୀ ସାଂଟିଆଗୋରେ 30ରୁ ଅଧିକ ଯୋଗ ବିଦ୍ୟାଳୟ ରହିଛି । ଚିଲିରେ ଆନ୍ତର୍ଜାତିକ ଯୋଗ ଦିବସକୁ ମଧ୍ୟ ବହୁତ ଉତ୍ସାହରେ ପାଳନ କରାଯାଏ । ମୋତେ କୁହାଯାଇଛି ଯେ House of Deputiesରେ ଯୋଗ ଦିବସକୁ ନେଇ ବହୁତ ଉତ୍ସାହ ଉଦ୍ଦୀପନାର ପରିବେଶ ରହିଥାଏ । ଏହି କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗର ଶକ୍ତିକୁ ଦେଖି, ଏବେ ସେଠାକାର ଲୋକେ ଯୋଗକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛନ୍ତି । ଚିଲିର କଂଗ୍ରେସ, ଅର୍ଥାତ ସେଠାକାର ପାର୍ଲାମେଂଟ ଏକ ପ୍ରସ୍ତାବ ଗୃହୀତ କରିଛି । ସେଠାରେ 4 ନଭେମ୍ବରକୁ ଜାତୀୟ ଯୋଗ ଦିବସ ଘୋଷଣା କରାଯାଇଛି । ଏବେ ଆପଣ ଭାବୁଥିବେ ଯେ 4 ନଭେମ୍ବର କାହିଁକି? 4 ନଭେମ୍ବର 1962 ରେ ହିଁ ଚିଲିର ପ୍ରଥମ ଯୋଗ ଅନୁଷ୍ଠାନ ହୋଜେ ରାଫାଲ୍ ଏଷ୍ଟ୍ରାଡାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଦିନକୁ ଜାତୀୟ ଯୋଗ ଦିବସ ଘୋଷିତ କରି ଏଷ୍ଟ୍ରାଡାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଚିଲିର ପାର୍ଲାମେଂଟ ଦ୍ୱାରା ଏହା ଏକ ବିଶେଷ ସମ୍ମାନ, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ହଁ, ଚିଲିର ସଂସଦ ସହ ଜଡ଼ିତ ଆଉ ଗୋଟିଏ କଥା ଆପଣଙ୍କୁ ବେଶ୍ ମଜାଦାର ଲାଗିବ । ଚିଲି ସିନେଟ୍‌ର ଉପାଧ୍ୟକ୍ଷଙ୍କ ନାମ ରବୀନ୍ଦ୍ରନାଥ କ୍ୱିଟେରାସ୍ । ତାଙ୍କର ଏହି ନାମ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଅନୁପ୍ରେରଣାରେ ରଖାଯାଇଛି ।

ମୋର ପ୍ରିୟ ଦେଶବାସୀଗଣ, ମହାରାଷ୍ଟ୍ର ଜାଲ୍‌ନାର ଡା. ସ୍ୱପ୍ନିଲ୍ ମନ୍ତ୍ରୀ ଏବଂ କେରଳ ପଲକ୍କଡ଼ର ପ୍ରହଲାଦ ରାଜଗୋପାଲନ ଅନୁରୋଧ କରିଛନ୍ତି ଯେ ମୁଁ ‘ମନ୍ କୀ ବାତ୍‌’ରେ ସଡ଼କ ସୁରକ୍ଷା ଉପରେ ମଧ୍ୟ ଆପଣଙ୍କ ସହ ଆଲୋଚନା କରେ । ଏହି ମାସ 18 ଜାନୁଆରୀରୁ 17 ଫେବୃଆରୀ ପର୍ଯ୍ୟନ୍ତ ଆମ ଦେଶ ‘ସଡ଼କ ସୁରକ୍ଷା ମାସ’ ବା ‘Road Safety Month’ ପାଳନ କରୁଛି । କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି । ଆଜି ଭାରତରେ ରାସ୍ତା ସୁରକ୍ଷା ପାଇଁ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ପ୍ରକାରର ପ୍ରୟାସ କରାଯାଉଛି । ଜୀବନ ବଂଚାଇବା ପାଇଁ ଏହି ପ୍ରୟାସଗୁଡ଼ିକରେ ଆମେ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ ।

