Home ଓଡ଼ିଶା କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଅର୍ଥ ଯୋଗାଣ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଅର୍ଥ ଯୋଗାଣ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

171

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଏକ ସର୍ବଭାରତୀୟ କେନ୍ଦ୍ରୀୟ ଅର୍ଥ ଯୋଗାଣ ଯୋଜନା ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି। ଏହି ଯୋଜନାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସମର୍ଥ କାର୍ଯ୍ୟକ୍ରମ ପାଇଁ କୃଷି ଭିତ୍ତିଭୂମି ପାଣ୍ଠିରୁ କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅର୍ଥ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କୃଷି କ୍ଷେତ୍ରରେ ଯେଉଁସବୁ ସଂଗଠନ ଓ ଅନୁଷ୍ଠାନ ରହିଛି ସେମାନଙ୍କୁ ଅର୍ଥ ଯୋଗାଣ ବ୍ୟବସ୍ଥା ସୁଗମ କରାଯିବ। ବିଶେଷକରି ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଏବଂ ଗୋଷ୍ଠୀଗତଭାବରେ ହେଉଥିବା ଚାଷ କ୍ଷେତ୍ରରେ ଯେଉଁସବୁ ସଫଳ ବ୍ୟବସ୍ଥା ରହିଛି ସେଗୁଡିକୁ ଏହି ଯୋଜନାରେ ମଧ୍ୟମ ଓ ଦୀର୍ଘମିଆଦୀ ଋଣ ଯୋଗାଇ ଦିଆଯିବ। ଆବଶ୍ୟକସ୍ଥଳେ ଏଥିପାଇଁ ଆର୍ଥିକ ସହାୟତା ତଥା ଋଣ ରିହାତି ମଧ୍ୟ ପ୍ରଦାନ କରାଯିବ।

ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ, ପ୍ରାଥମିକ କୃଷିଋଣ ସୋସାଇଟି ବା ପାକ୍ସ, ମାର୍କେଟିଂ କୋଅପରେଟିଭ ସୋସାଇଟି, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୁଗ୍ମ ଲାୟାବଲିଟି ଗ୍ରୁପ, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, ଭିତ୍ତିଭୂମି ଯୋଗାଣକାରୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ସଂସ୍ଥାଙ୍କୁ ୧ ଲକ୍ଷ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯିବ।

ଏହି ଋଣ ୪ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ। ସେଥିମଧ୍ୟରୁ ଚଳିତବର୍ଷ ୧୦ ହଜାର କୋଟି ଏବଂ ପରବର୍ତ୍ତୀ ୩ ବର୍ଷ ୩୦ ହଜାର କୋଟି ଟଙ୍କା ଲେଖାଏଁ ହିସାବରେ ଯୋଗାଇ ଦିଆଯିବ। ଏହି ଋଣ ଉପରେ ବାର୍ଷିକ ୩ ଶତାଂଶ ସୁଧ ରିହାତି ମିଳିବ ଏବଂ ଏଥିପାଇଁ ସର୍ବୋଚ୍ଚ ଋଣ ପରିମାଣ ୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସୁଧ ରିହାତି ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଆହୁରି ମଧ୍ୟ ଏହି ଆର୍ଥିକ ବ୍ୟବସ୍ଥାରୁ ଯେଉଁମାନେ ଋଣ ନେବେ ସେମାନଙ୍କୁ କ୍ରେଡିଟ ଗ୍ୟାରେଣ୍ଟି ସୁବିଧା ମିଳିବ। ଏଥିପାଇଁ ସରକାର ସମସ୍ତ ଫି’ ବାବଦ ବ୍ୟୟ ବହନ କରିବେ। କୃଷି ଉତ୍ପାଦକ ସଂଗଠନଗୁଡିକ ପାଇଁ କୃଷି ସମବାୟ ବିଭାଗ ଓ କୃଷକ କଲ୍ୟାଣ ବିଭାଗ ଗ୍ୟାରେଣ୍ଟର ରହିବ।

