ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ଦୈନିକ ୧୦ ଲକ୍ଷରୁ ଅଧିକ ପରୀକ୍ଷଣ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପରେ, କ୍ରମାଗତ ଭାବେ ଦୁଇ ଦିନ ଧରି ଭାରତ କୋଭିଡ-୧୯ର ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁବା ଜାରି ରଖିଛି। କ୍ରମାଗତ ଭାବେ ଏହି ଦୁଇ ଦିନରେ ସାରା ଦେଶରେ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୬୯, ୭୬୫ ନମୁନା ପରୀକ୍ଷା କରାଯାଇଥିଲା।
ଅନ୍ୟ କୌଣସି ଦେଶ ଦୈନିକ ପରୀକ୍ଷଣର ଏହି ସ୍ତର ହାସଲ କରିନାହାଁନ୍ତି।
ଦୈନିକ ପରୀକ୍ଷଣରେ ଏହି ତୀବ୍ର ଅଭିବୃଦ୍ଧି ସହିତ ସମୁଦାୟ ପରୀକ୍ଷଣ ସଂଖ୍ୟା ପାଖାପାଖି ୪.୭ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ଆଜି ୪, ୬୬, ୭୯, ୧୪୫ ଛୁଇଁଞ୍ଚି।
ଏହିପରି ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଇଥିଲେ ମଧ୍ୟ ସଂକ୍ରମିତ ହାର ଓ ସମୁଦାୟ ସଂକ୍ରମିତ ହାର ଯଥାକ୍ରମେ ୭.୫ ଓ ୮.୫ ପ୍ରତିଶତ ତଳେ ରହିଛି। ଏହିସବୁ ସଫଳତା କେନ୍ଦ୍ର ନେତୃତ୍ଵରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ପ୍ରଭାବଶାଳୀ ଢଙ୍ଗରେ କରାଯାଇଥିବା ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ସମ୍ଭବ ହୋଇପାରିଛି।
ବ୍ୟାପକ ସ୍ତରରେ ଅଧିକ ପରୀକ୍ଷଣ ସଅଳ ନିଦାନ, ତୁରନ୍ତ ଏକାନ୍ତବାସ ଓ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି ଯୋଗୁଁ ସମ୍ଭବ ହୋଇପାରିଛି। ପ୍ରଭାବଶାଳୀ ଚିକିତ୍ସା ଦ୍ଵାରା ଉଭୟ ଘରୋଇ ଏକାନ୍ତବାସ ଓ ହସ୍ପିଟାଲରେ ଚିକିତ୍ସିତ ସଂକ୍ରମିତଙ୍କ ତଦାରଖ ମୃତ୍ୟୁ ହାରକୁ କମ କରିପାରିଛି। ମୃତ୍ୟୁ ହାରକୁ ୧ ପ୍ରତିଶତରୁ କମ କରିବା ଲକ୍ଷ୍ୟରେ, ସ୍ଥିର ଏବଂ ସ୍ଥାୟୀ ହ୍ରାସ ପରେ ଭାରତର ମୃତ୍ୟୁହାର ୧.୭୪ ପ୍ରତିଶତରେ ପହଞ୍ଚିଛି।
ପରୀକ୍ଷଣ ସ୍ତରରେ ଯଥେଷ୍ଟ ବୃଦ୍ଧି ସହିତ ଦେଶରେ ଦୈନିକ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପରୀକ୍ଷାଗାର ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ବର୍ତ୍ତମାନ ୧୦୨୫ ସରକାରୀ ଓ ୬୦୬ ଘରୋଇ ଏହିଭଳି ଭାବେ ମୋଟ ୧୬୩୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି।