Home ଓଡ଼ିଶା କୃଷକମାନଙ୍କୁ ଲାଭ ଓ କୃଷି କ୍ଷେତ୍ରରେ ପରିବର୍ତ୍ତନ ଲାଗି ଯୁଗାନ୍ତକାରୀ ନିଷ୍ପତି

କୃଷକମାନଙ୍କୁ ଲାଭ ଓ କୃଷି କ୍ଷେତ୍ରରେ ପରିବର୍ତ୍ତନ ଲାଗି ଯୁଗାନ୍ତକାରୀ ନିଷ୍ପତି

449

ଗ୍ରାମୀଣ ଭାରତକୁ ଐତିହାସିକ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ

– ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ନିୟାମକ ପରିବେଶରେ ସୁଧାର
– କୃଷି ଉତ୍ପାଦର ଆନ୍ତଃରାଜ୍ୟ ଓ ଅନ୍ତଃରାଜ୍ୟ ବାଧାମୁକ୍ତ ବିକ୍ରୟକୁ ପ୍ରୋତ୍ସାହନ ନିମନ୍ତେ ଅଧ୍ୟାଦେଶ
– ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର, ପାଇକାରୀ ବ୍ୟବସାୟୀ, ବୃହତ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହ ସମ୍ପର୍କ ସ୍ଥାପନ ନିମନ୍ତେ କୃଷକମାନଙ୍କୁ କ୍ଷମତା ପ୍ରଦାନ

ନୂଆ ଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁନ ୩, ୨୦୨୦ରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତି ଗ୍ରହଣ କରାଯାଇଛି ଯାହା ଦେଶର କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ସହିତ କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାରେ ଯଥେଷ୍ଟ ସହାୟକ ହୋଇପାରିବ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଐତିହାସିକ ସଂଶୋଧନ

କେନ୍ଦ୍ର କ୍ୟାବିନେଟ ଆଜି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଐତିହାସିକ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହା କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ଏବଂ କୃଷକମାନଙ୍କ ଆୟ ବଢ଼ାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ।

ପୃଷ୍ଠଭୂମି

ଭାରତ ଅଧିକାଂଶ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବଳକା ସ୍ଥିତିରେ ରହିଛି, ମାତ୍ର ଶୀତଳ ଭଣ୍ଡାର, ପଣ୍ୟାଗାର, ପ୍ରକ୍ରିୟାକରଣ ଏବଂ ରପ୍ତାନିରେ କମ ନିବେଶ କାରଣରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସକ୍ଷମ ହେଉନାହାନ୍ତି। ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅଙ୍କୁଶ ସେମାନଙ୍କ ଉଦ୍ୟମଶୀଳତା ଭାବନାକୁ ହତୋତ୍ସାହିତ କରୁଛି। ଏଭଳି ସ୍ଥିତିରେ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ଅଧିକ ପରିମାଣରେ ଅମଳ ହେଲେ, କୃଷକମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଥାଏ। ପର୍ଯ୍ୟାପ୍ତ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ ହେଲେ ଏଭଳି କ୍ଷତିକୁ ବ୍ୟାପକ ପରିମାଣରେ ରୋକାଯାଇପାରିବ।

ଲାଭ :

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇ ଦିଆଯିବ। ଏହି ବ୍ୟବସ୍ଥା ଫଳରେ ଘରୋଇ ନିବେଶକ ଅତ୍ୟଧିକ ନିୟାମକ ହସ୍ତକ୍ଷେପ ଭୟରୁ ମୁକ୍ତ ହୋଇପାରିବେ।

ଉତ୍ପାଦନ, ଭଣ୍ଡାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ୱାଧୀନତା ମିଳିବା ଫଳରେ ବ୍ୟାପକ ସ୍ତରରେ ଉତ୍ପାଦନ ସମ୍ଭବ ହୋଇପାରିବ ଏବଂ ଏଥିସହିତ କୃଷି କ୍ଷେତ୍ରରେ ଘରୋଇ/ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବ। ଏହାଫଳରେ ଶୀତଳ ଭଣ୍ଡାରରେ ନିବେଶ ବଢ଼ିବା ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିପାରିବ।

ଉପଭୋକ୍ତାମାନଙ୍କ ସ୍ୱାର୍ଥ ସୁରକ୍ଷା

ସରକାର ନିୟାମକ ବ୍ୟବସ୍ଥାକୁ ଉଦାର କରିବା ଫଳରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ମଧ୍ୟ ସୁନିଶ୍ଚିତ ହେବ। ସଂଶୋଧନ ଅନ୍ତର୍ଗତ ଏପରି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ମରୁଡ଼ି, ଯୁଦ୍ଧ, ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଏଭଳି କୃଷି ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯାଇପାରିବ। ତେବେ ମୂଲ୍ୟ ଶୃଙ୍ଖଳ ବା ଭ୍ୟାଲ୍ୟୁ ଚେନର କୌଣସି ଅଂଶୀଦାରଙ୍କ ପ୍ରତିଷ୍ଠିତ କ୍ଷମତା ଏବଂ କୌଣସି ରପ୍ତାନିକାରୀଙ୍କ ରପ୍ତାନି ଚାହିଦା ଏଭଳି ଷ୍ଟକ ସୀମା ଲାଗୁ ବ୍ୟବସ୍ଥାରୁ ମୁକ୍ତ ରହିବେ। ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ନିବେଶ ହତୋତ୍ସାହିତ ହେବ ନାହିଁ।

ଘୋଷିତ ସଂଶୋଧନ ମୂଲ୍ୟ ଲାଗୁ ହେବା ଦ୍ୱାରା କୃଷକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟୀ ହେବ। ଏଥିସହିତ ଭଣ୍ଡାରଣ ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ସାମଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ।

କୃଷି ଉତ୍ପାଦଗୁଡ଼ିକର ବାଧାମୁକ୍ତ ବ୍ୟବସାୟ

କ୍ୟାବିନେଟ କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦କୁ ମଞ୍ଜୁରି ଦେଇଛନ୍ତି।

ପୃଷ୍ଠଭୂମି

ଅନେକ ପ୍ରକାରର ନିୟାମକ ପ୍ରତିବନ୍ଧକ କାରଣରୁ ଦେଶର କୃଷକମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବାରେ ସମସ୍ୟା ଦେଖାଦେଇଥାଏ। ବିଜ୍ଞପିତ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ବାହାରେ ଥିବା ବଜାରରେ କୃଷିଜାତ ଉତ୍ପାଦ ବିକ୍ରି କରିବାରେ ଚାଷୀଙ୍କ ପାଇଁ ଅନେକ ପ୍ରକାରର କଟକଣା ରହିଥାଏ। ସେମାନଙ୍କୁ ବାଧ୍ୟତାମୂଳକ ଭାବେ ନିଜ ଉତ୍ପାଦ ସରକାରଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କୁ ହିଁ ବିକ୍ରି କରିବାକୁ ହୋଇଥାଏ। ଏହାବ୍ୟତୀତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏପରି ଉତ୍ପାଦର ସୁଗମ ବ୍ୟବସାୟରେ ମଧ୍ୟ ଅନେକ ପ୍ରକାରର ବାଧକ ରହିଛି।

ଲାଭ

ଅଧ୍ୟାଦେଶ ଲାଗୁ ହେବା ଫଳରେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ ପରିବେଶ ପ୍ରସ୍ତୁତ ହୋଇପାରିବ ଯେଉଁଥିରେ ସେମାନଙ୍କୁ ନିଜ ସୁବିଧା ଅନୁସାରେ କୃଷି ଉତ୍ପାଦ ବିକ୍ରି ଏବଂ କ୍ରୟ କରିବାର ସ୍ୱାଧୀନତା ମିଳିପାରିବ। ଅଧ୍ୟାଦେଶ ବଳରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଏପରି ବଜାର ବାହାରେ ମଧ୍ୟ କୃଷି ଉତ୍ପାଦର ଉନ୍ମୁକ୍ତ ବ୍ୟବସାୟ ସୁଗମ ହେବ ଯେଉଁ ବଜାରଗୁଡ଼ିକ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ଆଇନ ଅନ୍ତର୍ଗତ ବିଜ୍ଞପିତ ଅଟନ୍ତି।

ଏହାଦ୍ୱାରା କୃଷକମାନଙ୍କୁ ଅଧିକ ବିକଳ୍ପ ମିଳିବ। ବଜାର ବ୍ୟୟ ହ୍ରାସ ପାଇବ ଏବଂ ସେମାନଙ୍କୁ ନିଜ ଉତ୍ପାଦ ଉନ୍ନତ ଦର ମିଳିପାରିବ। ଏହାବ୍ୟତୀତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ଅଧିକ ମୂଲ୍ୟ ମିଳିପାରିବ। ଅନ୍ୟପଟେ କମ ଉତ୍ପାଦିତ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଅଧ୍ୟାଦେଶରେ କୃଷି ଉତ୍ପାଦର ସୁଗମ କାରବାର ସୁନିଶ୍ଚିତ କରିବା ଲାଗି ଏକ ଇ-ପ୍ଲାଟଫର୍ମ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି।

