Home ଜିଲ୍ଲା ପରିକ୍ରମା ବିକାଶର ଚିତ୍ର: ବ୍ୟାଙ୍କଋଣ ପାଖରେ ଅଟକିଛି ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ

ବିକାଶର ଚିତ୍ର: ବ୍ୟାଙ୍କଋଣ ପାଖରେ ଅଟକିଛି ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ

66

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଯୋଜନା କରୁଛନ୍ତି ହେଲେ ଯୋଜନାର ବାଟ ଓଗାଲିଛନ୍ତି ବ୍ୟାଙ୍କ । ପ୍ରକଳ୍ପ ମଞୁରୀ ପରେ ଋଣ ପାଇଁ ବ୍ୟାଙ୍କ ଦଉଡି ଦଉଡି ଅତିଷ୍ଟ ହେଉଛନ୍ତି ହିତାଧିକାରୀ । ଫଳରେ ସରକାରୀ ଯୋଜନା ବାଟବଣା ହେଉଥିବା ବେଳେ ଉତ୍ସାହ ଏବଂ ଆଗ୍ରହ ଥାଇ ମଧ୍ୟ ହାତବାନ୍ଧି ଘରେ ବସି ରହୁଛନ୍ତି ଦେଶର ଶିକ୍ଷିତ ବେକାର । ମହାମାରୀ କରୋନା ସଙ୍କଟରୁ ଲୋକଙ୍କୁ ଉଦ୍ଧାର କରିବା ସକାସେ କେନ୍ଦ୍ର ସରକାର ଦେଶରେ ଆତ୍ମନିର୍ଭରଶିଳ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କରୋନା ଯୋଗୁ କାମ ଧନ୍ଦା ହରାଇ ଘରେ ବସିଥିବା ବେକାରୀ ମାନଙ୍କୁ ନିଜ ଗୋଡରେ ନିଜେ ଛିଡାହେବା ସକାସେ ଆରମ୍ଭ କରିଛନ୍ତି ଆତ୍ମ ନିର୍ଭରଶିଳ ଭାରତ ଯୋଜନା । ହେଲେ ଯୋଜନା ସକାସେ ଋଣ ଯୋଗାଇ ଦେଉଥିବା ବ୍ୟାଙ୍କ ଏବଂ ଅର୍ଥଲଗାଣକାରୀ ସଂସ୍ଥାଙ୍କ ଶଠତା ପାଖରେ ଫେଲ ମାରିଛି ସରକାରଙ୍କ ସମସ୍ତ ପ୍ରୟାସ । ଏହି ଭଳି ଏକ ବାଧାପ୍ରାପ୍ତ ବିକାସର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଚବିଶପଡା ଶାସନ ଦହପାଣିଆ ଗ୍ରାମରେ । ଏହି ଗ୍ରାମର ଜଣେ ବେକାରୀ ଶିକ୍ଷିତ ଦିବ୍ୟାଙ୍ଗ ହେଉଛନ୍ତି ଆଲୋକ ନାୟକ । ପାରିବାରିକ ଆର୍ଥିକ ସଙ୍କଟ ସତ୍ୱେ ସଫଳତାର ସହିତ ଯୁକ୍ତ ୨ ପାଠ ପଢିଛନ୍ତି । ହେଲେ ପରିବାର ପ୍ରତିପୋଷଣ ପାଇଁ ଚାକିରୀ ଖଣ୍ଡେ ଯୋଗାଡ କରି ପାରି ନାହାନ୍ତି । ଜୀବନ-ଜୀବିକା ସହ ସଂଘର୍ଷ କରୁ ଥିବା ବେଳେ ମହାମାରୀ କରୋନା ତାଙ୍କୁ ସଂପୂର୍ଣ୍ଣ ଅସହାୟ କରି ପକାଇଥିଲା । ତଥାପି ଆଶାଛାଡି ନଥିଲେ କରୋନା ବେଳେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶିଳ ଭାରତ ଯୋଜନା ତାଙ୍କୁ ଦେଖାଇଥିଲା ଆଶାର ଆଲୋକ । ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ଆବେଦନ କରିଥିବା ତାଙ୍କ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବା ପରେ ଖୁସୀରେ ଆତ୍ମହରା ହୋଇଥିଲେ ଆଲୋକ । ନିଜ ଘରେ ଫାକ୍ଟ୍ରି କରିବେ ଉତ୍ପାଦର ବଜାର କରି ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କର୍ମସଂସ୍ଥାନ ଯୋଗାଇ ଦେଇ ପାରିବେ ଖୁସୀରେ ନିଜ ପ୍ରକଳ୍ପ ପ୍ରସ୍ତୁତିରେ ଲାଗିପଡିଥିଲେ ।

