Home ଜିଲ୍ଲା ପରିକ୍ରମା ଦୋହଲୁଛି ଚାନ୍ଦବାଲି ବୈତରଣୀ ସେତୁ, ମରାମତି ପାଇଁ ୫ କୋଟି ଟଙ୍କାର ଟେଣ୍ଡର : ଏକ...

ଦୋହଲୁଛି ଚାନ୍ଦବାଲି ବୈତରଣୀ ସେତୁ, ମରାମତି ପାଇଁ ୫ କୋଟି ଟଙ୍କାର ଟେଣ୍ଡର : ଏକ ମାସ ବନ୍ଦ ରହିବ ପରିବହନ, କରୋନା ପାଇଁ ଅଟକିଛି କାମ

85

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୨ ବର୍ଷର ବୈତରଣୀ ସେତୁ ଏବେ ବିପଦରେ । ୫୦ କୋଟି ଟଙ୍କା ବ୍ୟୟ କରି ନିର୍ମିତ ହୋଇଥିବା ଚାନ୍ଦବାଲି ବୈତରଣୀ କୂଳର ଏହି ୨୮୫ ମିଟର ଲମ୍ବ ବିଶିଷ୍ଟ ସେତୁ ଦବି ଯାଇଥିଲା । ଦୁଇଟିଯାକ ପିଲର ଦବି ଯାଇଥିବାରୁ ସେ କୌଣସି ମୁହୂର୍ତ୍ତରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲାକୁ ସଂଯୋଗ କରୁଥିବା ଏହି ବୈତରଣୀ ସେତୁ ଭୁଶୁଡି ପଡିବା ଆଶଙ୍କା ଚାରିବର୍ଷ ହେଲା କଲେଣି । ବାରମ୍ବାର ଗଣମାଧ୍ୟମ ଓ ସାଧାରଣ ଜନତାଙ୍କର ଅଭିଯୋଗ ପରେ ଏବଂ ରାଜ୍ୟରେ ବିଭିନ୍ନ ସେତୁ ଭୁଶୁଡିବା ଆରମ୍ଭ ହେବା ଯୋଗୁଁ ଏହି ବୈତରଣୀ ସେତୁ ଭାଙ୍ଗିବା ଆଶଙ୍କା ଘାରିଥିଲା ସରକାରଙ୍କୁ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ, ସଚିବ ଆଦିଙ୍କୁ ଭେଟିବା ପରେ ୨୦୧୭ ଅକ୍ଟୋବର ୯ ରେ ଏକ ବିଶେଷଜ୍ଞ ଦଳ ବୈତରଣୀ ସେତୁ ଦବିବା ସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ଏହି ସେତୁର ମରାମତି ଜରୁରୀ ବୋଲି ଅନୁଭବ କରାଯିବା ପରେ ୨୦୧୯ ରେ ମରାମତି ଟେଣ୍ଡର ହେଲା । ୫ କୋଟିରୁ ଅଧିକ ଟଙ୍କାର ମରାମତି ଟେଣ୍ଡର ହୋଇଥିଲେ ମଧ୍ୟ ଆଜିଯାଏଁ ଏହାର କାମ ଆରମ୍ଭ ହୋଇପାରୁନି । ଶୁଣାଯାଉଛି କରୋନା ପାଇଁ ଅଟକିଛି କାମ । ଟେଣ୍ଡରଧାରୀ କହୁଛନ୍ତି ବାଙ୍ଗାଲୁର, ହାଇଦ୍ରାବାଦ ଆଦି ସ୍ଥାନରୁ ସେତୁର ମରାମତି ପାଇଁ ମୂଲ୍ୟବାନ ବେରିଂ ଆସିବାକୁ ଥିଲାବେଳେ ଏହା କରୋନା ପାଇଁ କିଣାଯାଇ ପାରୁନି । କେବେ କିଣାଯିବ ଓ କାମ ହେବ, ସେତବେଳକୁ ସେତୁ ଭୁଶୁଡି ଥିବା ନା ଅଧା ଦବିଥିବ, ତାହା ଦେଖିବାକୁ ବାକି ରହିଲା । ଜଣାଯାଏ ୨୦୦୬ ରେ ରାଜ୍ୟ ସରକାର ଓ ଗେମନ ଇଣ୍ଡିଆ କଂପାନୀ ଦ୍ୱାରା ଚାନ୍ଦବାଲି ବଡ ବଜାର ଠାରୁ ଅପରପାଶ୍ୱର୍ ରାଜକନିକା ଅଂଚଳକୁ ବୈତରଣୀ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା । ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ଶେଷ ହୋଇଥିଲା । ଶେଷରେ ୨୦୦୮ ମେ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଏହି ୨୮୫ ମିଟର ଲମ୍ବ ବିଶିଷ୍ଟ ବୈତରଣୀ ନଦୀର ସେତୁ ଦୁଇ ଜିଲାବାସୀଙ୍କ ପାଇଁ ଲୋକାର୍ପିତ ହୋଇଥିଲା ।