ଏହି ଆଇନ ଅଧୀନରେ ନିଜର ଉତ୍ପାଦ ବିକ୍ରି ନିମନ୍ତେ ଚାଷୀଙ୍କୁ କୌଣସି ପ୍ରକାର ସେସ କିମ୍ବା ଲେଭି ଦେବାକୁ ପଡ଼ିବ ନାହିଁ। ଆହୁରି ଚାଷୀଙ୍କ ପାଇଁ ଏକ ଅଲଗା ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ରହିବ।

ଏକ ଦେଶ, ଏକ କୃଷି ବଜାର

ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ଏପିଏମସି ବଜାର ସୀମା ବାହାରେ କୃଷକମାନଙ୍କୁ କାରବାର ପାଇଁ ଅତିରିକ୍ତ ସୁଯୋଗ ଉପଲବ୍ଧ କରାଇବା ଯାହା ଫଳରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ସେମାନଙ୍କୁ ନିଜ ଉତ୍ପାଦର ଭଲ ଦାମ ମିଳିପାରିବ।

ଏହା ନିଶ୍ଚିତ ଭାବେ ‘ଏକ ଦେଶ, ଏକ କୃଷି ବଜାର’ ନିର୍ମାଣ ମାର୍ଗ ପ୍ରଶସ୍ତ କରିବ ଏବଂ କଠୋର ପରିଶ୍ରମ କରୁଥିବା ଆମର କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦର ଇଚ୍ଛାମୁତାବକ ଦାମ ମିଳିବା ସୁନିଶ୍ଚିତ ହୋଇପାରିବ।

କୃଷକମାନଙ୍କୁ ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର୍ସ, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହିତ ଯୋଡ଼ି ଏହା ସେମାନଙ୍କୁ ସଶକ୍ତ କରିବ

କ୍ୟାବିନେଟ ‘ମୂଲ୍ୟ ଆଶ୍ୱାସନା ଉପରେ କୃଷକ (ବନ୍ଦୋବସ୍ତ ଓ ସୁରକ୍ଷା) ବୁଝାମଣା ଓ କୃଷି ସେବା ଅଧ୍ୟାଦେଶ, ୨୦୨୦’କୁ ମଞ୍ଜୁରି ଦେଇଛନ୍ତି।

ପୃଷ୍ଠଭୂମି

ଭାରତୀୟ କୃଷିକୁ ଚାଷ ଜମିର ଛୋଟ ଆକାର କାରଣରୁ ବିଖଣ୍ଡିତ କୃଷି ଭାବେ ବର୍ଗୀକୃତ କରାଯାଇଥାଏ। ମୌସୁମୀ ବାୟୁ ଉପରେ ନିର୍ଭରଶୀଳତା, ଉତ୍ପାଦନର ଅନିଶ୍ଚିତତା ଏବଂ ବଜାର ଅନିଶ୍ଚିତତା ଆଦି ଭାରତୀୟ କୃଷିର କେତେକ ଦୁର୍ବଳତା। ଏହି କାରଣରୁ କୃଷି କାର୍ଯ୍ୟ ଅନିଶ୍ଚିତ ଏବଂ ଇନପୁଟ ଓ ଆଉଟପୁଟ ପରିଚାଳନା କ୍ଷେତ୍ରରେ ପ୍ରଭାବହୀନ ଭାବେ ବିବେଚିତ ହୋଇଥାଏ।

ଲାଭ

ଅଧ୍ୟାଦେଶ ବଳରେ କୃଷକମାନଙ୍କୁ ଶୋଷଣର ଭୟ ବିନା ସମାନତା ଆଧାରରେ ପ୍ରକ୍ରିୟାକରଣ (ପ୍ରୋସେସର), ଏଗ୍ରିଗେଟର, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବିକ୍ରେତା, ରପ୍ତାନିକାରୀ ଆଦିଙ୍କ ସହିତ ଯୋଡ଼ିବା ଲାଗି ସକ୍ଷମ କରିବ। ଏହାଫଳରେ ବଜାରର ଅନିଶ୍ଚିତତା ବିପଦ ଦୂର ଏବଂ ହସ୍ତାନ୍ତରିତ ହୋଇଯିବ। କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଇନପୁଟ ମିଳିପାରିବ। ଏହାଦ୍ୱାରା ବିପଣନ ଖର୍ଚ୍ଚ ହ୍ରାସ ପାଇବ ଓ କୃଷକମାନଙ୍କ ଆୟରେ ସୁଧାର ଆସିବ।

