ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ୍ ଛକ ନିକଟରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଗ୍ନାଂଶ ପ୍ରତିମୂର୍ତ୍ତିର ପୁନଃ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବି ନେଇ ଧାରଣା ଦେଇଥିଲେ କାନ୍ତକବି ମଂଚ ଓଡ଼ିଶାର ସଦସ୍ୟମାନେ । ପରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ମଂଚ ସହ ଆଲୋଚନା ପରେ ଦୁଇଦିନ ଭିତରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଏ ସଂପର୍କରେ ଜିଲା ପ୍ରଶାସନ ସମେତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳର ଉପନେତା ବିଧାୟକ ବିଷ୍ଣୁଚରଣ ସେଠୀ । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ । ରାସ୍ତା ସଂପ୍ରସାରଣ ବେଳେ ଯେଉଁ ପ୍ରତିମୂର୍ତ୍ତିକୁ ଅପସାରଣ କରାଯାଇଥିଲା, ତାହା ଠିକ୍, କିନ୍ତୁ ସେହି ପ୍ରତିମୂର୍ତ୍ତିକୁ ସେଠାରେ ତୁରନ୍ତ ଅବସ୍ଥାପିତ କରିବା ବି ଆବଶ୍ୟକ । ଏପରି ସ୍ଥଳେ ପ୍ରତିମୂର୍ତ୍ତିକୁ ଅବସ୍ଥାପିତ ନକରିବା ପୂଜ୍ୟପୂଜାଙ୍କ ପ୍ରତି ନିଶ୍ଚିତ ଅସମ୍ମାନ ବୋଲି ସେ କହିଛନ୍ତି ।