ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର-ଧାମରା ରାସ୍ତାର ବାଲିମୁଣ୍ଡା ବଜାର ନିକଟରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ରାସ୍ତାରେ ଶୁଆଇ ପରିବାର ଲୋକେ ରାସ୍ତା ଅବରୋଧ କରିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାପ୍ତ ଖବର ମୂଳେ ଏହି ଜିଲାର ବାସୁଦେବପୁର ବ୍ଲକ୍ ବାଲିମୁଣ୍ଡା ଗ୍ରାମପଞ୍ଚାୟତର ନନ୍ଦପାଟଣା ଗ୍ରାମର ଜଣେ ମହିଳା କୌଣସି ରୋଗଗ୍ରସ୍ତ ହୋଇ ଅସ୍ତ୍ରୋପଚାର ପାଇଁ କଟକର ଏକ ଡାକ୍ତରଖାନାକୁ ଯାଇଥିଲେ । ଏଥିପୂର୍ବରୁ ସେ କରୋନା ଜନିତ ଟେଷ୍ଟ କରିଥିଲେ । ଏହି ରିପୋର୍ଟରେ ପଜେଟିଭ୍ ଆସିବା ପରେ ସେ ଘରକୁ ଫେରିବା ପରେ ଗ୍ରାମବାସୀମାନେ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ । ଫଳରେ ତାଙ୍କ ପରିବାର ଲୋକେ ବାଲିମୁଣ୍ଡା ବଜାର ନିକଟରେ ସଂପୃକ୍ତ ମହିଳାଙ୍କୁ ରାସ୍ତାରେ ଶୁଆଇ ଅଭିନବ ଭାବେ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ଧାମରା-ବାସୁଦେବପୁର ଯୋଗାଯୋଗ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ପରବର୍ତ୍ତୀ ସମୟରେ ନାୟକାଣୀଡିହି ଥାନା ପୁଲିସ୍ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତପନ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ବୁଝାସୁଝା କରିବା ପରେ ଉକ୍ତ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଏହି ଖବର ଲେଖାହେବା ବେଳକୁ ସଂପୃକ୍ତ ମହିଳା ଜଣକ ବାଲିମୁଣ୍ଡାର ଏକ ସାଇକେଲ ଷ୍ଟାଣ୍ଡ ତଳେ ରହିବା ପରେ ସରପଞ୍ଚଙ୍କ ପ୍ରତିନିଧିଙ୍କ ଦାୟିତ୍ୱରେ ରହି ପରବର୍ତ୍ତୀ ସମୟରେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ହେପାଜତରେ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର ହୋଇଥିଲେ । ତେବେ ଦିନ ୨.୩୦ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳା ଜଣକୁ କଟକ ପଠାନଯିବାର ଘଟଣା ପ୍ରଶାସନର ଅପାରଗତାକୁ ପଦାରେ ପକାଇଥିଲା ।