 

 

ପ୍ରତିଦିନ ଏହି ସେତୁ ଉପରେ ଭଦ୍ରକ-କେନ୍ଦ୍ରାପଡା ଓ ଯାଜପୁର ଜିଲାର ଯାତ୍ରୀବାହୀ ବସ୍‌, ଟ୍ରକ୍ ଶହ ଶହ ଯାତାୟତ କରୁଛି । ନିର୍ମାଣର ୬ ବର୍ଷ ପରେ ଅର୍ଥାତ୍ ୨୦୧୪ ଶେଷ ବେଳକୁ ଏହି ସେତୁର ଦୁଇଟି ପିଲର ଫାଟିବା ଯୋଗୁଁ ସେତୁ ଦବିବାରେ ଲାଗିଥିଲା । ପ୍ରତିଦିନ ସେତୁ ଦବୁଥିବାରୁ କେଉଁ ମୁହୂର୍ତ୍ତରେ ନଦୀର ଅଥଳ ଗର୍ଭରେ ସେତୁ ଭୁଶୁଡି ପଡିବା ତାହା ଆଶଙ୍କା ସୃଷ୍ଟି କରିଥିଲା । କେତେକ ଇଂଜିନିୟର ମତ ଦେଲେ ବୈତରଣୀ ସେତୁର ଦୁଇଟି ପିଲର ଯଥା ୫୩ ନଂ ଏବଂ ୫୩ (୨) କୁ ସଂପୂର୍ଣ୍ଣ ଭାଙ୍ଗି ଦେଇ ସେହି ସ୍ଥାନରେ ନଦୀ ମଧ୍ୟରୁ ନୂତନ ଭାବେ ଦୁଇଟି ପିଲର ନିର୍ମାଣ କରିବା ପାଇଁ ୩୦ ରୁ ୪୦ ଦିନ ସମୟ ଲାଗିବ । ବୈତରଣୀ ସେତୁ ଭଙ୍ଗାଯାଇ ପୁଣି ନିର୍ମାଣ କରିବାକୁ ଏହି ୪୦ ଦିନ ସମୟ ମଧ୍ୟରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲାର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହେବ । ଲୋକେ ପୂର୍ବପରି ପୁଣି ଘାଟ ଡଙ୍ଗାର ସାହାଯ୍ୟ ନେବେ । ସ୍ୱାଧୀନତା ପୂର୍ବରୁ ଯେଉଁପଠି ଘାଟ ଡଙ୍ଗା ବ୍ୟବସ୍ଥାରେ ଯାତ୍ରୀ ପରିବହନ ହେଉଥିଲା, ଆସନ୍ତା ନଭେମ୍ବର ୧୫ ଠାରୁ ଡିସେମ୍ବର ଶେଷ ଯାଏଁ ସେହି ଅନୁସାରେ ଦୁଇ ଜିଲାର ଯାତ୍ରୀ ପରିବହନ ନଦୀପଥରେ କରାଯିବ । ଏ ବାବଦରେ ପୂର୍ତ୍ତ ବିଭାଗର ଏସଡିଓଙ୍କ ମତାମତ ନେବାରୁ ସେ କୁହନ୍ତି ସେତୁର ମରାମତି ପାଇଁ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ହୋଇସାରିଛି, କରୋନା ପାଇଁ କାମ ଅଟକିଛି । ଅଗଷ୍ଟ ମାସ ବେଳକୁ ସେତୁ ପାଇଁ ଇଂଜିନିୟରିଂ ପାର୍ଟସ ଆସି ପହଞ୍ôଚଯିବ ଓ କାମ ଆରମ୍ଭ ହେବ । ଏହି କାମ ବେଳେ ଅବଶ୍ୟ କେନ୍ଦ୍ରାପଡା-ଚାନ୍ଦବାଲି ପରିବହନ ବ୍ୟବସ୍ଥା ଉପରେ ପ୍ରଭାବ ପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.