Home ଜିଲ୍ଲା ପରିକ୍ରମା କେନ୍ଦ୍ର ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ମାରକପତ୍ର

କେନ୍ଦ୍ର ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ମାରକପତ୍ର

119

ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ) : ସ୍କିମ୍ ୱାର୍କର୍ସଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଙ୍କ ଆହ୍ୱାନ କ୍ରମେ ଚଳିତ ମାସ ୭ ଓ ୮ ତାରିଖରେ ଦେଶବ୍ୟାପୀ ସ୍କିମ୍ ୱାର୍କର୍ସ ଧର୍ମଘଟ ଚାଲିଥିଲା। ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯାଉଥିବା ବେଳେ ବାଲେଶ୍ୱରରେ ଆଶା, ଅଙ୍ଗନୱାଡ଼ି କର୍ମୀ ଓ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ସ୍କିମ ୱାର୍କର୍ସମାନେ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ୧୭ ଦଫା ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସଙ୍କ ନେତୃତ୍ୱରେ ସଦର କମିଟି ସଭାପତି ନୀଳିମା ଜେନା, ପୌରାଞ୍ଚଳ କମିଟି ସଭାପତି ନିର୍ବାସିନୀ ପ୍ରଧାନ, ସାମ୍ପା ବଳ, ନିୟତି ସାହୁ, ପ୍ରଭାସିନୀ ପଣ୍ଡା, ରଶ୍ମିତା ନାଥ, ଶାନ୍ତିଲତା ମଝୀ, ପୁଷ୍ପଲତା ସେଠୀ, ନମିତା ବେରା, ମନୋରମା ପରିଡ଼ାଙ୍କୁ ନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ସର୍ବନିମ୍ନ ମାସିକ ପେନସନ ୧୦ ହଜାର ଟଙ୍କା ପ୍ରଦାନ କରିବା, କେନ୍ଦ୍ରୀ ସ୍କିମ୍‌ଗୁଡ଼ିକ ସ୍ଥାୟୀ ଓ ସାର୍ବଜନୀନ କରିବା, କୋଭିଡ୍ ସମୟରେ ପାଚିକାମାନଙ୍କୁ ଭତ୍ତା ପ୍ରଦାନ କରିବା, ସ୍କିମ୍ ୱାର୍କର୍ସଙ୍କ ସମେତ ସବୁ ବର୍ଗର ଶ୍ରମିକଙ୍କୁ ମାସିକ ସାଢ଼େ ୭ ହଜାର ଟଙ୍କା ହାରରେ ଭତ୍ତା ପ୍ରଦାନ କରିବା ଆଦି ୧୭ ଦଫା ଦାବି ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଓ ସଦର ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.