Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ଭଦ୍ରକ ପୌରାଞ୍ଚଳ ବେହାଲ – ଜଳ ନିଷ୍କାସନରେ ବାଧା ସାଜିଛି ଡ୍ରେନ୍

ଲଗାଣ ବର୍ଷାରେ ଭଦ୍ରକ ପୌରାଞ୍ଚଳ ବେହାଲ – ଜଳ ନିଷ୍କାସନରେ ବାଧା ସାଜିଛି ଡ୍ରେନ୍

107

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନୀତ ବର୍ଷାରେ ଭଦ୍ରକ ପୌରାଞ୍ଚଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବାହ୍ନରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ, ସହରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସେହିପରି ବର୍ଷା ଜଳ ନିଷ୍କାସନ ଠିକ ଭାବରେ ହୋଇପାରୁନଥିବାରୁ ପୌରାଞ୍ଚଳର ଅର୍ଦ୍ଧାଧିକ ୱାର୍ଡ଼ ଜଳାର୍ଣ୍ଣବ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ମୌସୁମୀ ବର୍ଷାକୁ ନେଇ ପୌର କର୍ତ୍ତୃପକ୍ଷଙ୍କର ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ଫେଲ ମାରିଛି। ଯାହାକି ପୌରବାସୀଙ୍କୁ କ୍ଷୁବ୍ଧ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅଧିକ ବର୍ଷାର ସମ୍ଭବାନା ଥିବା ଦୃଷ୍ଟିରୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଅ।।ଙ୍କା କରାଯାଉଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ପୂର୍ବରୁ ପୌର ପ୍ରଶାସନ ମେସୁମୀ ବର୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା। ବିଭିନ୍ନ ସ୍ଥାନରେ ଜାମ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଡ୍ରେନ ଓ ମାଟି ନାଳକୁ ସଫା କରିଥିଲା। କେତେକ ଅଞ୍ଚଳରେ ନୂତନ ଡ୍ରେନ କାର୍ଯ୍ୟ ହାତକୁ ନେଇଥିଲା। କିନ୍ତୁ ସେତକ ପ୍ରସ୍ତୁତି ଯଥେଷ୍ଟ ନଥିଲା। କାରଣ ବର୍ଷା ଋତୁରେ ବିଗତ ବର୍ଷମାନଙ୍କର ତିକ୍ତ ଅନୁଭୁତିରୁ ପୌର କର୍ତ୍ତୃପକ୍ଷ କିଛି ବି ଶିକ୍ଷା ଲାଭ କରିନାହିଁ ବୋଲି ପୌରବାସୀ ମତପ୍ରକାଶ କରୁଛନ୍ତି। କାରଣ ୫ନମ୍ବର ୱାର୍ଡ଼ ସମେତ ପୌରାଞ୍ଚଳର ଅନ୍ୟ କେତେକ ୱାର୍ଡ଼ରେ ଡ୍ରେନ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ଦିଆ ସରିଥିବାବେଳେ, ବହୁ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରି ନାହିଁ। କାର୍ଯ୍ୟାଦେଶ ପାଇଥିବା ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସାହାସ ଜୁଟାଇ ପାରୁନି ପୌର କର୍ତ୍ତୃପକ୍ଷ। ଅପରପକ୍ଷେ ଆଉ କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଏହି ବର୍ଷା ଦିନରେ ଚାଲିଛି। ଏସମସ୍ତ ପ୍ରସଙ୍ଗରୁ ସହରରୁ ବର୍ଷା ଜଳ ନିଷ୍କାସନ ଦିଗରେ ପୌର କର୍ତ୍ତୃପକ୍ଷ କେତେ ସଚେତନ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ସେହିପରି ପୌରାଞ୍ଚଳର ବନ୍ତ ଛକ, ମୋଟେଲ ଛକ, ଡାହାଣିଗଡ଼ିଆ ପରି କେତେକ ସ୍ଥାନରେ ବହୁ କୋଟି ଟଙ୍କା ବ୍ୟୟରେ ଡ୍ରେନେଜ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୩ବର୍ଷ ବିତିଯାଇଛି, ହେଲେ ଡ଼୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନି। ଅନୁରୂପ ଗବସାହି ଲେବୁଲ କ୍ରସିଂ ଠାରୁ ମୋଟେଲ ଛକ ପର୍ଯ୍ୟନ୍ତ ଡ୍ରେନ ଅସମ୍ପୂର୍ଣ୍ଣ ରହିଛି ଗତ ୩ବର୍ଷ ହେଲା। ଏଠାରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ଭିଆଇପି ରୋଡ଼ରେ ପାଣି ଜମି ରହୁଛି। କାରଣ ରାସ୍ତା ଉଚ୍ଚତା ଠାରୁ ଡ଼୍ରେନର ଛାତ ୧ଫୁଟରୁ ଅଧିକ ଥିବାରୁ ଓ ରାସ୍ତାରେ ପ୍ରବାହିତ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ଠିକାଦାରଙ୍କ ପକ୍ଷରୁ କରାଯାଇନଥିବାରୁ ଏପରି ପରିସ୍ଥିତି ଦେଖା ଦେଇଛି। ତେବେ ଗତବର୍ଷ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଡ୍ରେନେଜ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଏସମ୍ପର୍କରେ ତାଗିିଦ କରିଥିଲେ। ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି କୌଣସି ଫଳ ମିଳିଲା ନାହିଁ। ଏହି ମନୁଷ୍ୟକୃତ ସମସ୍ୟା ପାଇଁ ଚରମ୍ପା ଅଞ୍ଚଳର ଦୁଇଟି ୱାର୍ଡ଼, କୁଆଁସ, ଗରଦପୁର, ଜଗନ୍ନାଥପୁର, ବାଗୁରାଇ, ଦୁର୍ଗାପୁର, ପୁରୁଣାବଜାର ଅଞ୍ଚଳର ବହୁ ୱାର୍ଡ଼ରେ ବର୍ଷା ଜଳ ନିଷ୍କାସିତ ହୋଇ ପାରୁ ନାହିଁ। ତେଣୁ ପୌରାଞ୍ଚଳରେ ଯେଉଁ ଜଳ ନିଷ୍କାସନର ସମସ୍ୟା ଦେଖାଦେଇଛି, ସେଥି ପାଇଁ ଉଭୟ ପୌର କର୍ତ୍ତୃପକ୍ଷ ଓ ଡ୍ରେନେଜ ବିଭାଗ ମିଳିତ ଭାବେ ଦାୟୀ ବୋଲି ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.