Home ଓଡ଼ିଶା ଆଦିବାସୀ ଅଧ୍ୟୁଷିତ ଗାଁ ମରାଗୋଳାରେ ବିକାଶର ପାଦଚିହ୍ନ ପଡ଼ିବ କେବେ ? ଏପରିକି ପାଇଖାନା...

ଆଦିବାସୀ ଅଧ୍ୟୁଷିତ ଗାଁ ମରାଗୋଳାରେ ବିକାଶର ପାଦଚିହ୍ନ ପଡ଼ିବ କେବେ ? ଏପରିକି ପାଇଖାନା କ’ଣ ଜାଣନ୍ତି ନାହିଁ

177

ହରିଚନ୍ଦନପୁର,ତା ୧୯ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସ୍ବାଧୀନତାର ୭୩ ବର୍ଷ ପରେ ବି ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ସାତସପନ, ଏମିତି ଏକ ଗାଁ ରହିଛି ସରକାରଙ୍କ ମୈ।‌ଳିକ ସୁବିଧାକୁ ଚାହିଁ ବସିଛନ୍ତି ୬୦ ପରିବାର । ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଆଦିବାସୀ ଶ୍ରେଣୀର ଲୋକମାନଙ୍କ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସଂସ୍ଥା ମାଧ୍ୟମରେ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ହେଲେ କେତକ ଖାମଖିଆଲି ମନୋଭାବ ରଖୁଥିବା ସରକାରୀ ବାବୁଙ୍କ ପାଇଁ ସେହି ଯୋଜନା ଗୁଡ଼ିକ ଯୋଜନାରେ ହିଁ ରହିଯାଉଥିବା ନଜିର ରହିଛି । ଯୋଜନା ଗୁଡିକ ଠିକ୍ ଭାବରେ ରୂପାୟନ ହେଉଛି କି ନାହିଁ ତାହାର ହିସାବ କେବଳ କାଗଜ କଲମ ମଧ୍ୟରେ ରହିଯାଉଛି । ଯାହା ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ମୋୖଳିକ ସୁବିଧାରୁ ବଞ୍ଚିତ ହୋଇ ରହୁଥିବାର ଦେଖିବାକୁ ମିଳିଛି । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପର୍ବତ ଶିଖରେ ଥିବା ମରାଗୋଳା ଗାଁ, ଏହି ଗାଁରେ ୬୦ ପରିବାରର ୧୫୦ ଭୋଟର ବସବାସ କରନ୍ତି । ଏହି ଗ୍ରାମର ଲୋକମାନେ ସରକାରଙ୍କ ଖାଦ୍ୟ ଯୋଗାଣ ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି ସତ, ହେଲେ ଖାଦ୍ୟ ଯୋଗାଣ ସାମଗ୍ରୀ ନେବା ପାଇଁ ୭ ରୁ ୮ କିଲୋମିଟର ପାହାଡ଼ିଆ ପାଦ ଚଲା ରାସ୍ତାରେ ପିଠାଗୋଳା ଗ୍ରାମକୁ ଆସିଥାନ୍ତି । ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମରେ ଭଲ ଘର କିମ୍ବା ସ୍ବଚ୍ଛ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଏଠାକାର ଲୋକମାନେ ପାହାଡ଼ ମଧ୍ୟରୁ ଝରୁଥିବା ଚାଖରାଗାଦୀ ନାଳ ମଧ୍ୟରୁ ପିଇବା ପାଣି ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣି ସଂଗ୍ରହ କରିଥାନ୍ତି । ଏହି ପାଣି ବ୍ୟବହାର କରିବା ଦ୍ୱାରା ଅନେକ ସମୟରେ ଲୋକମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼େ । ବର୍ଷା ଦିନେ ଏହି ଚାଖରାଗାଦୀ ନାଳ ଯାତୟାତରେ ବାଧକ ସାଜେ, ବର୍ଷା ଦିନେ ନାଳ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି, ହେଲେ ରାସ୍ତା ନଥିବାରୁ ଠିକ୍ ଭାବେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପହଞ୍ଚି ପାରୁନଥିବା କାରଣରୁ ଛାତ୍ର ଛାତ୍ରୀମାନେ ଅନେକ ସମୟରେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ରହିଥାନ୍ତି । ଏଥିସହ ଉକ୍ତ ବିଦ୍ୟାଳୟକୁ ଶିକ୍ଷକ ମାସ ମାସ ଧରି ଯାଉନଥିବା ବେଳେ ଗ୍ରାମର ଭାଷା ଶିକ୍ଷକଙ୍କ ବିଦ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି ହେଲେ ମାସରେ ୬ ରୁ ୭ଦିନ ଖୋଲା ଯାଉଥିବା ଯୋଗୁଁ ଛୋଟ ଛୋଟ ଛୁଆମାନେ ପୁଷ୍ଟିକର ଖାଦ୍ୟ ସହ ପାକ୍ ଶିକ୍ଷାରୁ ବଞ୍ଚିତ ହୋଇରହୁଥିବା ଅଭିଯୋଗ ହୋଇଛି । ଗାଁର ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କ ପାଇଁ ସରକାରଙ୍କ ଚତୁଆ ଯୋଜନାରେ ୩ ରୁ ୬ମାସରେ ଥରେ ଲେଖାଏଁ ଛତୁଆ ମିଳେ । ସ୍ବାସ୍ଥ୍ୟ ସେବା ନିମନ୍ତେ ସ୍ବାସ୍ଥ୍ୟ କର୍ମୀ (ଏଏନମ ଦିଦି)ଙ୍କ ଦେଖା ମିଳୁନଥିବା ବେଳେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଟିମ୍ ବର୍ଷରେ ଦୁଇଥର ଏହି ଗ୍ରାମକୁ ଯାଇଥାନ୍ତି । ଏଠାକାର ଲୋକମାନେ ରୋଗରେ ପଡ଼ିଲେ ଅନେକ ଚିକିତ୍ସା ପାଇଁ ଖଟ ସାହାର୍ଯ୍ୟରେ ପିଠାଗୋଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି । ଯଦି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥାଏ ତେବେ ପିଠାଗୋଳାରୁ କୋୖଣସି ଗାଡ଼ି ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି । ଅନେକ ଲୋକ ରୋଗରେ ପଡ଼ିଲେ ଚିକିତ୍ସା ନିମନ୍ତେ ଆସିନପାରି ଘରେ ପଡ଼ି ପଡ଼ି ମୃତ୍ୟୁ ବରଣ କରୁଥିବା ନଜିର ରହିଛି । ସବୁଠୁ ବଡ଼ କଥା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା ଗ୍ରାମକୁ ବାଟବଣା ହୋଇରହିଯାଇଛି । ବିଭିନ୍ନ ସଚେତନତା ସହ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କ ଉଦ୍ଦିଷ୍ଟ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହେଉଛି । ଏହି ଗ୍ରାମରେ ସ୍ବଚ୍ଛ ଭାରତ ଯୋଜନାରେ ଅନେକ ପାଇଖାନା ନିର୍ମାଣ ହୋଇଛି, ହେଲେ ତାହା କେବଳ କାଗଜ କଲମରେ ସୀମିତ । ଅତି ଦୁଃଖର ବିଷୟ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସ୍ବାଧୀନତାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାକାର ଲୋକମାନେ ପାଇଖାନା ସମ୍ପର୍କରେ କିଛି ଜାଣିନାହାନ୍ତି । ଗ୍ରାମର ଜଗବନ୍ଧୁ ଜୁଆଙ୍ଗ(୬୫) ପତ୍ନୀ ଫୁଲମଣୀ ଜୁଆଙ୍ଗ, ଚେମେଇଁ ଜୁଆଙ୍ଗ(୬୧) ପତ୍ନୀ ବିଳାଶ ଜୁଆଙ୍ଗ, ଧନେଶ୍ଵର ଜୁଆଙ୍ଗ(୬୬) ପତ୍ନୀ ଫୁଲମଣୀ ଜୁଆଙ୍ଗ, ମିଲୁ ଜୁଆଙ୍ଗ(୬୦) ପତ୍ନୀ କୁନ୍ଦି ଜୁଆଙ୍ଗ, ସନାତନ ଜୁଆଙ୍ଗ(୬୩) ପତ୍ନୀ ଲଛମାଇଁ ଜୁଆଙ୍ଗ, ଗୋପିନାଥ ଜୁଆଙ୍ଗ(୬୦) ପତ୍ନୀ ବୁଇରୀ ଜୁଆଙ୍ଗ, ଭଗବାନ ଜୁଆଙ୍ଗ(୬୧) ପତ୍ନୀ ସାବିତ୍ରୀ ଜୁଆଙ୍ଗ, ମଣିଆ ଜୁଆଙ୍ଗ(୬୦) ପତ୍ନୀ ରାଧିକା ଜୁଆଙ୍ଗ, ପ୍ରମୋଦ ଜୁଆଙ୍ଗ(୬୦), ମାଧେଇ ଜୁଆଙ୍ଗ(୬୦), ନିନା ଜୁଆଙ୍ଗ(୬୨) ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ରହିଛନ୍ତି । ଏଥିସହ ଗ୍ରାମର ମହିଳା ସମବାରୀ ଜୁଆଙ୍ଗ(୬୬) ଓ ମାସେଇ ଜୁଆଙ୍ଗ(୬୦)ଙ୍କ ସ୍ବାମୀ ମରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏମାନେ ବିଧବା ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି । ଜଗା ଜୁଆଙ୍ଗ, ପ୍ରଭାକର ଜୁଆଙ୍ଗ, ଦର୍ନାଦ୍ଦନ ଜୁଆଙ୍ଗ, କ୍ଷେତ୍ରବାସୀ ଜୁଆଙ୍ଗ, ଦୁର୍ଯ୍ୟୋଧନ ଜୁଆଙ୍ଗ, ମଣିଆ ଜୁଆଙ୍ଗ, ଜଗନ୍ନାଥ ଜୁଆଙ୍ଗ, କେଶବ ଜୁଆଙ୍ଗ, ରତ୍ନାକର ଜୁଆଙ୍ଗ, ଫୁତୁଲୁ ଜୁଆଙ୍ଗ, ବିଭିଷଣ ଜୁଆଙ୍ଗ, ମଧୁ ଜୁଆଙ୍ଗ ଜଙ୍ଗଲ ଜମି ପଟ୍ଟା, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ସେଥିରୁ ସେମାନେ ବଞ୍ଚିତ ହୋଇ ରହିଥିବା ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଲା ଏମାନଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡୁଛି କେବେ ? ଯଦି ଏମାନଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡନ୍ତା ତେବେ ଏମାନଙ୍କ ପାଖରେ ସରକାରଙ୍କ ସମସ୍ତ ମୋୖଳିକ ଯୋଜନା ଠିକ୍ ଭାବେ ପହଞ୍ଚି ପାରନ୍ତା ବୋଲି ବୁଦ୍ଧିଜୀବି ଓ ଶିକ୍ଷାବିତ ମହଲରେ ପ୍ରକାଶ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.