ଏହି ଅଧ୍ୟାଦେଶ କୃଷକମାନଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଁଚାଇବା ଲାଗି ଜରୁରି ଯୋଗାଣ ଶୃଙ୍ଖଳ ବିକଶିତ କରିବା ନିମନ୍ତେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବ ଏବଂ ଏକ ପ୍ରୋତ୍ସାହକ ରୂପରେ କାର୍ଯ୍ୟ କରିବ। କୃଷକମାନଙ୍କୁ ଉଚ୍ଚ ମୂଲ୍ୟବିଶିଷ୍ଟ କୃଷି ନିମନ୍ତେ ଜ୍ଞାନକୌଶଳ ଓ ପରାମର୍ଶ ମିଳିବା ସହିତ ସେମାନଙ୍କ ପାଇଁ ଏଭଳି ଫସଲ ନିମନ୍ତେ ପ୍ରସ୍ତୁତ ବଜାର ମଧ୍ୟ ଉପଲବ୍ଧ ହୋଇପାରିବ।

କୃଷକ ପ୍ରତ୍ୟକ୍ଷ ରୂପରେ ବିପଣନ ସହ ଯୋଡ଼ି ହୋଇପାରିବେ, ଯାହାଦ୍ୱାରା ଦଲାଲଙ୍କ ଭୂମିକା ରହିବ ନାହିଁ ଏବଂ ସେମାନଙ୍କୁ ନିଜ ଫସଲର ଉଚିତ ମୂଲ୍ୟ ମିଳିପାରିବ। କୃଷକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି ଏବଂ ସମାଧାନର ସ୍ପଷ୍ଟ ସମୟସୀମା ସହିତ ପ୍ରଭାବୀ ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି।

କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

କୃଷତି ଓ ଆନୁସଙ୍ଗୀକ କାର୍ଯ୍ୟକଳାପରେ ନିୟୋଜିତ ଲୋକମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ଏଥିରେ କିସାନ କ୍ରେଡିଟ କାର୍ଡ ଜରିଆରେ ରିହାତି ଦରରେ ଋଣ ପ୍ରଦାନ, କୃଷି ଭିତିଭୂମି ପ୍ରକଳ୍ପ ନିମନ୍ତେ ଆର୍ଥିକ ସୁବିଧା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ମାଛ ଚାଷକୁ ସୁଦୃଢ଼ କରିବା ଲାଗି ଅନ୍ୟ ଉପାୟ, ଫାଟୁଆ ଓ ବ୍ରୁସେଲୋସିସ ରୋଗ ନିରାକରଣ ପାଇଁ ଗୃହପାଳିତ ପଶୁଙ୍କ ଟିକାକରଣ, ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ, ମହୁମାଛି ପାଳନକୁ ପ୍ରୋତ୍ସାହନ ଏବଂ ଅପରେସନ ଗ୍ରୀନ ଭଳି ବ୍ୟବସ୍ଥା ସାମିଲ ରହିଛି।

ପିଏମ କିସାନ ଯୋଜନା ମାଧ୍ୟମରେ ୯.୨୫ କୋଟିରୁ ଅଧିକ କୃଷକ ପରିବାର ଲାଭାନ୍ୱିତ ହୋଇଛନ୍ତି। ଲକଡାଉନ ଅବଧିରେ ୧୮, ୫୧୭ କୋଟି ଟଙ୍କାର ଅର୍ଥରାଶି ବର୍ତମାନସୁଦ୍ଧା ବିତରଣ କରାଯାଇସାରିଛି। ପିଏମ ଫସଲ ବୀମା ଯୋଜନା ଅନ୍ତର୍ଗତ ୬୦୦୩.୬ କୋଟି ଟଙ୍କାର ଦାବି ପରିଶୋଧ କରାଯାଇସାରିଛି।

ସରକାର କୃଷକଙ୍କ କଲ୍ୟାଣ ପାଇଁ ଏକାଧିକ ଯୋଜନା କରିଛନ୍ତି, ସେଥିମଧ୍ୟରୁ ଏଗୁଡ଼ିକ ସଦ୍ୟ ପଦକ୍ଷେପ। ଏହା ଭାରତର ପରିଶ୍ରମୀ କୃଷକମାନଙ୍କ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପ୍ରତି ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.