ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳବାସୀ ଭଦ୍ରକ ଦୂରର କଥା ଏବେ ବାସୁଦେବପୁର ଯାଏଁ ଆସିବା କାଠିକର ପାଠ ହେଲେଣି । ନବ ନିର୍ମାଣ ନାମରେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ କୋମାରେ । ଧାମରା ଲୋକେ ବାଧ୍ୟ ହୋଇ ବାଇକ୍ ଉପରେ ନିର୍ଭର କରି ବାଁଶଡା, ଚୌଧୁରୀଘାଟ ଓ ହବାଳି ଘାଟ ଦେଇ ମନ୍ତେଇ ନଦୀ ପାରି ହୋଇ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ତିହିଡି ଦେଇ ଭଦ୍ରକ ସହର ମହକୁମାକୁ ଯାଉଛନ୍ତି । ରୋଗୀଟିଏ ଯଦି ଆମ୍ବୁଲାନ୍ସରେ ଭଦ୍ରକ ବାହାରୁଛି, ଅବସ୍ଥା ବେହାଲ ହୋଇଯାଉଛି । ୨୨୫ କୋଟି ଟଙ୍କାରେ ତାହା ପୁଣି ମିଳିତ ୩ ଜଣିଆ ସହଭାଗିତାରେ ଚାଲିଥିବା ଜାମୁଝାଡି-ଧାମରା ରାସ୍ତା କାମକୁ ଦେଖିବା ପାଇଁ କେହି ନାହାଁନ୍ତି । ଠିକା ସଂସ୍ଥା ନିଜ ମନମାନିରେ କାମ କରୁଥିବାବେଳେ ନିତି ନିୟମକୁ ବି ବଳି ପକାଇ ଦେଇଛନ୍ତି । ବିଦେଇପୁର ଠାରୁ ଧାମରା ଯାଏ ଏବେ ପ୍ରାଥମିକ ପର୍ଯ୍ୟାୟରେ ଚାଲିଛି ରାସ୍ତା ନିର୍ମାଣ କାମ । ନିୟମ ଅନୁସାରେ ରାସ୍ତା ନିର୍ମାଣ ବେଳେ ଠିକା କଂପାନୀ ପାଣି ସିଞ୍ଚନ କରିବାର ବ୍ୟବସ୍ଥା ଥିଲାବେଳେ ଏହାକୁ ମାନୁନାହାଁନ୍ତି ଠିକାଦାର । କ୍ରସର ଗୁଣ୍ଡ ଓ ମାଟି କାଦୁଅ ଧୂଳିରେ ସ୍ଥାନୀୟ ଗାଁ ଗଣ୍ଡା ଏବେ ପୁରିଗଲାଣି । କୁହୁଡି ଭଳି ଅବସ୍ଥା ସୃଷ୍ଟି କରୁଛି ଏହି କ୍ରସର ଗୁଣ୍ଡ ଓ ମାଟି ଧୂଳି । ରାସ୍ତାରେ ଛାତ୍ରଛାତ୍ରୀମାନେ ଯିବା ଏବେ ବିଷୟ ସମସ୍ୟା ସୃଷ୍ଟି କଲାଣି । ସ୍ଥାନୀୟ ଲୋକେ ପୂର୍ତ୍ତ ବିଭାଗକୁ ଅଭିଯୋଗ କରିବାକୁ ଖୋଜିଲେ ବି କେହି ମିଳୁନାହାଁନ୍ତି । ତେଣୁ ରାସ୍ତାରୋକ୍ ଭଳି ଚିନ୍ତାଧାରାକୁ ସେମାନେ ଗ୍ରହଣ କରୁନାହାଁନ୍ତି । ଯଦି ପାଣି ଛିଞ୍ôଚ ଏହି ଧୂଳିଧୂସର ରାସ୍ତା ପରିସ୍ଥିତି ନବଦଳାନ୍ତି ତେବେ ବିଦେଇପୁର ଓ କଇଥଖୋଲା ଠାରେ ରାସ୍ତା ରୋକ ହେବ ବୋଲି ସ୍ଥାନୀୟ ବାସୀ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବହୁ ପ୍ରତୀକ୍ଷିତ ଜାମୁଝାଡି-ଧାମରା ଦୁଇଲେନ୍ ବିଶିଷ୍ଟ ୨୨୫ କୋଟି ଟଙ୍କାର ନିର୍ମାଣଧୀନ ରାସ୍ତା ସରିବା ପୂର୍ବରୁ ଭାଙ୍ଗିବା ଆଶଙ୍କା ଦେଖାଦେଇଛି । ରେଳ ଲାଇନ୍ ତିଆରି ହେବା ଭଳି ଏହି ଲୁଣା ଏରିଆରେ ରାସ୍ତା ନିର୍ମାଣ ପାଇଁ କେବଳ ବାଲି ଓ ମୋରମରେ ବେସ୍ ତିଆରି ହେବା ନିମୟ ଥିବାବେଳେ ସଂପୂର୍ଣ୍ଣ ପଙ୍କ ଓ କାଦୁଅକୁ ଯାହାକି ଲୁଣାମାଟି ପଙ୍କ ସେହି ବର୍ଜ୍ୟବସ୍ତୁ ମାଟିକୁ ରାସ୍ତା ନିର୍ମାଣରେ ଲଗାଯାଉଛି । ଯେଉଁଥିପାଇଁ ରାସ୍ତା ନିର୍ମାଣ ସରିବା ପୂର୍ବରୁ ଏହା ଧସିଯିବା ଆଶଙ୍କା ଦେଖାଦେଇଛି । ସ୍ଥାନୀୟ ଲୋକେ ବାରମ୍ବାର ନିର୍ମାଣଧୀନ କଂପାନୀ ଓ ଦେଖାଶୁଣା କରୁଥିବା ସୁପରଭାଇଜରଙ୍କୁ କାହିଁକି ପଙ୍କ କାଦୁଅରେ ରାସ୍ତା ନିର୍ମାଣ ହେଉଛି ପଚାରିଲେ ମଧ୍ୟ ଉତ୍ତର ମିଳୁନି । ଜଣାଯାଏ କଲାମ ଦୀପର ପ୍ରତିରକ୍ଷା ଘାଟିକୁ ପ୍ରତିଦିନ ଶତାଧିକ ଭାରିଯାନ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବାସୁଦେବପୁର ଦେଇ ଧାମରାକୁ ଯାଉଛି । ଧାମରା ସାମୁଦ୍ରିକ ବନ୍ଦର ସାଙ୍ଗକୁ ଧାମରା ମାଛଧରା ବନ୍ଦର ପାଇଁ ଶହ ଶହ ଗାଡି ୧୬ ନମ୍ବର ଜାତୀୟ ରାଜପଥରୁ ୬୦ କିଲୋମିଟର ଅତିକ୍ରମ କରି ଧାମରାରେ ପହଞ୍ଚୁଛି ।
ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଥିବାରୁ ୬୦ କିଲୋମିଟର ରାସ୍ତାକୁ ୪ ଘଣ୍ଟା ସମୟ ଲାଗୁଛି । ଏହି ରାସ୍ତାକୁ ନବନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପୁଂଜି ଖୋଜୁଥିବା ବେଳେ ଧାମରା ବନ୍ଦର ଓ ପ୍ରତିରକ୍ଷା ବିଭାଗ ହାତ ବଢାଇଥିଲେ । ମିଳିତ ଭାଗିଦାରୀରେ ରାଜ୍ୟ ସରକାର ୭୫ କୋଟି ଧାମରା ବନ୍ଦର ୭୫ କୋଟି ଏବଂ ପ୍ରତିରକ୍ଷା ବିଭାଗ ୭୫ କୋଟି ମିଳିମିଶି ଦେବାରୁ ଏହି ଦୁଇ ଥାକିଆ ରାସ୍ତା ନବ ନିର୍ମାଣ ପାଇଁ ୨୨୫ କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ସରକାର ଟେଣ୍ଡର ଡାକିବା ପରେ ଉତ୍କଳ ମେନିଫେକଚରିଂ ଏଣ୍ଡ ସର୍ଭିସ୍ ଲିମିଟେଡ୍ ନାମକ ଏକ ଠିକା ସଂସ୍ଥାକୁ ନିର୍ମାଣ ପାଇଁ ଟେଣ୍ଡର ଦିଆଯାଇଛି । ଏହି କଂପାନୀ ଅନ୍ୟ ୪ ଜଣ ସ୍ଥାନୀୟ ଠିକାଦାରଙ୍କୁ କାମ ହସ୍ତାନ୍ତର କରିଛି । ଯେଉଁଥିପାଇଁ ସମୟ ଧାର୍ଯ୍ୟ ଦୂରର କଥା ଆସନ୍ତା ୨୦୨୪ ପୂର୍ବରୁ ଏହା ସରିବା ଆଶା ଦେଖାଯାଉନି । ରାସ୍ତା ସଂପ୍ରସାରଣ ପାଇଁ ମାଟି ଓ ବାଲି ସଂଗ୍ରହ ଏକ ସମସ୍ୟା ରୂପେ ଦେଖାଦେଇଥିବାରୁ ଏହାକୁ ଦୂର କରିବା ପାଇଁ ଆଦାନୀ ଧାମରା ବନ୍ଦର କର୍ତ୍ତୃପକ୍ଷ ହାତ ବଢାଇ ସମୁଦ୍ରରୁ ଡ୍ରେଜିଂ କରୁଥିବା ବାଲିକୁ ଏହି ରାସ୍ତା ନିର୍ମାଣ ପାଇଁ ଯୋଗାଇ ଦେଉଛି । ଜାମୁଝାଡି ଓ ଧାମରାକୁ ସଂଯୋଗ କରୁଥିବା ଏହି ରାସ୍ତା ନିର୍ମାଣ ପ୍ରସଙ୍ଗ ଏବେ କେବଳ ଧାମରାର ପ୍ରଗତି ନୁହେଁ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ପ୍ରଗତି ଓ ବିକାଶକୁ ଆଗକୁ ବଢାଇବ ବୋଲି ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି । ଧାମରାରେ ଛୋଟରୁ ବଡ ଶିଳ୍ପ ନିର୍ମାଣ କରିବା ପାଇଁ ୨୮ଟି ଶିଳ୍ପ ସଂସ୍ଥା ଗୋଡକାଢି ବସିଥିବା ବେଳେ ଏହି ରାସ୍ତା ଶିଳ୍ପପତିମାନଙ୍କୁ ଧାମରାମୁହାଁ କରିବ ନା ଅଟକିଯିବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏହି ରାସ୍ତା ନିର୍ମାଣ ଆରମ୍ଭରୁ ଝୁଣ୍ଟିଲାଣି । ପଙ୍କ ଓ କାଦୁଅରେ ବେସ୍ ନିର୍ମାଣ କରି ଠିକା କଂପାନୀ ଲୋକଙ୍କୁ ଠକାଇବା ଆରମ୍ଭ କରିଛି । ଲୋକଙ୍କୁ କେବଳ ନୁହେଁ, ରାଜ୍ୟ ସରକାରଙ୍କ ଶିଳ୍ପନୀତିକୁ ଧୋକା ଦେବ ବୋଲି ସ୍ଥାନୀୟ ଲୋକେ ଆରୋପ କରିଛନ୍ତି । ଅନ୍ୟପକ୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ଅନେକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସ୍ଥାନୀୟ ନେତାଙ୍କ ପ୍ରରୋଚନାରେ ଏହି ଜବରଦଖଲକାରୀ ପୁଣି ଉଚ୍ଛେଦ ହୋଇଥିବା ସ୍ଥାନକୁ ଦଖଲକୁ ନେଲେଣି ।