ଏ ବାବଦରେ ଭାରତ ସରକାର ମୋଟ ୧୦, ୭୩୬ କୋଟି ଟଙ୍କା ବଜେଟ ସହାୟତା ଆକରରେ ଯୋଗାଇଦେବେ। ଋଣ ପରିଶୋଧ କ୍ଷେତ୍ରରେ ସର୍ବନିମ୍ନ ଓ ସର୍ବାଧିକ ୨ ବର୍ଷର ସ୍ଥଗନାଦେଶ ସୁଯୋଗ ସୁବିଧା ମିଳିବ। କୃଷି ଓ କୃଷିଭିତ୍ତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ। ଏହାଦ୍ୱାରା ଗ୍ରାମାଞ୍ଚଳରେ କୃଷି ଉଦ୍ୟୋଗମାନ ଗଢି ଉଠିବା ସହ ବିଭିନ୍ନ ପ୍ରକାର ନିଯୁକ୍ତି ସୃଷ୍ଟି ହେବ। ଏହା ମଧ୍ୟ ଏହି ଉଦ୍ୟୋଗକୁ ଆନୁଷ୍ଠାନିକ ଋଣ ଯୋଗାଣ ବ୍ୟବସ୍ଥାକୁ ସହଜ କରିବ।

ଆଗ୍ରି ଇନ୍‌ଫ୍ରା ଫଣ୍ଡର ପରିଚାଳନା ଏବଂ ତଦାରଖ ଏକ ଅନ୍‌ଲାଇନ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏମ୍‌ଆଇଏସ୍‌) ପ୍ଲାଟଫର୍ମ ଦ୍ୱାରା କରାଯିବ। ଏହି ଏମ୍‌ଆଇଏସ୍‌ ଯୋଗ୍ୟ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ଋଣ ଯୋଗାଣର ସୁବ୍ୟବସ୍ଥା କରିବ। ଏହା ଅନ୍‌ଲାଇବ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବାକୁ ଥିବାରୁ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାଙ୍କ ସୁଧହାର, ଋଣଯୋଗାଣ ବ୍ୟବସ୍ଥା, ଯୋଜନାର ସବିଶେଷ ବିବରଣୀ, ସୁଧ ରିଆତି ଆଦି ସଂପର୍କରେ ଆବେଦନକାରୀ ନିର୍ଭୁଲ ତଥ୍ୟ ପାଇପାରିବେ। ଆହୁରି ମଧ୍ୟ ଯଥାସମ୍ଭବ ସ୍ୱଳ୍ପ କାଗଜପତ୍ର ମାଧ୍ୟମରେ ଋଣ ପାଇଁ ଆବେଦନ କରିହେବ ଏବଂ ଋଣ ମଞ୍ଜୁରି କାର୍ଯ୍ୟ ଖୁବ୍‌ କମ୍‌ ସମୟରେ ହୋଇପାରିବ। ସର୍ବୋପରି ଏହା ଏକ ଅନ୍‌ଲାଇନ ବ୍ୟବସ୍ଥା ହୋଇଥିବାରୁ ହିତାଧିକାରୀମାନେ ଅନ୍ୟାନ୍ୟ ଯୋଜନାର ସୁବିଧା ସୁଯୋଗ ସହ ସଂଯୁକ୍ତ ହୋଇପାରିବେ।

ଯୋଜନାର ସଫଳ ରୂପାୟନ ପାଇଁ ଜାତୀୟ, ପ୍ରାଦେଶିକ ଓ ଜିଲ୍ଲା ସ୍ତରରେ ମନିଟରିଂ କମିଟି ମାନ ଗଠନ କରାଯିବ। ବିଭିନ୍ନ ସ୍ତରରୁ ସଂଗୃହୀତ ତଥ୍ୟାବଳୀ ଆଧାରରେ ରୂପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ୨୦୨୦ ଆର୍ଥିକ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.