ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଲଘୁଚାପ ବର୍ଷା ଯୋଗୁଁ ଧାନକ୍ଷେତ ପାଇଁ ଚାଷୀ ଯେତିକି ଖୁସି ବିଲରେ ମୁଗୁରା ବସେଇ ମାଛ ଧରିବା ପାଇଁ ତା’ଠାରୁ ଅଧିକ ଖୁସି ଥିବା ଦେଖାଦେଇଛି। ଜୁନମାସ ଠାରୁ ଅଗଷ୍ଟ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଅଭାବରେ ଚିନ୍ତାରେ ଚାଷୀ ପଡ଼ିଯାଇଥିବାବେଳେ ଅଗଷ୍ଟ ମାସର ଶେଷ ହେବା ବେଳକୁ ଲଘୁଚାପ ବର୍ଷା ଚାଷୀଙ୍କୁ ଆଶ୍ୱସ୍ତି ଆଣିଛି। ଏହି ବର୍ଷାରେ ଚାଷୀ ମାଛ ଧରିବାକୁ ବେଶ୍ ତତ୍ପର ହୋଇ ଉଠିଛି। ପ୍ରଥମ ବଢିରେ ନଦୀ, ନାଳ ଓ ବିଲରେ ପାଣି ଲହଡ଼ି ମାରୁଥିବାବେଳେ ଚାଷୀର ହାତ ତିଆରି ବାଉଁଶରେ ତିଆରି ମାଛଧରା ଯନ୍ତ୍ର ମୁଗୁରା, ନେଟେଇ, ବଜା ଆଦି ବସେଇ ମାଛ ମାରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଚାଷୀ ଏହି ସବୁ ଯନ୍ତ୍ର ସାହାର୍ଯ୍ୟରେ ଛୋଟ ମାଛ ଅର୍ଥାତ କେରାଣ୍ଡି, ଦଣ୍ଡେଇ, କଂଟିଆ, ଚିଙ୍ଗୁଡ଼ି, ତୋଡ଼ି, ଚେଙ୍ଗ, ଗଡ଼ିଶା, ଗୋଡ଼ିଖାଇ, ମାଗୁର ଆଦି ଧରୁଥିବାବେଳେ ଏଇବର୍ଷା ପ୍ରଥମେ ଛୋଟମାଛ ଅନୁକୂଳ କରିଦେଲା ବୋଲି କହୁଛନ୍ତି। ବଜାରରେ ଯେଉଁ ବଡ଼ମାଛ ଭାକୁର, ମୀର ଆଦି ବଡ଼ମାଛ ମିଳୁଛି ଏଇ ଛୋଟ ମାଛ ଖାଇବା ପାଇଁ ତା’ଠାରୁ ଢେର ଭଲ ବୋଲି କୁହାଯାଉଛି। କେତେକ ମାଛ ଧରାଳି ନିଜେ ଏଇ ମାଛ ଖାଇବା ସହିତ ଅଧିକ ଧରିଥିବା ମାଛକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ଛୋଟ ମାଛ ବଡ଼ ମାଛ ଅପେକ୍ଷା ବହୁତ ପସନ୍ଦ ଥିବାରୁ ଏହି ଛୋଟମାଛ ଖାଇବାକୁ ଅନେକଙ୍କର ବହୁତ ଆଗ୍ରହ ରହିଛି। ଯାହାକି ଏହି ମାଛ ଚାହିଦା ମୁତାବକ ସେତେ ମିଳୁନଥିବାରୁ ଏହି ଛୋଟ ମାଛ ନେବାକୁ ଅଗ୍ରୀମ ଟଙ୍କା ଦେଇଥାନ୍ତି ଓ ବହୁତ ସମୟ ଅପେକ୍ଷାରେ ରହିଥାନ୍ତି। ଏହି ମାଛ କେଜି ପିଛା ଏକ ଶହରୁ ଏକଶହ କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ଛୋଟ ମାଛରେ ଅନେକଙ୍କର ଚାହିଦା ରହିଛି। ମୁଗୁରା ବସେଇ କି ଜାଲ ପକେଇ ହେଉ ମାଛ ଧରିବା ଏକ ନିଶା ହୋଇଥିବାରୁ ଯାହା ମାଛ ପଡ଼ୁନା କାହିଁକି ମାଛ ଧରାଳି ଘଂଟା ଘଂଟା ଧରି ମାଛ ଧରାରେ ସମୟ ଅପଚୟ କଲେ ମଧ୍ୟ ତାକୁ ସମୟ ଜଣାପଡ଼େନି। ଜୋରରେ ବର୍ଷା ହେଲେ ବିଲ ପାଣି ନଦୀରେ ମିଶୁଥିବାରୁ ବଢନ୍ତା ନଦୀରୁ ମାଛ ଉଠି ଜମିକୁ ଆସନ୍ତି। ଫଳରେ ଚାଷୀ ବିଲରେ ମୁଗୁରା ମାଧ୍ୟମରେ ଛୋଟ ମାଛ ଧରିଥାଏ। ଗାଁ ଗହଳିରେ ମୁଗୁରା ମାଧ୍ୟମରେ ଛୋଟ ମାଛ ଧରିବା ପ୍ରାୟତଃ ଦେଖାଯାଇଥାଏ। ଲଘୁଚାପ ବର୍ଷାର ପ୍ରଥମ ବଢିରେ ମାଛ ଧରିବା ମାଛ ଧରାଳିଙ୍କୁ ବେଶ୍ ଆନନ୍ଦ ଦେଇଥିବା ଦେଖାଦେଇଛି।