ଯୋଡା, ୩୦ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ପଶ୍ଚିମ ଯୋଡା ଟାଟା କମ୍ପାନୀ କଲୋନୀରେ ସ୍ୱାମୀ ସହ ରହୁଥିବା ନବବିବାହୀତା ଶିବାନୀ ସାହୁ (୨୩) ଙ୍କର ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କ ସ୍ୱାମୀ ମନୁ ସାହୁ (୨୫) ଶିବାନୀ ରଶି ଲଗାଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ମୃତକ ଶିବାନୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିବା ବେଳେ ଯୋଗୁଁ ଏହା ଏକ ହତ୍ୟା ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଥମେ ଶିବାନୀର ବାପାଙ୍କୁ ମନୁ ଶିବାନୀ ବାଥରୁମରେ ପଡିଯିବା କଥା କହି ପରେ ଶିବାନୀ ରଶି ଲଗାଇଥିବା କହୁଥିବାରୁ ଏହା ତାଙ୍କୁ ସନ୍ଦେହ ଘେରକୁ ଟାଣିନେଇଛି ।
ଘଟଣାରୁ ପ୍ରକାଶ ଯେ, ଗତ ବର୍ଷ ଫେବୃୟାରୀ ମାସ ୨୩ ତାରିଖରେ ତେଲକୋଇ ଅଞ୍ଚଳର ଭୋଳେଶ୍ୱର ସାହୁ (୫୫)ଙ୍କ ଝିଅ ଶିବାନୀ ସାହୁଙ୍କର ବାରକୋଟ ଅଞ୍ଚଳର କୋଲା ଗ୍ରାମର ଅଖିଳ ସାହୁଙ୍କ ପୁଅ ମନୁ ସାହୁଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ଭୋଳେଶ୍ୱର ନଗଦ ୫୦ ହଜାର ଟଙ୍କା ଏବଂ ଝିଅକୁ ସମସ୍ତ ଗହଣା ଗାଣ୍ଠି ଦେଇ ବିବାହ କରିଥିଲେ । ବିବାହର ୧ ବର୍ଷ ପରେ ତାଙ୍କର ଏକ ମୃତ ସନ୍ତାନ ଜାତ ହୋଇଥିଲା । ତେବେ ଶିବାନୀ ଏବଂ ମନୁ ସାହୁ ଉଭୟ ପଶ୍ଚିମ ଯୋଡାସ୍ଥିତ ଟାଟା କମ୍ପାନୀ କଲୋନୀର ଏକ କ୍ୱାଟରରେ ରହୁଥିଲେ । ମନୁ ଇଷ୍ଟର୍ଣ୍ଣ କଷ୍ଟ୍ରକ୍ସନ ନାମକ ଟାଟା କମ୍ପାନୀଙ୍କ ଏକ ଠିକା ସଂସ୍ଥାରେ କାର୍ୟ୍ୟ କରନ୍ତି । ଘଟଣାଟି ସକାଳେ ଘଟିଥିବା ବେଳେ ମନୁ ଶିବାନୀଙ୍କ ବାପାଙ୍କୁ ସକାଳ ୧୦ ଘଟିକା ସମୟରେ ଫୋନ କରି ଶିବାନୀ ବାଥରୁମରେ ପଡି ତାଙ୍କର ମୁଣ୍ଡ ଫାଟିଯାଇଥିବା କଥା କହି ଜଣାଇବା ସହ ତାଙ୍କୁ ଟାଟା ଡାକ୍ତରଖାନାକୁ ନିଆଯାଇଥିବା କଥା କହିଥିଲେ । ତେବେ ବାପା ଭୋଳେଶ୍ୱର ତେଲକୋଇରୁ ଦିନ ୩ଟା ବେଳେ ପହଞ୍ଚି ତାଙ୍କର ଝିଅ ମରିପଡିଥିବା ଜାଣିବାକୁ ପାଇଥିଲେ । ଖବର ପାଇ ମନୁ ସାହୁଙ୍କ ବାପା ଅଖିଳ ସାହୁ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ବାରକୋଟରୁ ଆସି ସେଠାରେ ପହଞ୍ଚିଥିଲେ । ତେବେ ଘଟଣାଟି ସକାଳ ୭ଟା ବେଳେ ଘଟିଥିବା ବେଳେ ସେମାନେ ଯୋଡା ପୁଲିସକୁ ସନ୍ଧ୍ୟା ୬ଟା ବେଳେ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୁଲିସ କହିଛି ।