ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପାହିଲେ ଗଣେଶ ଚତୁର୍ଥୀ। ଘରେ ଘରେ ପୂଜା ପାଇବେ ବିଘ୍ନନାଶକ। କିନ୍ତୁ ଯେଉଁ ପୂଜାରେ ମୂର୍ତ୍ତୀ ଗଢ଼ି ନିଜର ପରିବାର ପ୍ରତିପୋଷଣ କରୁଥିଲେ, ସେସମସ୍ତ ମୂର୍ତ୍ତୀ କାରିଗରଙ୍କ ଆଖିରେ ଲୁହ। କରୋନା ପାଇଁ ପ୍ରଶାସନିକ କଟକଣା ଆଣିଦେଇଛି ସେମାନଙ୍କ କୌଳିକ ବୃତ୍ତି ଉପରେ ଶକ୍ତ ଆଘାତ। ବିଭିନ୍ନ ସୂତ୍ରରୁ ବିଶେଷ କରି ମହିଳା ସ୍ୱୟସ ସହାୟିକା ଗୋଷ୍ଠିଙ୍କ ସହଯୋଗରେ କରଜ କରି ମୂର୍ତ୍ତୀ ନିର୍ମାଣରେ ଅର୍ଥ ବିନିଯୋଗ କରିଥିବା ଅଧିକାଂଶ ମୂର୍ତ୍ତୀ କାରିଗର କେବଳ ଅନାଇ ବସିଛନ୍ତି ଗ୍ରାହକଙ୍କୁ। ପ୍ରସ୍ତୁତ କରିଥିବା ମୂର୍ତ୍ତୀ ବିକ୍ରୀ ହେବ କି ନାହିଁ ସେମାନେ ସନ୍ଦେହ ମଧ୍ୟରେ ରହିଛନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣକୁ ରୋକିବା ନିମିତ୍ତ ଜିଲ୍ଲା ପ୍ରଶାସନ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛି। ସହରର ସ୍ଥାୟୀ ମଣ୍ଡପ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପୂଜା ଅନୁଷ୍ଠିତ ହୋଇ ପାରିବ ନାହିଁ। ତେଣୁ ପୌରାଞ୍ଚଳର ଶତାଧିକ ଅସ୍ଥାୟୀ ମଣ୍ଡପ ଚଳିତ ବର୍ଷ ଫାଙ୍କା ପଡ଼ିବ। ତେଣୁ କାରିଗର ନିର୍ମାଣ କରିଥିବା ମୂର୍ତ୍ତୀ ବିକ୍ରୀ ନହୋଇ ରହିଯିବ ବୋଲି ସେମାନଙ୍କର ଆଶଙ୍କା। କେବଳ ଗଣେଶ ପୂଜା ନୁହେଁ ଆଗକୁ ଆସୁଥିବା ବିଶ୍ୱକର୍ମା, ଦୁର୍ଗା, ଭାଲକୁଣୀ, ସରସ୍ୱତୀ ପୂଜା ସମୟରେ ମଧ୍ୟ ଅନୁରୂପ କଟକଣାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେମାନେ ଭାବୁଛନ୍ତି। ତେଣୁ କରୋନା କଟକଣା ପାଇଁ ମୂର୍ତ୍ତୀ କାରିଗରଙ୍କ ଜୀବନ ଜିବୀକା ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଭଦ୍ରକ ପୌରାଞ୍ଚଳରେ ଏହି କାରିଗରଙ୍କ ପରିବାର ଏବେ ନାନା ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ଭଦ୍ରକ ପୌରାଞ୍ଚଳ ୧୩ନମ୍ବର ୱାର୍ଡ଼ର କୁମ୍ଭାରସାହି। ଏହି ସାହିରେ ପ୍ରାୟ ୫୦ ପରିବାର ବାସ କରୁଥିବାବେଳେ, ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ୧୨ରୁ ଉର୍ଦ୍ଧ୍ୱ ପରିବାର ନିଜକୁ ନିୟୋଜିତ କରିଥାନ୍ତି। ମାଟି ହାଣ୍ଡି ଗଢ଼ିବା ଠାରୁ ଆରମ୍ଭ କରି ମୂର୍ତ୍ତୀ ନିର୍ମାଣ ପର୍ଯ୍ୟନ୍ତ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପରିବାର ଏହି ବୃତ୍ତିରେ ଜଡ଼ିତ। କିନ୍ତୁ କଞ୍ଚାମାଲ ଓ ପ୍ରୋତ୍ସାହନ ଅଭାବରୁ ଏବେ ସେମାନେ କେବଳ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ କରୁଛନ୍ତି। ବର୍ଷକରେ ବିଭିନ୍ନ ପୂଜା ପାଇଁ ସେମାନେ ୧୦ହଜାରରୁ ଉର୍ଦ୍ଧ୍ୱ ମୂର୍ତ୍ତୀ ଗଢ଼ିଥାଆନ୍ତି। ମୂର୍ତ୍ତୀ ବିକ୍ରୀ ଅର୍ଥରେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ। ଗଣେଶ ପୂଜାର ପ୍ରାୟ ୨ମାସ ପୂର୍ବରୁ ଆମେ ମୂର୍ତ୍ତୀ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଉ ବୋଲି କୁହନ୍ତି ସଂପୃକ୍ତ ଗ୍ରାମର ଚକ୍ରଧର ବେହେରା। ଚଳିତ ବର୍ଷ ମଧ୍ୟ ଏପରି ପ୍ରସ୍ତୁତି ଆରମ୍ଭ କରିଥିଲେ ଏସମସ୍ତ ମୂର୍ତ୍ତୀ କାରିଗର ପରିବାର। କରୋନା ପାଇଁ କଟକଣା ଥିବା ସତ୍ତ୍ୱେ ପୂଜା ପାଇଁ ପ୍ରଶାସନର କ’ଣ ଆଭିମୁଖ୍ୟ ରହିବ ସେ ବିଷୟରେ କିଛି ବି ଭାବିନଥିଲେ। ପ୍ରଥମେ କୁଟାରେ ଛାଞ୍ଚ ଭିଡ଼ି ମାଟିର ପ୍ରଲେପ ଦେବା ପରେ ଶେଷରେ ହର୍ବାଲ ରଙ୍ଗରେ ମୂର୍ତ୍ତୀଗୁଡ଼ିକୁ ଜୀବନ୍ତ କରି ଗଢ଼ିବାକୁ ଉଦ୍ୟମ କରିଥିଲେ। ଏବେ ମୂର୍ତ୍ତୀ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତଥାପି ଆଶା ଓ ଆଶଙ୍କା ମଧ୍ୟରେ ରହି ମୁଁ ଚଳିତ ବର୍ଷ ମାତ୍ର ୨୫ପ୍ରତିଶତ ମୂର୍ତ୍ତୀ ନିର୍ମାଣ କରିଛି ବୋଲି କହିଛନ୍ତି ଚକ୍ରଧର। ୬ଇଞ୍ଚ ଠାରୁ ଆରମ୍ଭ କରି ୬ଫୁଟ ଉଚ୍ଚତାର ମୂର୍ତ୍ତୀ ପ୍ରସ୍ତୁତ କରିଛି। କିନ୍ତୁ ଗ୍ରାହକ କିଣିବାକୁ ଆସିବେ କି ନାହିଁ ଜାଣିନି। ଋଣ କରଜ କରି ଅର୍ଥ ଖର୍ଚ୍ଚ କରିବା ପରେ ଲାଭ ପଛର କଥା ମୂଳ ଉଠିବ କି ନାହିଁ ମୁଁ ଜାଣେନାହିଁ ବୋଲି ଲୁହ ଛଳଛଳ ଆଖିରେ କହିଛନ୍ତି ବୟସ୍କ କାରିଗର ଚକ୍ରଧର। ସେହିପରି ଉକ୍ତ ଗ୍ରାମର ଯୁବ କାରିଗର ସଂଜୟ ରଣାଙ୍କ କହିବା କଥା ହେଲା ଚଳିତ ବର୍ଷ ମୁଁ ୫୦ହଜାର ଟଙ୍କା ଗଣେଶ ମୂର୍ତ୍ତୀ ନିର୍ମାଣରେ ଖର୍ଚ୍ଚ କରିଛି। ୧୦/୧୨ଜଣ ପିଲା ମୋତେ ଏହି କାର୍ଯ୍ୟରେ ସାହାର୍ଯ୍ୟ କରୁଛନ୍ତି। ମୂର୍ତ୍ତୀ ଠିକ ଦାମରେ ବିକ୍ରୀ ହୋଇଥିଲେ ୨ଲକ୍ଷ ଟଙ୍କା ହୋଇଥାଆନ୍ତା। କିନ୍ତୁ ଏବେ କରୋନାକୁ ନେଇ ଯେଉଁ ଅନିଶ୍ଚିତତା ସୃଷ୍ଟି ହୋଇଛି ପିଲାମାନଙ୍କ ପଇସା ଦେଇ ପାରିବି କି ନାହିଁ ଜାଣି ନାହିଁ। ଅଳ୍ପ କେତେକ ବଡ଼ ମୂର୍ତ୍ତୀ ପାଇଁ ଗ୍ରାମାଞ୍ଚଳରୁ ବରାଦ ଆସିଛି। କିନ୍ତୁ ମଧ୍ୟମ ଆକାରର ମୂର୍ତ୍ତୀ ଯେଉଁ ଶିକ୍ଷାନୁଷ୍ଠାନ, କ୍ଲବ ଓ ସାମାଜିକ ଅନୁଷ୍ଠାନଙ୍କୁ ଦୃଷ୍ଟିରେ ରଖି ତିଆରି କରିଥିଲି ସେଗୁଡ଼ିକ ବିକ୍ରୀ ନହୋଇ ରହିଯିବ। କରୋନା ସମୟରେ ସରକାର କେବଳ ଚାଉଳ ଡ଼ାଲି ପରି ରେସନ ସାମଗ୍ରୀ ଦେଇ ଚୁପ ବସିଗଲେ ଚଳିବ ନାହିଁ। ଆମର ଜିବୀକା ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ବିମର୍ଷ ବଦନରେ ସଂଜୟ।କରୋନା ପାଇଁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଥିବାବେଳେ, ଏଥିରୁ ବାଦ ପଡ଼ି ନାହାନ୍ତି ଏହି ସମ୍ପ୍ରଦାୟ। କେବଳ ଚକ୍ରଧର କିମ୍ବା ସଂଜୟଙ୍କ ପରିବାର ନୁହେଁ, ପୌରାଞ୍ଚଳର ୧୫ରୁ ଉର୍ଦ୍ଧ୍ୱ ପରିବାର ସମେତ ଜିଲ୍ଲାର ଶତାଧିକ ମୂର୍ତ୍ତୀ ପ୍ରସ୍ତୁତ କରୁଥିବା ପରିବାର ଏବେ କରୋନା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗଣେଶ ପୂଜାରେ ନହେଲା ନାହିଁ, ଶୀଘ୍ର କରୋନା ଆତଙ୍କ ଅପସରି ଗଲେ ଆଗାମୀ ଦିନରେ ଆସୁଥିବା ପୂଜାମାନଙ୍କରେ ସେମାନେ ହୁଏତ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରନ୍ତେ।