ଏଥିସକାସେ ଆବଶ୍ୟକ ଅର୍ଥ ତାଙ୍କୁ ସ୍ଥାନୀୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଉଠାଣ କରିବାକୁ କୁହାଯାଇଥିଲା । ସରକାରୀ କାଗଜପତ୍ର ଧରି ଟଙ୍କା ପାଇଁ ହାଜର ହୋଇଥିଲେ ସ୍ଥାନୀୟ ବିଲଣା ଶାଖା ଗ୍ରାମ୍ୟ ବ୍ୟାଙ୍କରେ । ହେଲେ ତାଙ୍କୁ ଋଣ ଟଙ୍କା ମିଳିବା ଦୁରକୁ ଥାଉ ବ୍ୟାଙ୍କ କତୃପକ୍ଷ ତାଙ୍କୁ ଧରାଛୁଆ ଦେଉନଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ଆଲୋକ । କେତେବେଳେ ଋଣ ଅର୍ଥ ପାଇଁ ଶହେ ପ୍ରତିଶତ ବ୍ୟାଙ୍କ ଗ୍ୟାରେଂଟି ତ କେତେବେଳେ ଯାଗାଜମି ବନ୍ଧକ ପୁଣି କେତେବେଳେ ଋଣ ପାଇଁ ସ୍ଥାଇ ଜମା ତ କେତେବେଳେ ଫାକ୍ଟ୍ରି କରାଯିବାର ଏଗ୍ରିମେଂଟ ଦେବାକୁ କହି ତାଙ୍କ ଋଣ ପ୍ରସଙ୍ଗକୁ ଏଡେଇ ଚାଲିଥିବା ଅଭିଯୋଗ କରିଛନ୍ତି ଆଲୋକ । ଫଳରେ କୋଭିଡ ସମୟରେ ଫିନାଇଲ ଫାକ୍ଟ୍ରି କରି ଆତ୍ମ ନିର୍ଭରଶିଳ ହେବାର ସ୍ୱପ୍ନ ତାଙ୍କର ମଉଳି ଯାଇଛି । ଋଣ ମଞ୍ଜୁର ହେବାର ଇତିମଧ୍ୟରେ ୪ ମାସ ବିତିଲାଣି ହେଲେ ତାଙ୍କୁ ବ୍ୟାଙ୍କ ଋଣ ଦେବା ନାଁ ଧରୁନାହାନ୍ତି । ସବୁ ଆଡୁ ନିରାଶା ହେବା ପରେ ଆଲୋକ କହିଛନ୍ତି ବେକାରୀ ମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ଏହି ଯୋଜନା ବିରୋଧି ଆଭିମୁଖ୍ୟ ବିରୁଦ୍ଧରେ କେବଳ ଭାରତ ସରକାର ନୁହଁନ୍ତି ରିଜର୍ଭବ୍ୟାଙ୍କ ଏବଂ ରାଜ୍ୟ ସରକାର ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଅନ୍ୟଥା ସରକାରଙ୍କ ସମସ୍ତ ବିକାସମୁଖୀ ଯୋଜନା ପାଣିରେ ପଡିବ ବୋଲି କହି ବ୍ୟାଙ୍କ ଗୁଡିକର ଏହି ଜନ ବିରୋଧି ଏବଂ ଶିଳ୍ପ ବିରୋଧି ଆଭିମୁଖ୍ୟ ବିରୁଦ୍ଧରେ ବିଦ୍ରୋହ ଘୋଷରା କରିଛନ୍ତି । ଘଟଣାର ପ୍ରତିବାଦ କରି ଚଳିତମାସ ୨୯ ତାରିଖ ଦିନ ବିଲଣା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି । ନିଜ ଅଭିଯୋଗର ଏକକିତା ନକଲ ଦେଶର ପ୍ରଧାନମନ୍ତ୍ରୀ, ଭାରତୀୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର,ଓଡିଶା ମୁଖ୍ୟମନ୍ତ୍ରୀ,ଭଦ୍ରକ ଜିଲ୍ଲାପା.ଏସପି ଭଦ୍ରକ,ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିଳ୍ପ ମ୍ୟାନେଜର,ତିହିଡି ଥାନା ଏବଂ ତିହିଡି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.