ବନ୍ଧୁଗଣ, ଆପଣ ଧ୍ୟାନ ଦେଇଥିଲେ ଯେ Border Road Organisation ଯେଉଁ ରାସ୍ତା ତିଆରି କରିଥାଏ, ସେପଟେ ଯିବାବେଳେ ଆପଣଙ୍କୁ ବହୁତ innovative slogans ଦେଖିବାକୁ ମିଳିବ । ‘This is highway not runway’ ବା ‘Be Mr. Late than Late Mr.’ । ଏସବୁ ସ୍ଲୋଗାନ ସଡ଼କରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ବହୁତ ପ୍ରଭାବଶାଳୀ ହୋଇଥାଏ । ଏବେ ଆପଣ ମଧ୍ୟ ଏପରି innovative slogans ବା catchy phrases, MyGov ପଠାଇପାରିବେ । ଆପଣଙ୍କ ସର୍ବୋତମ ସ୍ଲୋଗାନ୍‌କୁ ଏହି ଅଭିଯାନରେ ଉପଯୋଗ କରାଯିବ ।

ବନ୍ଧୁଗଣ, ସଡ଼କ ସୁରକ୍ଷା ସମ୍ପର୍କରେ କହିବାବେଳେ ମୁଁ NaMo appରେ କୋଲକାତାର ଅପର୍ଣ୍ଣା ଦାସ କରିଥିବା ଏକ ପୋଷ୍ଟ୍ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି । ଅପର୍ଣ୍ଣା ମୋତେ ‘‘FASTag programme’ ଉପରେ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଲା ‘FASTag’ ଦ୍ୱାରା ଯାତ୍ରାର ଅନୁଭବ ହିଁ ବଦଳିଯାଇଛି । ଏହାଦ୍ୱାରା ସମୟ ତ ବଂଚିଯାଏ, Toll Plazaରେ ଅଟକିବା, cash paymentର ଚିନ୍ତା କରିବା ଭଳି ସମସ୍ୟାଗୁଡ଼ିକର ମଧ୍ୟ ଅନ୍ତ ଘଟିଛି । ଅପର୍ଣ୍ଣାଙ୍କ କଥା ଠିକ୍ ମଧ୍ୟ । ଆଗରୁ Toll Plazaରେ ଗୋଟିଏ ଗାଡ଼ିକୁ ହାରାହାରି 7 ରୁ 8 ମିନିଟ୍ ଲାଗିଯାଉଥିଲା, କିନ୍ତୁ ‘FASTag’ ଆସିବା ପରେ, ଏହି ସମୟ, ହାରାହାରି କେବଳ, ଦେଢ଼-ଦୁଇ ମିନିଟ୍ ଲାଗୁଛି । Toll Plaza ରେ waiting time କମିବା ଦ୍ୱାରା ଗାଡ଼ିର ଇନ୍ଧନ ମଧ୍ୟ ସଂଚୟ ହେଉଛି । ଏହାଦ୍ୱାରା ଦେଶବାସୀଙ୍କର ପ୍ରାୟ 21 ହଜାର କୋଟି ଟଙ୍କା ବଂଚିଯିବାର ଅନୁମାନ କରାଯାଇଛି, ଅର୍ଥାତ ଟଙ୍କା ରହିଗଲା ଆଉ ସମୟ ବି ନଷ୍ଟ ହେଲାନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତ ନିୟମକାନୁନ ପାଳନ କରି ନିଜର ଧ୍ୟାନ ରଖନ୍ତୁ ଓ ଅନ୍ୟର ଜୀବନକୁ ମଧ୍ୟ ବଂଚାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମର ଏଇଠି କୁହାଯାଏ- “ଜଳବିନ୍ଦୁ ନିପାତେନ କ୍ରମଶଃ ପୂର୍ଜତେ ଘଟଃ’’ । ଅର୍ଥାତ ଗୋଟିଏ ଗୋଟିଏ ବୁନ୍ଦାରେ ମାଠିଆ ପୂର୍ଣ୍ଣ ହୁଏ । ଆମର ଗୋଟିଏ ଗୋଟିଏ ପ୍ରୟାସରେ ହିଁ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ତେଣୁ, 2021 ଆରମ୍ଭରେ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ଆମେ ସମସ୍ତେ ମିଶି ଯଦି ତାକୁ ପୂରଣ କରିବା ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ବର୍ଷଟିକୁ ସଫଳ କରିବା ପାଇଁ ନିଜ ନିଜ ପାଦ ବଢ଼ାଇବା । ଆପଣ ନିଜ ସନ୍ଦେଶ, ନିଜର ଅନୁଭୂତି ନିଶ୍ଚିତ ଭାବେ ପଠାନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟିବା । ଇତି- ବିଦା ପୁନର୍ମିଳନାୟ!
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.